ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି

ଭୁବନେଶ୍ୱର/ଚଣ୍ଡିଖୋଲ,୦୪/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ତାରିଖରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆସୁଛନ୍ତି । ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ସହ ବିଜେପିର ବିଶାଳ ସମାବେଶକୁ ସମ୍ବୋଧିତ କରିବେ ମୋଦି । ନିର୍ବାଚନ ବିଗୁଲ୍‌ ବାଜିବା ଆଗରୁ ମୋଦିିଙ୍କ ଏହି ହାଇଭୋଲଟେଜ୍‌ ଗସ୍ତକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ୮ ଥାକିଆ ରାସ୍ତା ନିମନ୍ତେ ଶିଳାନ୍ୟାସ କରିବେ । ସେହିଭଳି ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ରର ଅନେକ ପ୍ରକଳ୍ପକୁ ମୋଦି ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ଅଛି । ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପାରେସନ୍‌ ଲିମିଟେଡ୍‌ ମନୋଇଥିଲିନ୍‌ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ଭାରତର ଆମଦାନୀ ନିର୍ଭରଶୀଳତାକୁ କମାଇବାରେ ସହାୟକ ହେବ । ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ଯାଏ ୩୪୪ କିମି ଲମ୍ବାର ପାଇପ୍‌ଲାଇନକୁ ମଧ୍ୟ ସେ ଉଦ୍‌ଘାଟନ କରିବେ ।

ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ୪୦ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ । ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ପାଖ ପଡ଼ିଆରେ ଆୟୋଜିତ ଦଳୀୟ ସଭାରେ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ମୋଦିଙ୍କ ସଭାରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କର ସମାଗମ ହେବ ବୋଲି ବିଜେପି ଆକଳନ କରିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରରୁ ଲୋକେ ଆସି ଏହି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା ପାଇଁ ରାଜ୍ୟସ୍ତରୀୟ ନେତାମାନେ କାର୍ଯ୍ୟକ୍ରମ ସ୍ଥଳକୁ ଘନ ଘନ ଗସ୍ତ କରି ତଦାରଖ କରୁଛନ୍ତି । ବିଜେପି ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତା ଶନିବାର ସନ୍ଧ୍ୟାରେ ସଭାସ୍ଥଳକୁ ଆସି ସମୀକ୍ଷା କରି ଫେରିଛନ୍ତି ।

ଦେଶର ପୂର୍ବ ଉପକୂଳରେ ଆମଦାନୀ ଭିତ୍ତିଭୂମି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ପାରାଦୀପରେ ୦.୬ ଏମଏମ୍‌ଟିପିଏ ଏଲପିଜି ଆମଦାନୀ ସୁବିଧାର ଉଦ୍‌ଘାଟନ କରିବେ । ଏହି ଅଞ୍ଚଳରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ୪୯ନଂ ଜାତୀୟ ରାଜପଥର ସିଙ୍ଗଡ଼ାରୁ ବିଞ୍ଜାବାହାଲ ସେକ୍ସନ ଯାଏ ଚାରି ଲେନ୍‌, ୪୯ନଂ ଜାତୀୟ ରାଜପଥର ବିଞ୍ଜାବାହାଲରୁ ତିଲେଇବଣୀ ସେକ୍ସନ ଯାଏ ୪ ଲେନ୍‌, ୧୮ ନଂ ଜାତୀୟ ରାଜପଥର ବାଲେଶ୍ୱର-ଝାରପୋଖରିଆ ସେକ୍ସନକୁ ୪ ଲେନ୍‌ ଏବଂ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ-ଭୁବନେଶ୍ୱର ସେକ୍ସନକୁ ୪ ଲେନ୍‌ ବିିଶିଷ୍ଟ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ସେହିଭଳି ରେଳ ସଂଯୋଗର ଆଧୁନିକୀକରଣ ଓ ସମ୍ପ୍ରସାରଣ କରାଯିବ । ୧୬୨ କିଲାମିଟର ବାଂଶପାଣି-ଦୈତାରୀ-ଟମ୍‌କା-ଜଖପୁରା ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ରେଳ ନେଟୱର୍କକୁ ସୁଦୃଢ଼ କରିବା ସହ କେନ୍ଦୁଝର ଜିଲ୍ଲାରୁ ପାଖ ବନ୍ଦର ଓ ଇସ୍ପାତ କାରଖାନାକୁ ଲୁହା ଓ ମାଙ୍ଗାନିଜ ପଥରର ପରିବହନକୁ ସହଜ କରିବ । ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ପ୍ରକଳ୍ପ ବେଶ୍‌ ଗୁରୁତ୍ୱ ବହନ କରୁଛି ।

ଘରୋଇ ଓ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରୋତ୍ସାହନ ପାଇଁ କଳିଙ୍ଗନଗରରେ କନକୋର୍‌ କଣ୍ଟେନର ଡିପୋର ଉଦ୍‌ଘାଟନ ହେବ । ନର୍ଲାଠାରେ ଇଲେକ୍ଟ୍ରିକ୍‌ ଲୋକା ପିରିଓଡିକାଲ ଓଭର ହୌଲିଙ୍ଗ ୱାର୍କସପ୍‌, କଣ୍ଟାବାଞ୍ଝିରେ ୱାଗନ୍‌ ପିରିଓଡିକାଲ୍‌ ଓଭରହୌଲିଙ୍ଗ ୱାର୍କସପ୍‌ ଓ ବାଘୁଆପାଳରେ ରକ୍ଷଣାବେକ୍ଷଣ ସୁବିଧାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ନୂଆ ଟ୍ରେନ୍‌ର ଶୁଭାରମ୍ଭ ସହ ଅନ୍ୟ ରେଳ ପ୍ରକଳ୍ପ ହାତକୁ ନିଆଯିବ । ସେହିଭଳି ଆଇଆରଇଏଲ୍‌ (ଆଇ) ଲିମିଟେଡର ଓଡ଼ିଶା ସ୍ୟାଣ୍ଡସ କମ୍ପେ୍ଲକ୍ସରେ ୫ ଏମ୍‌ଏଲଡି କ୍ଷମତା ବିଶିଷ୍ଟ ସମୁଦ୍ର ଜଳ ଡିସାଲିନେସନ ପ୍ଲାଣ୍ଟକୁ ମୋଦି ଉଦ୍‌ଘାଟନ କରିବେ । ଭାବା ପରମାଣୁ ଗବେଷଣା କେନ୍ଦ୍ର ଦ୍ୱାରା ସ୍ୱଦେଶୀ ଟେକ୍ନୋଲୋଜିରେ ଏହାକୁ ବିକାଶ କରାଯାଇଛି । 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ୩ଟି ଅସ୍ଥାୟୀ ହେଲିପ୍ୟାଡ୍‌ ତିଆରି ହୋଇଛି । ଆଜି ପରୀକ୍ଷାମୂଳକ ଭାବେ ବାୟୁସେନାର ହେଲିକପ୍ଟର ହେଲିପ୍ୟାଡ୍‌ରେ ଅବତରଣ କରିଥିଲା । ସଭାସ୍ଥଳ ଓ ହେଲିପ୍ୟାଡକୁ କେନ୍ଦ୍ରୀୟ ଟିମ୍‌ ନିଜ ଅକ୍ତିଆରକୁ ନେବା ସହ ବମ୍‌ ସ୍କ୍ୱାଡ୍‌ ଓ ଡଗ୍‌ ସ୍କ୍ୱାଡ୍‌ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ତଦାରଖ କରାଯାଇଥିଲା । ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଚଣ୍ଡିଖୋଲ ଡାକବଙ୍ଗଳାରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଉଭୟ ସରକାରୀ ଓ ଦଳୀୟ ସଭା ସ୍ଥଳରେ ପହଞ୍ଚି ତଦାରଖ କରିଥିଲେ ।

ଡିଜିପିଙ୍କ ସୂଚନା ମୁତାବକ, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂଙ୍କ ସମେତ କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଓ କଟକ ଏସ୍‌ପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ହଜାରରୁ ଅଧିକ ପୁଲିସ ଫୋର୍ସ, ୫ଟି ବୋମା ନିଷ୍କ୍ରିୟକାରୀ ଦଳ ସହ ମେଡିକାଲ ଟିମ୍‌, ଦମକଳ ବାହିନୀ ଆଦିଙ୍କୁ ନିୟୋଜିତ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରୁ ଆସୁଥିବା ଲୋକମାନେ କୁନ୍ଦଳ ଓ ଶାନ୍ତିପୁର ନିକଟରେ ହୋଇଥିବା ପାର୍କିଂ ସ୍ଥଳରେ ନିଜ ଗାଡ଼ି ରଖିବେ । କଣ୍ଟିଗଡ଼ିଆ ଠାରୁ ବେଣାପୁର ପର୍ଯ୍ୟନ୍ତ ହୋଇଥିବା ପାର୍କିଂ ସ୍ଥଳରେ ନିଜ ଗାଡ଼ି ପାର୍କିଂ କରିବେ । କୌଣସି ବି ପରିସ୍ଥିତିରେ ସଭାସ୍ଥଳକୁ ଦୁଇ ଚକିଆ ଓ ୪ ଚକିଆ ଗାଡ଼ି ଛଡ଼ାଯିବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.