ଏହି ଆଲେଖ୍ୟରେ ମୁଁ ଉପସ୍ଥାପକ ମାତ୍ର । ଜୀବନ ପରିସରରେ, ଜଣା ଅଜଣା ମଣିଷମାନଙ୍କ ଠାରୁ ଶୁଣିଥିବା ଅସଂଖ୍ୟ ପ୍ରଶ୍ନମାନଙ୍କ ମଧ୍ୟରୁ ଅଳ୍ପ କେତୋଟି ଏଠାରେ ଅବତାରଣା କରାଯାଇଛି । "ଗଣ' ଦ୍ୱାରା ନିକ୍ଷେପିତ ଧାରଯୁକ୍ତ ଅସ୍ତ୍ରସଦୃଶ ଦୁରୂହ ଯକ୍ଷ ପ୍ରଶ୍ନଗୁଡିକର ସମୁଚିତ ଉତ୍ତର ପ୍ରଦାନ ମୋ ପକ୍ଷରେ ସମ୍ଭବ ହୋଇନାହିଁ । ପ୍ରଶ୍ନକର୍ତ୍ତାମାନଙ୍କୁ କୌଣସି ଆଶ୍ୱାସନା ଦେବାର ଛଳନା ପରିବର୍ତ୍ତେ ମୁଁ ଆଜି "ଗଣ'ର ଅଂଶ ଭାବରେ ଜନତା ଜନାର୍ଦ୍ଦନଙ୍କ ଠାରୁ ସତ୍ୟନିଷ୍ଠ ଉତ୍ତର ଖୋଜୁଛି । ପ୍ରଶ୍ନସବୁ ଆମ ପ୍ରଚଳିତ ଜୀବନଧାରା, ସଂସ୍କାର, ଚିରନ୍ତନ ମୂଲ୍ୟବୋଧ, ମାନବିକତା ତଥା ଧର୍ମଧାରଣା ସହ ଓତପ୍ରୋତ ଭାବେ ଜଡ଼ିତ ।
ରାଜନୀତି ରଙ୍ଗମଞ୍ଚରେ ଶାସକ ଓ ବିରୋଧୀ ପକ୍ଷ କ'ଣ ପରସ୍ପର ସହ ଅହି-ନକୁଳ ସମ୍ପର୍କରେ ଅନୁବନ୍ଧିତ? ଶାସକ ଦଳ ଯାହା କହେ, ଯାହା କରେ ସେ ସବୁ କ'ଣ କେବଳ ଅର୍ଥହୀନ ପ୍ରଳାପ? ଅନ୍ୟପକ୍ଷରେ, ବିରୋଧୀ ଯେତେ ସମାଲୋଚନା କରନ୍ତି ସେସବୁ କ'ଣ ମୂଲ୍ୟହୀନ ବିଳାପ? ନିର୍ବାଚନରେ ଦଳମାନଙ୍କର ସ୍ଥାନ ପରିବର୍ତ୍ତନ ଘଟିଲେ ମଧ୍ୟ ବାଚାଳ ବାଗ୍ମିତା ଜାରି ରହେ, ଭାଷା ବଦଳେନାହିଁ କିମ୍ବା ଭାବରେ କିଛି ନୂତନତା ଆସେନାହିଁ । "ଆମେ ଠିକ୍, ତୁମେ ଭୁଲ୍', "ତୁମେ ଭୁଲ୍ ଆମେ ଠିକ୍', ପାଲା କି ଯାତ୍ରା ସଙ୍ଗୀତର ପହଳି ଭଳି ଘଷରା ଫଟା ରେକର୍ଡ ଢଙ୍ଗରେ ବାଜି ଚାଲିଥାଏ । ରାଜନୀତିର ଧର୍ମ ମନ୍ଦିରରେ ପ୍ରତ୍ୟେକ ସଦସ୍ୟ ଦେଶର, ଅଗଣିତ ଜନତାର ନିରନ୍ତର ସେବା ନିମିତ୍ତ ଜନାଦେଶ ପାଇଥିବା ଦୃଷ୍ଟିରୁ ସେମାନେ ସମଗ୍ର ଲୋକସଂଖ୍ୟାର ପ୍ରତିନିଧି ଅଟନ୍ତି । ସେଥିରେ ବିଭାଜନ, ବିରୋଧ ଇତ୍ୟାଦିର ସ୍ଥାନ କେଉଁଠି ରହିଲା? ଏହି ପ୍ରଶ୍ନର ସମୁଚିତ ଉତ୍ତର ମାଗୁଥିଲେ ଜଣେ ବୃଦ୍ଧ ଶିକ୍ଷକ । ଗୁରୁଜନ ସ୍ଥାନୀୟ ଜଣେ ସଂସ୍କୃତ ପଣ୍ଡିତ ଦୁଃଖ କରୁଥିଲେ ଯେ, ଆମ ଜନ ପ୍ରତିନିଧିମାନେ ଦଳ ମତ ନିର୍ବିଶେଷରେ ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି, ଆପଣା କର୍ମକ୍ଷେତ୍ରରେ ଏବଂ ସର୍ବସାଧାରଣରେ । ଏହା ସଭ୍ୟତାର ଅବକ୍ଷୟ ସୂଚିତ କରୁଛି । ଏହି ଦୋଷରୁ କୌଣସି ଦଳ, କେହି ବ୍ୟକ୍ତି ମୁକ୍ତ ଥିଲାଭଳି ପରତେ ଆସୁନାହିଁ । "ପାଠୁଆ' ଲୋକ ଯଦି କିଛି ନକହିବେ, କିଛି ନକରିବେ ତେବେ ଦେଶ ବଞ୍ଚିବ କାହାକୁ ଆଶ୍ରୟ କରି?
ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି, ଯାହାଙ୍କର ପିଲାମାନେ ସ୍କୁଲ କଲେଜରେ ଅଧ୍ୟୟନରତ, ବିଷାଦଭରା ସ୍ୱରରେ କହିଲେ- ପୂର୍ବକାଳରେ ପିଲାମାନେ ପୁରାଣ ଶାସ୍ତ୍ରରୁ, କଥା କାହାଣୀରୁ, ଦେଶର ଇତିହାସ କିମ୍ବା ଲୋକକଥାରୁ ଆପଣାର ଆଦର୍ଶ ଚରିତ୍ର ଖୋଜି ପାଉଥିଲେ । ଆଜିକାଲି ସିନେମାରୁ ଆଖି ଝଲସି ଯାଉଥିବା ରଙ୍ଗିଲା ଚରିତ୍ର, ନୋହିଲେ ରାଜନୀତିର ମାୟା ଅରଣ୍ୟରୁ ଆପଣା ପସନ୍ଦର ମୂର୍ତ୍ତି ଚୟନ କରାଯାଉଛି । ଏହା ପଛରେ ରହିଛି ନୀତି ଅନୀତିର ପ୍ରଭେଦ ବିଭେଦକୁ ନିରୁଦବେଗ ହୋଇ ମନରୁ, କର୍ମରୁ ଓ ବିବେକରୁ ଫୋପାଡ଼ିଦେବା ନିମିତ୍ତ ଉଦ୍ଗତ ଇଚ୍ଛା ଏବଂ ସହଜରେ ରାତାରାତି ବଡ଼ଲୋକ ପାଲଟି ଯିବାର ଶତଜିହ୍ୱା ଲାଳସା । ଶାନ୍ତିରେ ଭୋଜନ କରୁଥିବା ଶାଗ ପଖାଳ ସ୍ତରରୁ ମାଙ୍କଡ଼ ଡିଆଁ ମାରି ପଳାନ୍ନ ଭୋଜିରେ କେମିତି ହେଲେ ହାଜର ହୋଇଗଲେ ଜୀବନ ସଫଳ ହେଲା ବୋଲି ବୁଝିବାକୁ ହେବ, ଏହାହିଁ ଅଧୁନା ଜୀବନର ବିଷାକ୍ତ ଆଭିମୁଖ୍ୟ । ଉପାୟ ଚୟନରେ ପ୍ରତିଶ୍ରୁତି, ପ୍ରତାରଣା, ପ୍ରାର୍ଥନା, ପ୍ରବଚନ, ପ୍ରବଞ୍ଚନା ଠାରୁ ହିଂସା ଓ ରକ୍ତପାତ ଯାଏଁ ସବୁ ଚଳିବ ।
ଥରେ ଜଣେ ମନ୍ଦିରରେ ପୂଜକ ଥିବା ବିଦ୍ୱାନ ଓ ବର୍ଷୀୟାନ ବ୍ୟକ୍ତି ପଚାରିଲେ, ଆମ ଦେଶରେ କ'ଣ ଆମ ଧର୍ମଗ୍ରନ୍ଥ ସ୍କୁଲ କଲେଜରେ ଆମ ପିଲାମାନଙ୍କୁ ପଢ଼ାଯିବା ଆମର ଆଇନସମ୍ମତ ଅଧିକାର ନୁହେଁ? ସବୁ ଧର୍ମର ପିଲାଏ ନିଜ ନିଜ ଧର୍ମର ମୂଳପାଠ ପଢ଼ିଲେ ସିନା ନୀତିଶିକ୍ଷା ପାଇବେ, ସୁନାଗରିକ ହେବେ, ଦେଶ ଗଢ଼ିବେ³ ଦୟା, କ୍ଷମା, କରୁଣା, ଶ୍ରଦ୍ଧା, ମମତା, ସ୍ନେହ, ପ୍ରେମ, ସହୃଦୟତା ଭଳି ସମ୍ବେଦନଶୀଳ ମାନବଧର୍ମୀ ସୂକ୍ଷ୍ମ ଅନୁଭବ ଜାଣିବେ । ପ୍ରକୃତରେ କ'ଣ ସନାତନ ଧର୍ମର ଗୀତା, ଭାଗବତ, ମହାଭାରତ, ରାମାୟଣ ପିଲାଙ୍କୁ ଶିକ୍ଷାନୁଷ୍ଠାନରେ ପଢ଼ା ହେଉନାହିଁ? ମହାମନୀଷୀଗଣ ଏହି ଅମୂଲ୍ୟ ଗ୍ରନ୍ଥ ରଚନା କରି ସମଗ୍ର ମଣିଷ ସମାଜକୁ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ, ସତପଥର ଯାତ୍ରୀ ହେବା ଉଦ୍ଦେଶ୍ୟରେ ବୃହତ ନୈତିକ ସମ୍ବିଧାନ ଏବଂ ସତ୍ୟନିଷ୍ଠ ଆଚାର ସଂହିତା ପ୍ରସ୍ତୁତ କରିଯାଇଛନ୍ତି । ଅଥଚ ଆମ ପିଲାଏ ଏଇସବୁ ପଢ଼ି ଜ୍ଞାନଲାଭ କରିବାରୁ ବଞ୍ଚିତ ହେଲେ ପରିଣତି ବିଷମୟ ହେବ ହିଁ ହେବ । ଘର ଭାଙ୍ଗିବ, ସମାଜ ଖଣ୍ଡିତ ହେବ, ଦେଶ ଉଜୁଡ଼ିଯିବ, ମାନବିକତା ଧ୍ୱଂସ ପାଇଯିବ, ପରିଶେଷରେ ପ୍ରଳୟ ଘଟିବ । ଋଷି ବାକ୍ୟ ଅନ୍ୟଥା ହେବନାହିଁ । ସରକାରୀ ଚାକିରିରୁ ଅବସର ପରେ ଗାଁ ଘରେ ରହୁଥିବା ଏବଂ ଓଡ଼ିଆ, ଇଂରାଜୀ ଖବରକାଗଜକୁ ଶିରୋନାମା ଠାରୁ ଆରମ୍ଭ କରି ମୁଦ୍ରାକର, ପ୍ରକାଶକ ପରିଯନ୍ତେ ନିଠେଇ ପଢୁଥିବା ଜଣେ ବ୍ୟକ୍ତି ପ୍ରଶ୍ନ କରନ୍ତି, ସବୁଦିନେ ପ୍ରକାଶ ପାଉଛି ବିଭିନ୍ନ ଧର୍ମ, ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଫସାଦ ଘଟଣା । ସେସବୁର କାରଣ ଭାବରେ କୁହାଯାଏ ଯେ, କେଉଁଠି ବିଭିନ୍ନ ଧର୍ମର ପୂଜା ପ୍ରାର୍ଥନା ସ୍ଥଳଗୁଡ଼ିକର ଅନୁଚିତ ଦୂରତାବିହୀନ ସହାବସ୍ଥାନ, ଅଥବା ସେହିପରି କିଛି । ସମସ୍ତେ ଜାଣନ୍ତି ଯେ ଏହି ପ୍ରକାରର ନିର୍ମାଣ ଏକଦା ଶକ୍ତିଶାଳୀ, ଧର୍ମାନ୍ଧ, ବିଧର୍ମୀ ଶାସକମାନଙ୍କ ଦ୍ୱାରା କରାଯାଇଥିଲା, ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଅପମାନିତ କରିବା ନିମିତ୍ତ । ଯୁଗ ବିତିଯିବା ପରେ, ଆଧୁନିକ ଶିକ୍ଷା, ସଂସ୍କାର, ପ୍ରଗତିର ଧାରା ସମସ୍ତଙ୍କୁ ମିଳିବା ପରେ ଏଯାବତ୍ ଲୋକସଂଖ୍ୟାର ଏକ ବଡ଼ ଭାଗ ଐତିହାସିକ ଅନ୍ଧତ୍ୱର ରୁଗ୍ଣ ମାନସିକତାରେ ଆକ୍ରାନ୍ତ, ଏହା ଅତ୍ୟନ୍ତ ପରିତାପର ବିଷୟ । ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ ସନାତନ ହିନ୍ଦୁ ଧର୍ମକୁ ଛାିଦେଲେ ମାନବ ସଭ୍ୟତାରେ ଅଧିକ ପୁରାତନ ଅନ୍ୟ କୌଣସି ଧର୍ମ ନାହିଁ ।
ଭାରତକୁ ବିଦେଶୀ ଧର୍ମଗୁଡ଼ିକ ବିଭିନ୍ନ ସମୟରେ, ଅନେକ କାରଣରୁ ଆମଦାନୀ ସୂତ୍ରରେ ଆସିଛି । ସନାତନୀ ଭାରତୀୟମାନଙ୍କର ଅପୂର୍ବ ଶାନ୍ତ ଜୀବନ ଆଦର୍ଶ ଓ ସହନଶୀଳତା ସବୁ ଧର୍ମକୁ ବିନା ବିରୋଧରେ ସହାବସ୍ଥାନର ସୁଯୋଗ ପ୍ରଦାନ କରିଛି । ହିନ୍ଦୁ ଧର୍ମରେ ହିଂସା, ପ୍ରତିହିଂସା ଏବଂ ଧର୍ମାନ୍ଧତା କେବେ ନଥିଲା, ଆଜି ମଧ୍ୟ ନାହିଁ । ଅର୍ଥାତ୍, ଭାରତ ଭୂଖଣ୍ଡର ସମସ୍ତ ମୂଳ ଅଧିବାସୀ ଏକଦା ସନାତନ ହିନ୍ଦୁ ଧର୍ମର ଅଂଶ ଥିଲେ । ଯେହେତୁ ସମସ୍ତଙ୍କର ଈଶ୍ୱର ନିଶ୍ଚିତ ଭାବରେ ଏକ ଓ ଅଭିନ୍ନ, ଯେହେତୁ ଆମେ ସମସ୍ତେ ଏକଦା ସମାନ ବୃକ୍ଷର ଶାଖା ପ୍ରଶାଖା ଥିଲୁ, ଯେହେତୁ ଆମେ ଜାଣୁ ଯେ ଇତିହାସର ଅନେକ ଘଟଣା ପଛରେ ନୀତି ନୁହେଁ, ବରଂ ଅସୂୟା ଓ ଅହଂକାର ମୂଳ କାରଣ ହୋଇଛି, ସଂଖ୍ୟାଲଘୁ ସମ୍ପ୍ରଦାୟର ବୁଦ୍ଧିମାନ ତଥା ବିବେକୀ ଲୋକେ ବୃହତ୍ତର ଜନସମାଜର ଧାର୍ମିକ ଭାବନାକୁ ବୁଝି ବିଚାରି, ଧର୍ମାନ୍ଧ ଶାସକବର୍ଗ ଅତୀତରେ ଯେଉଁ ଘୃଣିତ କର୍ମ କରିଥିଲେ, ସେସବୁର ସମୁଚିତ ସଂଶୋଧନ କରିବା ଉଚିତ । ତେବେ ଯାଇ ପ୍ରକୃତ ଭାଇଚାରା ସୃଷ୍ଟିହେବ । ନୋହିଲେ ଚିରକାଳ ଏହି ସାମ୍ପ୍ରଦାୟିକ ସର୍ପ ଦଂଶନର ବିଷଜ୍ୱାଳାରେ ଦେଶ ଜଳୁଥିବ ।
