ଭଦ୍ରକ,୨୬/୦୯: ଆରପାରିରେ ବିଶିଷ୍ଟ ଜନନେତା ତଥା ସମାଜସେବୀ ଲକ୍ଷ୍ମୀନାରାୟଣ ମହାପାତ୍ର । ଭଦ୍ରକର ସମ୍ମାନ ଓ ସ୍ୱାଭିମାନ ପାଇଁ ସବୁବେଳେ ଲଢ଼େଇ କରୁଥିବା ଲକ୍ଷ୍ମୀନାରାୟଣ ଆଉନାହାନ୍ତି । ୨୦ ଦିନ ତଳେ ପତ୍ନୀଙ୍କୁ ହରାଇଥିଲେ । ୮ ଦିନ ତଳେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଦିନ ହେଲା ଆଇସିୟୁରେ ଥିଲେ । ବୁଧବାର ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।
ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ବିୟୋଗରେ ,ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ପ୍ରକାଶ କରିଛନ୍ତି । କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଜଣେ ସାଲିସବିହୀନ ଛାତ୍ରନେତା ଭାବେ ଲକ୍ଷ୍ମୀନାରାୟଣ ପରିଚିତି ଲାଭ କରିଥିଲେ । ଭଦ୍ରକର ହକ୍ ପାଇଁ ସର୍ବଦା ନିଜ ଲଢେଇ ଜାରି ରଖିଥିଲେ । ତାଙ୍କ ବିୟୋଗରେ ଭଦ୍ରକ ମାଟି ଜଣେ ନିର୍ଭୀକ ତଥା ଦାମ୍ଭିକ ନେତାଙ୍କୁ ହରାଇଲା । ଏହି ଦୁଃଖଦ ସମୟକୁ ସାମନା କରିବାକୁ ପ୍ରଭୁ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଭଦ୍ରକ କୁଆଁସ ଅଞ୍ଚଳରେ ଘର । ସେ ବିଜେଡିର ଜଣାଶୁଣା ନେତା ଥିଲେ । ଲକ୍ଷ୍ମୀନାରାୟଣ ସାଲିସବିହୀନ ଲଢ଼େଇ କରି ଛାତ୍ର ରାଜନୀତିରେ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲେ । ଜଣେ ଅଦ୍ୱିତୀୟ ଛାତ୍ରନେତା ଭାବେ ପରିଚୟ ସୃଷ୍ଟି କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ସମ୍ପାଦକ ବେଳେ ସେ ଅନେକ ସମସ୍ୟାକୁ ସରକାରଙ୍କ ଉପରେ ଚାପ ପକାଇ ସମାଧାନ କରିଥିଲେ । ଭଦ୍ରକର ହକ୍ ପାଇଁ ଲଢ଼େଇ ଜାରି ରଖିଥିବା ଲକ୍ଷ୍ମୀନାରାୟଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଭଦ୍ରକର ଏକମାତ୍ର ଶିଳ୍ପ ଫେକର୍ ଉଦ୍ଘାଟନ ପାଇଁ ଆସିଥିବା ବେଳେ କଳାପତାକା ଦେଖାଇ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ । ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟ ଲୋକଙ୍କ ସୁଖଦୁଃଖରେ ଛିଡ଼ା ହୋଇ ଭାଇଚାରାର ନିଦର୍ଶନ ଦେଖାଇଥିଲେ । ପୁଅ ଶୁଭଙ୍କର ମହାପାତ୍ର ପୌରପାଳିକା ପାରିଷଦ ଥିବାବେଳେ ବିକାଶମୂଳକ କାମରେ ଲକ୍ଷ୍ମୀନାରାୟଣ ନେତୃତ୍ୱ ନେଉଥିଲେ । ତାଙ୍କ ବିୟୋଗ ଭଦ୍ରକ ପାଇଁ ଅପୂରଣୀୟ କ୍ଷତି ବୋଲି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହିଛନ୍ତି ।