ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

SCS କଲେଜରେ ପାଠପଢ଼ାର ଭୟାନକ ସ୍ଥିତି: ଅଧ୍ୟାପକ ନେଉଛନ୍ତି ପାର୍ଟ ଟାଇମ୍‌ କ୍ଲାସ୍‌, ହ୍ୱାଟସ୍‌ ଆପ୍‌ରେ ମେସେଜ୍‌ ଦେଇ ବାତିଲ କରୁଛନ୍ତି କ୍ଲାସ

Published By : Prameya | April 1, 2024 2:07 PM

ଭୁବନେଶ୍ୱର,୦୧/୦୪: ସରକାରଙ୍କ  ନିୟମ ଅନୁସାରେ ଜଣେ ଅଧ୍ୟାପକ ଦୈନିକ  ସାଢ଼େ ୭ ଘଣ୍ଟା କ୍ଲାସ୍‌ ନେବା କଥା । ମାତ୍ର  କଲେଜରେ ରହୁଛନ୍ତି ୨ରୁ ଅଢ଼େଇ ଘଣ୍ଟା ।  କଲେଜକୁ ଆସୁଛନ୍ତି ବିଳମ୍ବରେ, ଯାଉଛନ୍ତି  ଶୀଘ୍ର । ଏମିତିକି ଦିନେ ଦିନେ ଆଦୌ କଲେଜକୁ  ଆସୁନାହାନ୍ତି । କେବଳ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ଗୋଟିଏ ମେସେଜ୍‌ ପକାଇ ଦେଉଛନ୍ତି ଆଜି କ୍ଲାସ୍‌  ହେବ ନାହିଁ । କେତେବେଳେ ସେମିନାର୍‌ ଅଛି ତ  ଆଉ କେତେବେଳେ ଖାତା ଦେଖାଅଛି ବାହାନା ଦେଖାଇ କ୍ଲାସ ସସ୍‌ପେଣ୍ଡ୍‌ କରୁଛନ୍ତି ଯାହାକୁ ଦେଖିଲେ ଲାଗୁଛି କଲେଜ ହେଉଛି ସେମାନଙ୍କର ପାର୍ଟ ଟାଇମ୍‌ ୱାର୍କ । କେବଳ ଏତିକି ନୁହେଁ  କିଛି ବିଭାଗରେ ବର୍ଷ ସାରା କ୍ଲାସ୍‌ ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି । ଏପଟେ କୋର୍ସ ସରୁନଥିବାରୁ ପିଲାମାନେ ବାହାର କୋଚିଂ ସେଣ୍ଟର ଉପରେ ଭରସା କରୁଛନ୍ତି । ଅଭିଯୋଗ କଲେ ମାର୍କ କାଟି ଦେବାର ଧମକ ମିଳୁଛି । ଏ ହେଉଛି ପୁରୀର ସାମନ୍ତ ଚନ୍ଦ୍ର ଶେଖର (ଏସ୍‌ସିଏସ୍‌) ସ୍ୱୟଂଶାସିତ  ମହାବିଦ୍ୟାଳୟରେ ପାଠପଢ଼ାର ଭୟାନକ ସ୍ଥିତି ।  ଅନ୍ୟ ପଟେ କଲେଜ ପରିଚାଳନା କମିଟି ୨ ବର୍ଷ  ହେଲାଣି ବସିନାହିଁ । ଅଧ୍ୟକ୍ଷ ଜାଣିଶୁଣି ପରିଚାଳନା  କମିଟି ବୈଠକ ଡାକୁନଥିବା ଅଭିଯୋଗ ହୋଇଛି । 

ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି  ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି ।  କଲେଜକୁ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ‘ନୂଆ-ଓ’  ଛାତ୍ରବୃତ୍ତି ଠାରୁ ଆରମ୍ଭ କରି ମ୍ୟାଜିକ୍‌ କାର୍ଡର  ବ୍ୟବସ୍ଥା କରିଛନ୍ତି । କେବଳ ଏତିକି ନୁହେଁ ଉଚ୍ଚ  ଶିକ୍ଷାରେ ପଢ଼ିବା ପାଇଁ ମେଧାବୀଙ୍କୁ ଲାପ୍‌ଟପ୍‌, ବିଭିନ୍ନ  ଛାତ୍ରବୃତ୍ତି ଆଦି ଯୋଗାଇ ଦେଉଛନ୍ତି ।ଏହାର ଏକ ମାତ୍ର ଲକ୍ଷ୍ୟ ପିଲାମାନେ ଉଚ୍ଚଶିକ୍ଷା ଲାଭ  କରିବେ । କଲେଜକୁ ସବୁ ଦିନ ଆସିବେ । ସବୁ କ୍ଲାସ  କରିବେ ଓ ନିଯୁକ୍ତି ପାଇଁ ନିଜକୁ ଦକ୍ଷ କରିବେ । ପିଲାଙ୍କ  ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଅଧ୍ୟାପକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା  କରିଛନ୍ତି । ଜଣେ ସ୍ଥାୟୀ ଅଧ୍ୟାପକ ଗ୍ରେଡ୍‌ ଅନୁସାରେ ୮୦  ହଜାରରୁ ଅଧିକ ଦରମା ସହ ଟିଏ ଓ ଡିଏ ପାଉଛନ୍ତି ।  

ଅଧ୍ୟାପକମାନେ ମନଇଛା କଲେଜକୁ ଆସୁଥିବା ଅଭିଯୋଗ ହେବା ପରେ ଅଧ୍ୟାପକମାନେ ଯେପରି  କଲେଜରେ ସାଢ଼େ ୭ ଘଣ୍ଟା ରହିବେ ସେଥିଲାଗି ଉଚ୍ଚ  ଶିକ୍ଷା ବିଭାଗ ବାୟୋମେଟ୍ରିକ୍‌ ଉପସ୍ଥାନର ବ୍ୟବସ୍ଥା  କରିଛି । ହେଲେ ଏସ୍‌ସିଏସ୍‌ କଲେଜ ଅଧ୍ୟାପକ ଏଥିରେ  ନିଜର ଉପସ୍ଥାନ ଦେଉନଥିବା ଅଭିଯୋଗ ହେଉଛି ।  ତେବେ ଏଥିରେ ଖୋଦ୍‌ କଲେଜ ଅଧ୍ୟକ୍ଷଙ୍କ ସଂପୃକ୍ତି  ରହୁଥିବା ଅଭିଯୋଗ ହେଉଛି ।  

ଜଣେ ଅବସରପ୍ରାପ୍ତ ଅଧ୍ୟାପକ କହିଛନ୍ତି,  ଏସ୍‌ସିଏସ୍‌ କଲେଜ ରାଜ୍ୟର ଏକ ଜଣାଶୁଣା କଲେଜ ।  ପୁରୀ ଜିଲ୍ଲାର ଏକ ନମ୍ବର କଲେଜ । ଏବେ ପାଠପଢ଼ା  ଭୟାନକ ସ୍ଥିତି ଆଗକୁ ଗତି କଲାଣି । ଅଧ୍ୟାପକମାନେ  କେତେବେଳେ ଆସୁଛନ୍ତି କେତେବେଳେ ଯାଉଛନ୍ତି  ତାହା ଭଗବାନଙ୍କୁ ଜଣା । ଅଧିକାଂଶ ଅଧ୍ୟାପକ ପୁରୀ  ବାହାରୁ ଆସୁଥିବାରୁ ସେମାନେ ଟ୍ରେନ୍‌ ସମୟରେ  ଆସୁଛନ୍ତି ଏବଂ କ୍ଲାସ୍‌ ନ ସରିଥିଲେ ମଧ୍ୟ ଟ୍ରେନ୍‌ ଓ ବସ୍‌  ସମୟ ଅନୁଯାୟୀ ଆଗରୁ ବାହାରି ପଳାଉଛନ୍ତି । ଆଉ  କେତେଜଣ କଲେଜରେ ଉପସ୍ଥାନ ପକାଇ କୋଚିଂ  ସେଣ୍ଟରରେ ପଢ଼ାଉଛନ୍ତି । 

ଇତିହାସ ବିଭାଗ ସ୍ନାତକ ଦ୍ୱିତୀୟ ବର୍ଷର ଜଣେ  ଛାତ୍ର କହିଛନ୍ତି, ଆମର ପ୍ରଥମ ବର୍ଷରେ ଯାହା ଯେମିତି  କ୍ଲାସ୍‌ ହୋଇଥିଲା । ମାତ୍ର ଦ୍ୱିତୀୟ ବର୍ଷରେ ଗୋଟିଏ  ବି କ୍ଲାସ ହୋଇ ନାହିଁ । ସବୁବେଳେ କ୍ଲାସ୍‌ ସସ୍‌ପେଣ୍ଡ  କରାଯାଇଛି । ସେହିପରି ଅର୍ଥନୀତି ବିଭାଗର ପ୍ରଥମ  ବର୍ଷର ଜଣେ ଛାତ୍ରୀ କହିଛନ୍ତି, ଆମର ଅଧିକାଂଶ ଦିନ  କ୍ଲାସ୍‌ ହେଉନି । ଆମର ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ଅଧ୍ୟାପକ  ସେମିନାର୍‌, ଖାତା ଦେଖା ଆଦି କହି କ୍ଲାସ୍‌ ସସ୍‌ପେଣ୍ଡ  କରୁଛନ୍ତି । ଏ ହେଉଛି ୨ଟି ବିଭାଗର କଥା । ମାତ୍ର ଏମିତି  ସବୁ ବିଭାଗରେ ସ୍ଥିତି । 

କଲେଜରେ ୨୮ଟି ସ୍ନାତକ ଓ ୧୭ଟି ସ୍ନାତକୋତ୍ତର  ବିଭାଗ ରହିଛି । ଏଥିପାଇଁ ୧୧୦ଟି ଅଧ୍ୟାପକ ପଦବି  ଅନୁମୋଦନ ରହିଛି । ଏଥିରୁ ୫୦ ପ୍ରତିଶତରୁ ଅଧିକ  ପଦବି ଖାଲି ପଡ଼ିଥିଲା । ଏହାପରେ ସରକାର କିଛି  ପଦବି ପୂରଣ କରିଥିଲେ । ଏବେ କଲେଜରେ ୬୪ ଜଣ  ସ୍ଥାୟୀ ଅଧ୍ୟାପକ ଅଛନ୍ତି । କେତେଜଣ ଅଧ୍ୟାପକ ବଦଳି  ହୋଇ ଏଠାରେ ଯୋଗ ଦେବା ପରେ ମଧ୍ୟ ୬ ମାସ  ହେଲା ଛୁଟିରେ ଅଛନ୍ତି । ଶିକ୍ଷା, ନୃତତ୍ତ୍ୱ, ପରିସଂଖ୍ୟାନ,  କମ୍ପ୍ୟୁଟର ବିଜ୍ଞାନ, ଭୂବିଜ୍ଞାନ ବିଭାଗରେ ସ୍ଥାୟୀ ଅଧ୍ୟାପକ  ନାହାନ୍ତି । ଏହି ସମସ୍ତ ବିଭାଗ ଅତିଥି ଅଧ୍ୟାପକଙ୍କ  ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଅର୍ଥନୀତି ବିଭାଗରେ  ଜଣେ ସ୍ଥାୟୀ ଅଧ୍ୟାପକ ରହିଛନ୍ତି । ଅନ୍ୟ ପଟେ ଏମିତି  ସ୍ଥିତି ହୋଇଛି ଯେ, ଗୋଟିଏ ବିଭାଗ ଦାୟିତ୍ୱ ଅନ୍ୟ  ବିଭାଗର ମୁଖ୍ୟଙ୍କୁ ଦିଆଯାଇଛି । 

ଜଣେ ଅଧ୍ୟାପକଙ୍କ କହିବା କଥା, କେତେକ  ବିଭାଗୀୟ ମୁଖ୍ୟ ଏବଂ କଲେଜ କର୍ତ୍ତୃପକ୍ଷ ଜାଣିଶୁଣି  ଅତିଥି ଅଧ୍ୟାପକଙ୍କୁ ଅଧିକ କ୍ଲାସ୍‌ କରିବାକୁ  ଦେଉନାହାନ୍ତି । ନିୟମ ଅନୁଯାୟୀ ସେମାନେ ମାସକୁ  ୫୦ଟି କ୍ଲାସ୍‌ କରିବା କଥା ତେବେ କ୍ଲାସ୍‌ ପିଛା ଟଙ୍କା  ମିଳୁଥିବାରୁ ଜାଣିଶୁଣି କ୍ଲାସ୍‌ କରିବାକୁ ଦେଉନାହାନ୍ତି । 

କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ. କୈଳାସ ଟିକାୟତଙ୍କ କହିବା କଥା, କଲେଜ କର୍ତ୍ତୃପକ୍ଷ ଜାଣିଶୁଣି  ୨ ବର୍ଷ ହେଲାଣି ପରିଚାଳନା କମିଟି ବୈଠକ  କରୁନାହାନ୍ତି । କଲେଜ ସମସ୍ୟା ନେଇ ଆଲୋଚନା  କରୁନାହାନ୍ତି । ଏପରିକି ପରୀକ୍ଷା ଫଳ ପ୍ରକାଶ  କରୁଛନ୍ତି ଅଥଚ ପରିଚାଳନା କମିଟିକୁ ଜଣାଉନାହାନ୍ତି ।  ପାଠପଢ଼ାରେ ଅବ୍ୟବସ୍ଥା ଅଭିଯୋଗ ହେଉଛି, ହେଲେ  ବୈଠକ ହେଲେ ସିନା ଆମେ ଏସବୁ ପ୍ରତି ଦୃଷ୍ଟି  ଆକର୍ଷଣ କରିପାରନ୍ତୁ କିନ୍ତୁ ତାହା କରାଇ ଦେଉନାହାନ୍ତି ।  ଏପଟେ ଦ୍ୱିତୀୟ କ୍ୟାମ୍ପସ ଜମି ଜବରଦଖଲ  ହୋଇଗଲାଣି ତଥାପି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । 

କଲେଜ ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ରଙ୍କ  କହିବା କଥା, କ୍ଲାସ୍‌ ହେଉନଥିବା କିମ୍ବା ଅଧ୍ୟାପକମାନେ  ଠିକ ସମୟରେ ଆସୁନଥିବା ନେଇ କୌଣସି  ଅଭିଯୋଗ ହୋଇନି । ଆମର ଅଧ୍ୟାପକ ନଥିବାରୁ କ୍ଲାସ୍‌  ଅଧିକାଂଶ ସମୟରେ ହୋଇପାରୁନି । ବିଶେଷ କରି  ଅର୍ଥନୀତି ବିଭାଗରେ ଜଣେ ମାତ୍ର ଅଧ୍ୟାପକ ଥିବାରୁ  ଏପରି ସମସ୍ୟା ହେଉଛି । କିନ୍ତୁ ସମସ୍ତ ଅଧ୍ୟାପକଙ୍କ  ବାୟୋମେଟ୍ରିକ୍‌ ଉପସ୍ଥାନ ରହୁଛି । ଯଦି କୌଣସି ନିର୍ଦ୍ଦିଷ୍ଟ  ଅଧ୍ୟାପକ ସାଢ଼େ ୭ ଘଣ୍ଟା କଲେଜରେ ରହୁନଥିବାର  ଅଭିଯୋଗ ଆସେ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ନିଆଯିବ । ସରକାରଙ୍କୁ ଆମେ ବାରମ୍ବାର ଅଧ୍ୟାପକ  ନିଯୁକ୍ତି ନେଇ ଜଣାଉଛୁ । ଆମ ହାତରେ କିଛି ନାହିଁ  ବୋଲି ସେ କହିଛନ୍ତି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.