ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣା : SITତଦନ୍ତ ନିର୍ଦ୍ଦେଶ ପରେ ଖଲ୍ଲିକୋଟ ଥାନାରେ ପହଞ୍ଚିଲେ ଆର. କେ.ଶର୍ମା

ଖଲ୍ଲିକୋଟ,୧୭/୫ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ବୁଧବାର ରାତିରେ ପୋଷ୍ଟର ମାରିବାକୁ ନେଇ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ କରିବାକୁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ଆଜି ସନ୍ଧ୍ୟାରେ ଖଲ୍ଲିକୋଟ ଥାନାରେ ପହଞ୍ଚିଛନ୍ତି ଏଡିଜିପି ଆର.କେ. ଶର୍ମା। ତାଙ୍କ ସହ ଆଇଜି ଜୟ ନାରାୟଣ ପଙ୍କଜ ମଧ୍ୟ ଥିଲେ । ଉଭୟ ପୋଲିସ ଅଧିକାରୀ ଖଲ୍ଲିକୋଟ ଆଇଆଇସି ନରେଶ ସାହୁଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । 

ଆର. କେ. ଶର୍ମା ଏଠାରୁ ଛତ୍ରପୁର ଅଭିମୁଖେ ବାହାରିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରି ଏସଆଇଟି ଗଠନ ସମ୍ପର୍କରେ ନିଷ୍ପତ୍ତି ନେବେ। ଗତକାଲିର ପୋଲିସ -ଜନତା ଖଣ୍ଡ ଯୁଦ୍ଧ ପରେ ଆଜି ଥାନା ପରିସର ଶାନ୍ତ ରହିଥିଲା । ପୂର୍ବାହ୍ନରେ ଖଲ୍ଲିକୋଟ ପୋଲିସ ଫୋର୍ସ ସହ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛି । ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଘରେ ଶୋକାକୁଳ ପରିବେଶ ଲାଗି ରହିଛି । ବାପା, ମା’, ସ୍ତ୍ରୀ, ଭଉଣୀଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ମୃତ ଦିଲ୍ଲୀପ ପାହାନଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ହତ୍ୟା ପାଇଁ ଦୈତାରୀ ବେହେରାଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଦୈତାରୀ ବେହେରା ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟମଣୀ ବୈଦ୍ୟ ୪ଦିନ ତଳେ ଘରକୁ ଆସିଥିଲେ । ବିଜେପି ଛାଡି ପୁଣି ବିଜେଡିକୁ ଫେରି ଆସିବା ପାଇଁ କହିଥିଲେ । କିନ୍ତୁ ସ୍ୱାମୀ ଓ ଶ୍ୱଶୁର ବିଜେଡିକୁ ଫେରିବା ପାଇଁ ମନା କରିଦେଇଥିଲେ । ତା’ପରେ ଏଭଳି ଘଟଣା ଘଟିଲା । ବାପା ରାମ ପାହାନ ପୁଅର ହତ୍ୟା ଘଟଣାରେ ଦୈତାରୀ ବେହେରା ଓ ରାଣୀଙ୍କ ପୁତୁରା ଡାକ୍ତର ସାକେତଙ୍କୁ ଦାୟୀ କରିଛନ୍ତି । 

କିନ୍ତୁ ଦୈତାରୀ ବେହେରାଙ୍କୁ ପଚାରିବାରୁ ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ ରାମ ପାହାନଙ୍କ ପରିବାର ବିଜେଡିରେ ଦୀର୍ଘ ବର୍ଷ ଧରି ଥିଲେ ଏବଂ ତାଙ୍କର ଆମ ଦଳ ପ୍ରତି ଯଥେଷ୍ଟ ଅବଦାନ ରହିଛି । ତାଙ୍କ ପରିବାରରେ ଏଭଳି ଅଘଟଣ ଘଟିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ଏହି ହତ୍ୟା ଘଟଣାରେ ପୋଲିସ ଗତକାଲି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ରାତିରେ ଜିତେନ୍ଦ୍ର ତରେଇ ନାମକ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ହତ୍ୟା ଘଟଣାରେ ଏ ପର୍ଯ୍ୟନ୍ତ ପୋଲିସ ୯ଜଣଙ୍କୁ ଗିରଫ କରିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.