ଯେଉଁ କଲେଜର ବିଦ୍ୟାର୍ଥୀ ଦିନେ ବ୍ରିଟିଶ ଗୋଲାମିତ୍ୱକୁ ଅସ୍ୱୀକାର କରି ୟୁନିୟନ ଜ୍ୟାକ୍ ପତାକାକୁ ତଳକୁ ଫିଙ୍ଗି ସ୍ୱାଧୀନତାର ମହାମନ୍ତ୍ର ନାଦ କରିଥିଲେ, ଏବେ ସମୟ ଆସିଛି, କେବଳ ସେହି କଲେଜ ନୁହେଁ, ସମଗ୍ର ଓଡ଼ିଶାର ବିଦ୍ୟାର୍ଥୀ ବ୍ରିଟିଶ ମାନସିକତାକୁ ଓଡ଼ିଶାରୁ ବିଲୋପ କରି ଓଡ଼ିଆ ଅସ୍ମିତାର ଧ୍ୱଜା ଧାରଣ କରିବା ।
ଆମେ ଜାଣୁ, ପାଇକ ବିଦ୍ରୋହ ପରେ ୭.୩.୧୮୩୫ରେ ଲାଗୁ ହୋଇଥିବା ମାକଲେ ଶିକ୍ଷା ନିୟମ ଅନୁସାରେ ହାର୍ଡିଞ୍ଜ ସ୍କୁଲ ବା ଭାଷା ବିଦ୍ୟାଳୟ (ବର୍ତ୍ତମାନର ଓଡ଼ିଆମାଧ୍ୟମ ସ୍କୁଲ) ସାରା ଭାରତରେ ସ୍ଥାପନ ହେଲା । ୧୮୩୫ରୁ ୧୮୭୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୧୪ଟି ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ୮୬ଟି ଭାଷା ବିଦ୍ୟାଳୟ ସ୍ଥାପିତ ହୋଇସାରିଥିଲା । ମାତ୍ର ୩୦ବର୍ଷ ଭିତରେ ଏତେସଂଖ୍ୟକ ଆଧୁନିକ ସ୍କୁଲ ବେସରକାରୀ ଉଦ୍ୟମରେ ସ୍ଥାପିତ ହେବା ଓଡ଼ିଶାର ଉନ୍ନତ ଶିକ୍ଷା ବ୍ୟବସ୍ଥାକୁ ପ୍ରମାଣିତ କରେ । ୧୮୪୧ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲରୁ ବିଚିତ୍ରାନନ୍ଦ ଦାସ, ମଧୁବାବୁ ଭଳି ବହୁ ଓଡ଼ିଆ ପିଲା ପାଠ ପଢ଼ି କିରାଣି ହୋଇଥିଲେ । ତେବେ ଚାକିରି ବଦଳରେ ଓଡ଼ିଆମାନେ ବ୍ୟବସାୟକୁ ଗୁରୁତ୍ୱ ଦେଉଥିବାରୁ ଆଧୁନିକ ସ୍କୁଲରେ ଓଡ଼ିଆ ଅପେକ୍ଷା ବଙ୍ଗାଳୀ ପିଲା ବେଶୀ ପଢୁଥିଲେ । କଲିକତାରୁ ଓଡ଼ିଶାର ଶାସନ ଏବଂ ଓଡ଼ିଶାର ଜମିଦାରୀ ବଙ୍ଗାଳୀ ହାତରେ ରହିବା ଦ୍ୱାରା ସ୍କୁଲଶିକ୍ଷାରେ ବଙ୍ଗାଳୀ ଆଧିପତ୍ୟ ରହିଥିଲେ ମଧ୍ୟ ଓଡ଼ିଆମାନେ ଶିକ୍ଷାପ୍ରତି ସଚେତନ ଥିଲେ ତଥା ଶତକଡ଼ା ଶହେଭାଗ ଶିକ୍ଷିତ ଥିବାର ତତ୍କାଳୀନ ବାର୍ଷିକ ଶିକ୍ଷା ରିପୋର୍ଟରୁ ଜଣାପଡ଼େ ।