ଟେଲିଭିଜନରେ ଚିତ୍ର ଦେଖି ଚମତ୍କୃତ ହେଉଥିବା ସାଧାରଣ ମଣିଷଟିର ସରଳ ପ୍ରଶ୍ନ ମୋତେ ଆତଙ୍କିତ କରିଦେଲା । ସଂସଦ ଭବନ କିମ୍ବା ବିଧାନସଭା ଅଧିବେଶନର ସିଧା ପ୍ରସାରଣ ଦେଖି ଅସନ୍ତୁଷ୍ଟ ମନେହେଉଥିବା ମଳିମୁଣ୍ଡିଆ ଲୋକଟି ଯାହା ପଚାରିଦେଲା, ତା'ର ଭାବ ଓ ଅର୍ଥ ଥିଲା: ସଂସଦ ତଥା ବିଧାନସଭାରେ ଯେଉଁ ସଦସ୍ୟଗଣ ପଛଧାଡ଼ିରେ ବସି କେବଳ ହୋ' ହଲ୍ଲା କରୁଛନ୍ତି, ଗୃହର ମଧ୍ୟଭାଗକୁ ମାଡ଼ିଆସି ଭଙ୍ଗାରୁଜା କରୁଛନ୍ତି, ଅଧିବେଶନ ଓ ଆଲୋଚନାକୁ ଭଣ୍ଡୁର କରୁଛନ୍ତି, ସେମାନଙ୍କ ମୁହଁଟିମାନ କାହିଁକି ସାଧାରଣ ଜନତାର ଗୋଚରାର୍ଥେ ପ୍ରଦର୍ଶନ କରାଯାଉନାହିଁ । ଆମେ ଦେଖିବା କଥା ଆମର ନିର୍ବାଚିତ ଜନପ୍ରତିନିଧିମାନେ କେଉଁଭଳି ଜନତାର ସେବାରେ ଆପଣାର ସମୟ ଓ ବୁଦ୍ଧିର ସଦୁପଯୋଗ କରୁଛନ୍ତି । ଏପରି କରୁଥିବା ସଦସ୍ୟମାନଙ୍କ ପ୍ରତି କଠାର ଦଣ୍ଡବିଧାନର ବ୍ୟବସ୍ଥା ଅଛି କି ନାହିଁ? ଶୁଣିଛି, ଏମାନେ ବହୁତ ଦରମା ନିଅନ୍ତି, ପେନସନ ପାଆନ୍ତି, ପରିବାର ଲାଗି ସବୁ ସୁଖ ସୁବିଧା ମଧ୍ୟ ମିଳିଥାଏ । ଆଜ୍ଞା! ଇଏ କ'ଣ ଚାକିରି? କେଉଁ ପାଠ କେଉଁ ସ୍କୁଲରୁ ପଢ଼ିଥିଲେ ଏମିତି ଚାକିରି ମିଳିଯାଏ? ଲୋକ ଜୀବନସାରା ଖଟି ଖଟି ପେନ୍ସନ ଗଣ୍ଡାକ ଲାଗି ବାର ଦ୍ୱାର ବୁଲୁଛି, ଅକଳରେ ପଡ଼ି ଲାଞ୍ଚ ଦେଉଛି । ଏଡ଼େ ଏଡ଼େ ମଣିଷ ଗୁଡ଼ାକ ଯଦି ଏପରି ବ୍ୟବହାର କରିବେ ତେବେ ଦେଶ ଚାଲିବ କେମିତି? କିଛି ନକୁହ ପଛକେ, ଦି'କଥା ଶୁଣିଲେ ତୁମର ବୁଦ୍ଧି ଜ୍ଞାନ ତ ବଢ଼ିବ । ସେତକ ସାଧୁତା ନାହିଁ । କିଏ କ'ଣ ୟାଙ୍କୁ ଗୁଆ ନଡ଼ିଆ ଦେଇ ଡାକୁଥିଲା ଆସ ଆସ, ସମ୍ଭାଳ ଦେଶ, ଆମ ରକ୍ତ ଶୋଷ । ସେଇ ପଙ୍ଗପାଳ ଦଳ ଆଜି ଫୁଲି ଫାଟି ପଡୁଛନ୍ତି, ଆଉ ଆମେ ନିତି କୂଅ ଖୋଳିଲେ ମୁନ୍ଦେ ପାଣି ପିଇବୁ । କେଉଁ ପ୍ରକାରର ନ୍ୟାୟ ଇଏ?
ଦିନ ଦି'ପହରଟାରେ ଟାଙ୍କିଏ ପିଇଦେଇ ଟୁଳ ଟୁଳ ହେଉଥିବା ଲୋକଟି କହିଲା, ନିର୍ବାଚନ ଆସିଲେ ପଟୁଆରରେ ଯିବାକୁ ବହିନା ଆସେ । ସବୁଦିନେ ପତାକା ଖଣ୍ଡେ ଧରି କିଛି ବାଟ ଚାଲିଗଲେ, ଦିନ ମଜୁରିରୁ ଅଧିକ ମିଳେ । ମାଂସ ତରକାରୀ ନୋହିଲେ ବିରିୟାନି ଖାଇବାକୁ ତ ମିଳେ, ମାଲ ବି ମିଳେ, ଦେଶୀ ବିଦେଶୀ । ଶେଷଦିନକୁ ରାତିଅଧିଆ ଟଙ୍କା ବାଣ୍ଟ ହୁଏ । କେତେ ଜାଗାରେ ରେସନ କାର୍ଡ ଦେଖାଇଲେ ଟଙ୍କା ମିଳିଥାଏ । କେତେ ନିର୍ବାଚନ ଆସିଲାଣି, ଗଲାଣି । ଆମ ଅବସ୍ଥାରେ କିଛି ସୁଧାର ଆସିବାର ନାହିଁ । ମଜା କଥା ହେଲା ଯିଏ ଆମକୁ ବେଶୀ ପଇସା ଦିଏ ଆମେ ତାକୁ ଭୋଟ ଦେଇନଥାଉ । ଆମ ପଇସା ଆମକୁ ଦେଇ ସିଏ ଆଜି ଆମକୁ ଯେଉଁ ଗାତରେ ଥିଲୁ ସେଇଠି ପକେଇ ରଖିଛି । ଭୋଟ କାହିଁକି ତାକୁ ଦେବୁ? ପରଦୁଆରେ ବାର ପାଇଟି ଖଟି ପେଟ ପୋଷୁଥିବା ମହିଳା ଜଣକ ଆପଣା ଗୀତ ଗାଇଗଲା । ପାଟହାତୀ ବୁଲି ବୁଲି ଯାହା ମୁଣ୍ଡରେ ସୁନା କଳସ ଢାଳିଲା ସିଏ ମୁକୁଟ ପିନ୍ଧିଲା । ଯିଏ ଦି'ପଇସା ଦେଲା ଆମେ ନେଲୁ । ଆମ ମନ ଯାହାକୁ ହେଲା ତାକୁ ଭୋଟ ଦେଲୁ । ଆମେ ନିଜ ମନର ରାଜା ।
ଧ୍ୟାନ ଦିଅନ୍ତୁ । "ଗଣ' ମୂକ କି ବଧିର ନୁହେଁ । ତାହାର ଦୃଷ୍ଟିଶକ୍ତି ମଧ୍ୟ ପ୍ରଖର । ସେ "ତନ୍ତ୍ର, ଯନ୍ତ୍ର, ମନ୍ତ୍ର' ସବୁ ବୁଝିପାରେ । ତା'ର ପ୍ରଶ୍ନ, ସାଧାରଣ ମଣିଷର ପ୍ରଶ୍ନ । ବୃହତ୍ତର ପରିପ୍ରେକ୍ଷୀରେ ଏହା ଗଣତନ୍ତ୍ରର ଜୀବନୀଶକ୍ତି ସମ୍ବନ୍ଧିତ ମୌଳିକ ପ୍ରଶ୍ନ, ଯାହାର ସମୁଚିତ ଉତ୍ତର ଆହରଣ ବିନା ଗଣତନ୍ତ୍ର ବିପନ୍ନ ହେବା ଅସମ୍ଭବ ନୁହେଁ । ଆସନ୍ତା ପିଢ଼ିର ମଣିଷମାନେ ଏହି ପ୍ରଶ୍ନମାନଙ୍କର ସନ୍ତୋଷଜନକ ଉତ୍ତର ଖୋଜି ପାଇବାକୁ ନିଷ୍ଠାପର ଉଦ୍ୟମ ଜାରି ରଖିବେ ବାଲି ସଦା ନିରୁତ୍ତର ଲେଖକ ଆଶା ପୋଷଣ କରେ ।