ଓଡ଼ିଶାର ସର୍ବପ୍ରାଚୀନ ଆଧୁନିକ ଶିକ୍ଷାନୁଷ୍ଠାନ ହେଉଛି ଓଡ଼ିଶା କଲେଜ । ଏହାର ପୂର୍ବ ନାମ ଥିଲା କଟକ କଲେଜ । ଆଦିନେତା ବିଚିତ୍ରାନନ୍ଦ ଦାସ ଓଡ଼ିଶାରେ କଲେଜ ପ୍ରତିଷ୍ଠା ପାଇଁ କଟକର ବୁଦ୍ଧିଜୀବୀମାନଙ୍କୁ ନେଇ ଆଲୋଚନା କରିବା ସହିତ ବଙ୍ଗ ସରକାରଙ୍କୁ ଦାବିପତ୍ର ପ୍ରଦାନ କଲେ । ତାଙ୍କରି ଉଦ୍ୟମରେ ୧୮୪୧ରେ ସ୍ଥାପିତ କଟକ ଜିଲ୍ଲା ସ୍କୁଲକୁ ୧୮୬୩ରେ ଦ୍ୱିତୀୟ ଶ୍ରେଣୀ କଲେଜ ବା କଲେଜିଏଟ ସ୍କୁଲରେ ପରିଣତ କରାଗଲା । ୧୮୭୨ରେ ବିଚିତ୍ରାନନ୍ଦ ମେଳବର୍ଦ୍ଧନୀ ସମାରୋହ ଗଠନ କରି ଓଡ଼ିଶାରେ ପୂର୍ଣ୍ଣାଙ୍ଗ ଡିଗ୍ରୀ କଲେଜ ସ୍ଥାପନ ପାଇଁ ବିଭିନ୍ନ ସଭା ସମିତି ମାଧ୍ୟମରେ ଦାବି କରିବା ସହିତ ୧୮୭୫ରେ ଓଡ଼ିଶା ଆସିଥିବା ଛୋଟଲାଟ ରିଚାର୍ଡ ଟେମ୍ପଲକୁ ସ୍ମାରକପତ୍ର ପ୍ରଦାନ କଲେ । ଏହି ଦାବିକୁ ବିଚାର କରି ଜନସାଧାରଣଙ୍କ ଦାନରେ କଲେଜ ଖୋଲିବା ପାଇଁ ଅନୁମତି ଦେବାକୁ ରେଭେନ୍ସାଙ୍କୁ ସେ ନିର୍ଦ୍ଦେଶ ଦେଲେ । ବିଚିତ୍ରାନନ୍ଦ ଏହି ଅର୍ଥ ବିଭିନ୍ନ ସୂତ୍ରରୁ ସଂଗ୍ରହ କରି ଦେବା ପରେ ଓଡ଼ିଶା କଲେଜ ସ୍ଥାପନ ହେଲା । ଏଥିରେ କେବଳ ମୁଖ୍ୟ ପ୍ରଶାସକ ଭାବରେ ଚିଠିଲେଖା ବା ଅନୁମତି ଦେବା ବ୍ୟତୀତ ରେଭେନ୍ସାଙ୍କର କୌଣସି ଭୂମିକା ନଥିଲା । ମୟୂରଭଞ୍ଜ ରାଜାଙ୍କ ପରାମର୍ଶ ଅନୁସାରେ ୧୮୮୦ରେ ଏହାର ନାମ ପରିବର୍ତ୍ତନ କରି ରେଭେନ୍ସା କଲେଜ ହେଲା ।
ଓଡ଼ିଶାରେ ଶିକ୍ଷିତ ଓଡ଼ିଆ ପିଲା ନିଯୁକ୍ତି ନପାଇବା ପାଇଁ ସେ ସମୟର ସର୍ବୋଚ୍ଚ ପଦବି ଥିବା ଡେପୁଟି କଲେକ୍ଟର ପରୀକ୍ଷା ନିୟମ-୧୮୭୧ ପ୍ରସ୍ତୁତ କଲେ, ଯାହାକୁ ଉତ୍କଳ ଦୀପିକା ତୀବ୍ର ସମାଲୋଚନା କରିଥିଲା । ଓଡ଼ିଶାରେ ଆଧୁନିକ ଶିକ୍ଷା ପ୍ରଚଳନରେ କିମ୍ବା ଓଡ଼ିଆ ଭାଷା ସୁରକ୍ଷାରେ ରେଭେନ୍ସାର କୌଣସି ସ୍ୱତନ୍ତ୍ର ଭୂମିକା ନଥିଲା । ଓଡ଼ିଶାର ପ୍ରଥମ ସ୍କୁଲ ଇନ୍ସପେକ୍ଟର ଇ. ସୋର ୧୮୫୭-୫୮ ବାର୍ଷିକ ରିପୋର୍ଟରେ ଲେଖିଥିଲେ "ବଙ୍ଗଳା ଭାଷାର ଉପଭାଷା ଓଡ଼ିଆ ନୁହେଁ, ବରଂ ସ୍ୱୟଂସମ୍ପୂର୍ଣ୍ଣ ଭାଷା । ଏହାର ନିଜର ବ୍ୟାକରଣ ଓ ଲିପି ରହିଛି' । ସେହିପରି "ଶିରୋନାସ୍ତି ଶିରପୀଡ଼ା' ଭଳି ସେତେବେଳେ ସମଗ୍ର ଓଡ଼ିଶାରେ ୯୯ଭାଗ ଲୋକ ଓଡ଼ିଆରେ କଥା ହେଉଥିଲେ ଓ ପାଠ ପଢୁଥିବାବେଳେ, ଓଡ଼ିଶାରେ ଓଡ଼ିଆ ଭାଷାକୁ ସେ କି ପ୍ରକାର ସୁରକ୍ଷା ଦେଉଥିଲେ? ମାନବ ସଭ୍ୟତାର ସବୁଠାରୁ ବର୍ବରୋଚିତ ଘଟଣା ହେଉଛି ମାତ୍ର ଆଠ ମାସ ଭିତରେ ଜଣେ ପ୍ରଶାସକର ଅହଂକାରରେ ଗୋଟିଏ ପ୍ରତିବାଦଶୂନ୍ୟ ଜାତିର ୨୦ଲକ୍ଷ ଲୋକ ବିନା ଯୁଦ୍ଧ, ବିନା ମଡ଼କରେ ଖାଇବାକୁ ନପାଇ ଛଟପଟ ହୋଇ ମରିଗଲେ, ୧୦ଲକ୍ଷ ଲୋକ ଦେଶାନ୍ତର ହେଲେ । ଏହାଠାରୁ ବଳି ପୃଥିବୀରେ ବଡ଼ ମନୁଷ୍ୟକୃତ ଘଟଣା କୋଉଠି ଘଟିବାର ଦେଖାଯାଇନାହିଁ ।
ଗୋଟିଏ ଜାତି ପାଇଁ ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କ'ଣ ଥାଇପାରେ? ୧୭୫୧, ୧୭୬୪, ୧୮୦୩ ଓ ୧୮୨୬ରେ ସମଗ୍ର ଓଡ଼ିଶା ଚାରିଟି ପର୍ଯ୍ୟାୟରେ ବ୍ରିଟିଶ କମ୍ପାନୀ ଶାସନ ଅଧୀନକୁ ଯାଇଥିଲା । ବିଦ୍ରୋହୀ ଓଡ଼ିଆ ଜାତିକୁ ଦମନ କରିବା ପାଇଁ ବଡ଼ଲାଟ ଲର୍ଡ଼ କ୍ୟାନିଂ ୨୭.୨.୧୮୬୦ରେ ଚାର୍ଲସ୍ ଉଡ୍ଙ୍ଗକୁ ଚିଠିରେ ଲେଖିଥିବା ପରାମର୍ଶକୁ ଗ୍ରହଣ କରି ତତ୍କାଳୀନ ଓଡ଼ିଶା କମିଶନର କୋବରନ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ । ଏଥିପାଇଁ ବଙ୍ଗଳା ଓ ପାଟନାର ୧୬ବର୍ଷର ଅନୁଭବୀ ପ୍ରଶାସକ ତଥା ବୀରଭୂମିର ଜଜ୍ ଥୋମାସ ଏଡୱାର୍ଡ ରେଭେନ୍ସାଙ୍କୁ ପଦୋନ୍ନତି ଦେଇ ଓଡ଼ିଶା କମିଶନର ଭାବରେ ନିଯୁକ୍ତ କରିବା ସହିତ ଆସନ୍ନ ମରୁଡ଼ି ବିଷୟରେ ଅବଗତ କରାଗଲା । ରେଭେନ୍ସା ୫ ଜୁଲାଇ ୧୮୬୫ କଟକରେ ପହଞ୍ଚିବା ବେଳକୁ ଓଡ଼ିଶାରେ ଗଜାମରୁଡ଼ି ଆରମ୍ଭ ହୋଇଯାଇଥିଲା । ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ପୁରୀ କଲେକ୍ଟର ବାର୍ଲୋ ବାରମ୍ବାର ବୁଝାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ନଦେଇ ଓଡ଼ିଆ ଗଣହତ୍ୟା କାର୍ଯ୍ୟ ଆରମ୍ଭ କଲେ । ସେ ସମୟରେ ଖାଦ୍ୟାଭାବ ପାଇଁ ରେଭେନ୍ସା ଦାୟୀ କାହିଁକି, ଏଥିରୁ ବୁଝାପଡ଼େ ଯେ ଜୁଲାଇ ୨୨, ୧୮୬୫ ତାରିଖରେ ତିନି ସପ୍ତାହ ପାଇଁ ସେ ବାଲେଶ୍ୱର ଗଲେ । ରାଜ୍ୟରେ ଖାଦ୍ୟାଭାବ ଥିବା ସତ୍ତେ୍ୱ ୬୯ଟି ଜାହାଜରେ ମାନ୍ଦ୍ରାଜକୁ ଚାଉଳ ରପ୍ତାନି ହୋଇଥିଲା । ଖାଦ୍ୟାଭାବ ଦୂରପାଇଁ ପଦକ୍ଷେପ ନେବାକୁ ବାର୍ଲୋଙ୍କ ଅନୁନୟକୁ ରେଭେନ୍ସା ପ୍ରତ୍ୟାଖ୍ୟାନ କରି ବିଳାସବ୍ୟସନରେ ସମୟ କାଟିବାକୁ ୪ମାସ ଓଡ଼ିଶାର ଗଡ଼ଜାତ ରାଜ୍ୟ ବୁଲିବା ପାଇଁ ଚାଲିଗଲେ । ସେଠାରୁ ଫେରିବା ପରେ ଦୁର୍ଭିକ୍ଷ କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ଛୋଟଲାଟ ସେସିଲ ବୀଡନଙ୍କୁ ୧୫ ଫେବ୍ରୁଆରୀ ୧୮୬୬ରେ କଟକରେ ଭବ୍ୟ ଦରବାର ଆୟୋଜନ କରି ଓଡ଼ିଶାର କଙ୍କାଳସାର ମଣିଷର ଦୁଃଖ ଓ ବେଦନାକୁ ଘୋଡ଼ାଇଥିଲେ ।
ଏହି ଦରବାରରେ ଚାଉଳ କ୍ରୟ, ଦରଦାମ ନିୟନ୍ତ୍ରଣ, ଖଜଣା ଛାଡ଼ ତଥା ଉଚ୍ଚଶିକ୍ଷା ପାଇଁ କଲେଜ ସ୍ଥାପନ ଆଦି ଦାବି ପ୍ରତି ରେଭେନ୍ସାଙ୍କ ସମର୍ଥନ ନଥିବାରୁ ଛୋଟଲାଟ ଏହିସବୁ ସମସ୍ୟାକୁ ଅଣଦେଖା କଲେ । ବାଲେଶ୍ୱର ଜମିଦାର ଖଜଣା ତାରିଖ ମାସେ ଘୁଞ୍ଚାଇ ଦେବାକୁ ଅନୁରୋଧ କରିବାରୁ ରେଭେନ୍ସା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ବାଲେଶ୍ୱର କଲେକ୍ଟର ଏଚ. ମସପ୍ରାଟଙ୍କୁ ଚିଠି ଲେଖିଲେ “ତମ ଜିଲ୍ଲାରେ ଯେତେ ଚାଉଳ ଅଛି ବୋଲି ତୁମେ ଭାବୁଛ, ମୁଁ ନିଃସନ୍ଦେହ ଯେ ତା'ଠାରୁ ବେଶୀ ଚାଉଳ ଅଛି । ତମେ କୌଣସିମତେ ନ୍ୟାଯ୍ୟ ବ୍ୟବସାୟରେ ହସ୍ତକ୍ଷେପ କରିବନାହିଁ” । ସେହିପରି ପୁରୀର ଖାଦ୍ୟାଭାବଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ଘଟଣା କଲେକ୍ଟର ବାର୍ଲୋ ରେଭେନ୍ସାକୁ ଜଣାଇବା ପରେ ୧୪ ନଭେମ୍ବର ୧୮୬୫ରେ ସେ ବାର୍ଲୋଙ୍କ କଥାକୁ ଅତିରଞ୍ଜିତ ବୋଲି ଆକ୍ଷେପ କରିବା ସହିତ ଲୋକମାନେ ଅନ୍ୟତ୍ର ଚାଲିଯିବାକୁ ଏବଂ ବୁଢ଼ା ଓ ଅକର୍ମଣ୍ୟ ଲୋକକୁ ସାହାଯ୍ୟ ନକରିବାକୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ । ଖାଦ୍ୟପାଇଁ କାମ ଯୋଜନା ଆରମ୍ଭ କରି ଲୋକଙ୍କୁ ଅଧିକ କାମ ଦେବାପାଇଁ ଲୁଣ ମାରିବା ଅନୁମତି ଦେବାକୁ ରେଭେନ୍ସା ସିଧାସଳଖ ବାର୍ଲୋଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି ଓଲଟି ଚିଠି ଲେଖି ଜଣାଇଲେ ‘ବେଶୀ କାମ ହାତକୁ ନିଅନାହିଁ । ଲୋକେ କାମ ପାଖକୁ ଯିବା କଥା, କାମ ଲୋକ ପାଖକୁ ନୁହେଁ' । ଭୋକିଲା ଲୋକଙ୍କୁ ଦାନା ଦେବାପାଇଁ ବିଚିତ୍ରାନନ୍ଦ ଦାସ ବେସରକାରୀ ଭାବେ ରିଲିଫ କମିଟି ଗଢ଼ି ଖାଦ୍ୟପେୟ ବ୍ୟବସ୍ଥାକୁ ରେଭେନ୍ସା ପରିହାସ କରୁଥିଲେ । ଓଡ଼ିଆ ଜମିଦାରମାନେ ପ୍ରଜାକୁ ଖାଦ୍ୟପାନୀୟ ଦେଲେ ସେମାନଙ୍କ ଉପରେ ଅଧିକ ଖଜଣା ଲାଗୁ କରି ଜମିଦାରୀରୁ ଉଚ୍ଛେଦ କରିଥିଲେ ।
ଅପ୍ରେଲ ୨୦, ୧୮୬୬ରେ ରେଭେନ୍ସା କେମଣା ଫାଣ୍ଡି ନିକଟରେ ଜଣେ ଭୋକିଲାଟିଏ ମଣିଷ ମାଂସ ଖାଉଥିବାର ଦେଖି ଭୋକିଲା ଲୋକର ଖାଇବା କଥା ବୁଝିବା ବଦଳରେ ଡାକ୍ତରୀ ପରୀକ୍ଷା ପାଇଁ ସେ ବାଲେଶ୍ୱର କଲେକ୍ଟରଙ୍କୁ ଚିଠି ଲେଖି ଜଣାଇଥିଲେ । ବାଲେଶ୍ୱରରେ ଅନ୍ନଛତ୍ର ଦେଖୁଥିବାବେଳେ ଲୋକଙ୍କ ଭିଡ଼ରେ ସେ ତଳେ ପଡ଼ିବା ପରେ ବି ବାସ୍ତବ ସ୍ଥିତିକୁ ଗୁରୁତ୍ୱ ନଦେଇ ପୁଣି ମାସକ ପାଇଁ ଶିମିଳିପାଳ ବୁଲିବାକୁ ଚାଲିଗଲେ । ମେ' ୨୫ ତାରିଖରେ ରେଭେନ୍ସା ଶିମିଳିପାଳ ଜଙ୍ଗଲରୁ ବାଘ ଶିକାର ସାରି ଫେରିବା ପରେ କଟକରେ ଚାଉଳ ଅଭାବ ଯୋଗୁଁ ସୈନ୍ୟମାନଙ୍କ ଅସନ୍ତୋଷ ବିଦ୍ରୋହରେ ପରିଣତ ହେଉଥିବାର ଦେଖି ସେ ବାଧ୍ୟହୋଇ ଏକଲକ୍ଷ ଟଙ୍କାର ଚାଉଳ ପଠାଇବାକୁ କଲିକତାକୁ ଚିଠି ଲେଖିଲେ । ଆଶ୍ଚର୍ଯ୍ୟର କଥା, ଚିଠି ମିଳିବା ଦିନ ହିଁ ଚାଉଳ କିଣିବାକୁ ଛୋଟଲାଟ ଆଦେଶ ଦେଲେ । ଏହି ଘଟଣା ପ୍ରମାଣ କରେ, କଲିକତାର ବଙ୍ଗାଳି କିରାଣି ଓଡ଼ିଶାକୁ ଚାଉଳ ରପ୍ତାନିର ବାଧକ ନଥିଲେ, ଥିଲେ ନିଜେ ରେଭେନ୍ସା । ସେ ବାରମ୍ବାର ଚିଠି ଲେଖି ଓଡ଼ିଶାରେ ପ୍ରଚୁର ଚାଉଳ ଅଛି ବୋଲି କଲିକତା ଅଫିସକୁ ଜଣାଉଥିଲେ । ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା ବିଷୟରେ ତାଙ୍କର ସିରସ୍ତାଦାର ବିଚିତ୍ରାନନ୍ଦ ଦାସ ଓ ପୁରୀ କଲେକ୍ଟର ବାର୍ଲୋ ବାରମ୍ବାର ସୂଚାଉଥିଲେ ମଧ୍ୟ ସେ ନିଜର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ ବଦଳାଉନଥିଲେ । କାରଣ ସେ ଓଡ଼ିଶାକୁ ପ୍ରଶାସକ ଭାବରେ ନୁହେଁ, ସ୍ୱାଭିମାନୀ ବିଦ୍ରୋହୀ ଓଡ଼ିଆ ଜାତିର ଅସ୍ତିତ୍ୱ ବିଲୋପ ପାଇଁ ଆସିଥିଲେ । ଦୁର୍ଭିକ୍ଷ ପରେ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ବଳକା ଓଡ଼ିଆଙ୍କ ଉପରେ ଜଳକର, ପଥକର ଓ ଘରକର ଲଗାଇ ଆହୁରି ଆର୍ଥିକ ଶୋଷଣ କରିଥିଲେ ।
ଜଣେ ନୀତିହୀନ, ହିଂସୁକ ଓ ନିର୍ଦ୍ଦୟ ଶାସକ ଭାବରେ ରେଭେନ୍ସାଙ୍କ କ୍ରୁରତା ଯୋଗୁଁ ହା-ଅନ୍ନର ଚିତ୍କାର ଭିତରେ ଭାତ ମୁଠାଏ ପାଇଁ ଗୋଟିଏ ସମୃଦ୍ଧ ଜାତିର ୩୦ଲକ୍ଷ ମୂଲ୍ୟବାନ ଜୀବନ ମାତ୍ର ଆଠମାସ ଭିତରେ ଧ୍ୱଂସ ପାଇଗଲା । ଏଥିସହିତ ଆମର ଶିକ୍ଷା, ସ୍ୱାଭିମାନ, ସଂସ୍କୃତି ଓ ଆର୍ଥିକ ଅବସ୍ଥା ଭୂଲୁଣ୍ଠିତ ହେଲା । ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ହେଉଛି ଗୋଟିଏ ଜାତିର ମେରୁଦଣ୍ଡ । ଓଡ଼ିଶାର ପୁଷ୍ପଗିରି, ସୁରଭଗିରି, ପରିମଳଗିରି ଆଦି ପ୍ରାଚୀନ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏହା ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରି ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ରକ୍ଷାକରି ଓଡ଼ିଶାର ଗୌରବ ବୃଦ୍ଧି କରୁଥିଲା । ଆଧୁନିକ ଶିକ୍ଷାର ଅନ୍ତୁଡ଼ିଶାଳ ଥିବା କଟକ କଲେଜ (ଯାହାକୁ ଚକ୍ରାନ୍ତ କରି ୧୮୮୦ରେ ରେଭେନ୍ସା କଲେଜ ଓ ୨୦୦୬ରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମକରଣ କରାଯାଇଛି) ଆଧୁନିକ ଓଡ଼ିଶା ଗଠନର ଗର୍ବ ଓ ଗୌରବ । ଯେଉଁ କଲେଜର ବିଦ୍ୟାର୍ଥୀ ଦିନେ ବ୍ରିଟିଶ ଗୋଲାମିତ୍ୱକୁ ଅସ୍ୱୀକାର କରି ୟୁନିୟନ ଜ୍ୟାକ୍ ପତାକାକୁ ତଳକୁ ଫିଙ୍ଗି ସ୍ୱାଧୀନତାର ମହାମନ୍ତ୍ର ନାଦ କରିଥିଲେ, ଏବେ ସମୟ ଆସିଛି, କେବଳ ସେହି କଲେଜ ନୁହେଁ, ସମଗ୍ର ଓଡ଼ିଶାର ବିଦ୍ୟାର୍ଥୀ ବ୍ରିଟିଶ ମାନସିକତାକୁ ଓଡ଼ିଶାରୁ ବିଲୋପ କରି ଓଡ଼ିଆ ଅସ୍ମିତାର ଧ୍ୱଜା ଧାରଣ କରିବା । ଏବେ ଆମକୁ ପୁଣି ଥରେ ସେହି ଇତିହାସ ନିକଟକୁ ଫେରିଯିବାର ଅଛି । "ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ'- ମଧୁବାବୁଙ୍କର ଏହି କଥାକୁ ସ୍ମରଣ କରି ସ୍ୱାଭିମାନୀ ଓଡ଼ିଆ ଭାବରେ ପ୍ରଥମେ ଓଡ଼ିଆ ଜାତିର ହତ୍ୟାକାରୀ ରେଭେନ୍ସାର ନାମ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରୁ ବିଲୋପ କରି ପୂର୍ବ ନାମକରଣ ସ୍ଥାପନ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ସହିତ ଓଡ଼ିଶା ପାଇଁ ଓଡ଼ିଆ ନ୍ୟାୟରେ ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ।