"ରେଭେନ୍ସା' ଏବେ ଏକ ବିତର୍କର କେନ୍ଦ୍ର । ଏହାର ନିର୍ଯ୍ୟାସ ଯାହା ହେଉନା କାହିଁକି, ପ୍ରକୃତରେ ଏ ଚର୍ଚ୍ଚା ଇତିହାସ ତତ୍ତ୍ୱ ତଥା ଏକ ଜାତିର ଅତୀତ ଅନୁଶୀଳନର ଶୈଳୀ, ପ୍ରକ୍ରିୟା ଓ ଢାଞ୍ଚାର ପୁନଶ୍ଚ ପର୍ଯ୍ୟାଲୋଚନାର ଗୁରୁତର ଆବଶ୍ୟକତାକୁ ସାଧାରଣରେ ଉପସ୍ଥାପିତ କରିଛି । ଦେଢ଼ଶହ ବର୍ଷର ଏହି ଅନୁଷ୍ଠାନର ବ୍ରାଣ୍ଡ ଭାଲ୍ୟୁ ତଥା ଐତିହ୍ୟ "ରେଭେନ୍ସା ଚର୍ଚ୍ଚା'ର ଏକ ପ୍ରଧାନ ଦିଗ । ଘଟିଥିବା ନ'ଅଙ୍କ ଦୁର୍ଭିକ୍ଷ ପରି ଏକ ଦାରୁଣ ବିପତ୍ତିରେ ଉତ୍କଳ ଭୂଖଣ୍ଡର ୧୦ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନିର କଥା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ଯଦିଓ ଏହାର ବ୍ୟାପକତା ତଥା ପ୍ରଭାବର ଗୁରୁତ୍ୱ "ନାମକରଣ ପରିବର୍ତ୍ତନ ବିରୋଧ' ତର୍କର ଉତ୍ସାହ ଆଗରେ ଅନେକାଂଶରେ ଗୌଣ ପ୍ରତିପାଦିତ ହୋଇଛି ।
ଓଡ଼ିଆ ଜାତିର ସ୍ମୃତି ସହ ଜଡ଼ିତ ନ'ଅଙ୍କ ଦୁର୍ଭିକ୍ଷ ସମସାମୟିକ କାଳଖଣ୍ଡର ତୁଚ୍ଛା ଘଟଣା ପ୍ରବାହ ନୁହେଁ । ଏହା ଏକ "ଐତିହାସିକ କ୍ଷତ' । "କ୍ଷତ'ର ଗଭୀରତାର ଆକଳନ କରିବା ସମୟରେ ହୁଏତ ଦୃଷ୍ଟାନ୍ତ ମିଳିପାରେ, ଏପରି ଏକ "କ୍ଷତ'ର ଶିକାର ହୋଇଥିବା ଅଷ୍ଟ୍ରେଲିଆ ମହାଦେଶର ମୂଳବାସୀଙ୍କ ପରି । ତେବେ ରେଭେନ୍ସା ଚର୍ଚ୍ଚାର ଅନ୍ୟ ଦିଗକୁ ଦେଖିବା ପୂର୍ବରୁ ପ୍ରଥମେ ୧୮୬୬ର ଏକ ସଂକ୍ଷିପ୍ତ ଚର୍ଚ୍ଚା ଆବଶ୍ୟକ ।
ନଅ'ଙ୍କ ଦୁର୍ଭିକ୍ଷ
କ୍ରମାଗତ ଫସଲ ହାନି, ରପ୍ତାନି ବୃଦ୍ଧି, ଜମିଦାରମାନଙ୍କ ଜମାଖୋର ମନୋବୃତ୍ତି, ମୁକ୍ତବାଣିଜ୍ୟ ନୀତି ଏବଂ ସରକାରଙ୍କ ସମ୍ବେଦନହୀନ ଆଭିମୁଖ୍ୟ ଯୋଗୁଁ ପରିସ୍ଥିତି ଉତ୍କଟ ହୋଇ ଭୟଙ୍କର ଦୁର୍ଭିକ୍ଷର ରୂପ ନେଇଥିଲା । ତେବେ ଓଡ଼ିଶାରେ ପର୍ଯ୍ୟାପ୍ତ ଶସ୍ୟ ଉତ୍ପାଦନ ହେଉଛି ବୋଲି ବିଶ୍ୱାସ କରି ଓଡ଼ିଶା ଡିଭିଜନ କମିଶନର ଟି.ଇ. ରେଭେନ୍ସା ଆସନ୍ନ ଦୁର୍ଭିକ୍ଷକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲେ । ବାସ୍ତବରେ କିନ୍ତୁ ଆମର ଖାଦ୍ୟଶସ୍ୟ ଉତ୍ପାଦନ ଆଖିଦୃଶିଆ ଭାବେ ହ୍ରାସ ପାଇବାରେ ଲାଗିଥିଲା । ଶେଷରେ ସରକାର ଚାଉଳ ଆମଦାନୀ କରିବାକୁ ରାଜି ହୋଇଥିଲେ ହେଁ ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଓଡ଼ିଶାର ପରିବହନ ଭିତ୍ତିଭୂମି ଆଦୌ ଭଲ ନଥିବାରୁ ଯୋଗାଣ ପ୍ରକ୍ରିୟା ଭୀଷଣ ବାଧାପ୍ରାପ୍ତ ହୋଇଥିଲା, ଯାହାଫଳରେ ଦୁର୍ଦ୍ଦଶା ବଢ଼ିଚାଲିଲା ।
ଏକ ଆକଳନ ଅନୁଯାୟୀ, ଦୁର୍ଭିକ୍ଷରେ ୪୦,୨୪୦ ବର୍ଗମାଇଲ ଅଞ୍ଚଳ ପ୍ରଭାବିତ ହୋଇଥିଲା, ଯାହାର ତତ୍କାଳୀନ ଜନସଂଖ୍ୟା ୧୧,୮୫୫,୫୪୩ ଥିଲା । ଏହି ଜନସଂଖ୍ୟାର ୮ ପ୍ରତିଶତ ଲୋକ କେବଳ ୧୮୬୬ ମସିହାରେ ହିଁ ମୃତ୍ୟୁବରଣ କରିଥିଲେ । ପୁଣି ଦୁର୍ଭିକ୍ଷ ପରବର୍ତ୍ତୀ ମହାମାରୀ ଯଥା ହଇଜା ଓ ବସନ୍ତଜନିତ ମୃତ୍ୟୁକୁ ମିଶାଇଲେ ଓଡ଼ିଶା ଡିଭିଜନର ସମୁଦାୟ ମୃତ୍ୟୁସଂଖ୍ୟା ୧୦ଲକ୍ଷରୁ ନିଶ୍ଚୟ ବହୁ ଅଧିକ । ଏହା ୧୮୮୫ରେ ସମ୍ପାଦିତ "ଦୁର୍ଭିକ୍ଷ ଇତିହାସ'ର ଏକ ଉଲ୍ଲେଖନୀୟ ଯୁକ୍ତି ।
ରେଭେନ୍ସାଙ୍କର ୧୮୬୭ର ଗୋଟେ ରିପୋର୍ଟ ଅନୁସାରେ, କଟକର କୁଜଙ୍ଗ ଓ ଆଳି ଭଳି ସର୍ବାଧିକ କ୍ଷତିଗ୍ରସ୍ତ ଅଞ୍ଚଳରେ ଗରିବ ଶ୍ରେଣୀର ମୃତ୍ୟୁହାର ୫୦ରୁ ୬୦ ପ୍ରତିଶତରେ ପହଞ୍ଚିଥିବା ବେଳେ ଧନୀ ଶ୍ରେଣୀର ୮ରୁ ୧୦ ପ୍ରତିଶତ ଲୋକ ପ୍ରଭାବିତ ହୋଇଥିଲେ । ୧୮୬୭ ମସିହାର ଡେପୁଟି କଲେକ୍ଟରଙ୍କ ଏକ ରିପୋର୍ଟ ଅନୁଯାୟୀ ହରିହରପୁର ପ୍ରଗଣା ଅନ୍ତର୍ଗତ ଏକ ଗ୍ରାମର ସମସ୍ତ ୬୦୦ ବୁଣାକାରମାନଙ୍କର ମୃତ୍ୟୁ ହୋଇଥିଲା ଦୁର୍ଭିକ୍ଷରେ ।
ପୁରୀ, ବାଲେଶ୍ୱର ଓ ମୟୂରଭଞ୍ଜ ଭଳି ଅନେକ ଅଞ୍ଚଳରେ ଖାଦ୍ୟାଭାବଜନିତ ଦଙ୍ଗା, ଦୋକାନ ବଜାର ଲୁଟ୍, ଜମିଦାରମାନଙ୍କ ଅମାରଘର ପୋଡ଼ି ଦିଆଯିବା ଆଦି ଘଟଣା ଦେଖିବାକୁ ମିଳିଥିଲା । ଜାତିପ୍ରଥାଜନିତ କଟକଣା ସତ୍ତେ୍ୱ ଲୋକେ ଭୋକବିକଳରେ ଯାହା ନାହିଁ ତାହା ଘରେ ପଶି ହାଣ୍ଡିଶାଳରୁ ରନ୍ଧାଖାଦ୍ୟ ଚୋରି କରିନେଉଥିଲେ । ବୁଭୁକ୍ଷୁମାନେ ଜଗନ୍ନାଥ ମନ୍ଦିରରୁ ମହାପ୍ରସାଦ ମଧ୍ୟ ଲୁଟିନେଇଥିଲେ । ମନ୍ଦିର ସିଂହଦ୍ୱାର ପାଖରେ ମହାପ୍ରସାଦ ଖାଇବାପାଇଁ ସବୁ ଜାତିର ଲୋକ ରୁଣ୍ଡ ହେଉଥିଲେ । ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ ନ'ଅଙ୍କ ଦୁର୍ଭିକ୍ଷର କରାଳ ଦୃଶ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି, କିପରି ଗାଁରୁ ସହର ସବୁଠି ଶୁଭୁଥିଲା ଅସ୍ଥିକଙ୍କାଳସାର ସ୍ତ୍ରୀ ପୁରୁଷ ଓ ବାଳୁତମାନଙ୍କର ଆର୍ତ୍ତ ଚିତ୍କାର, କିପରି ହତାଶ ହୋଇ ପିତାମାତା ନିଜ ଭୋକିଲା ଛୁଆଙ୍କୁ ହିଂସ୍ର ବନ୍ୟଜନ୍ତୁଙ୍କ ସମ୍ମୁଖରେ ଫିଙ୍ଗି ଦେଉଛନ୍ତି ଏବଂ କେତେକ ନିଜ ମାରିଲା ଛୁଆର ଶବକୁ ମଧ୍ୟ ଖାଇଯାଉଛନ୍ତି ଭୋକର ଜ୍ୱାଳାରେ ।
ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା । ଦେଶାନ୍ତରଣ ବଢ଼ିଚାଲିଲା । ଛତ୍ରଖିଆ ସମ୍ପ୍ରଦାୟ ଭଳି ଏକ ନୂଆ ସାମାଜିକ ଶ୍ରେଣୀ ଜନ୍ମନେଲା । ଖ୍ରୀଷ୍ଟିଆନ ରିଲିଫ କେନ୍ଦ୍ରରେ ନିୟମିତ ଖାଦ୍ୟ ଖାଉଥିବା ଏହି ଶ୍ରେଣୀର ଲୋକମାନଙ୍କୁ ସମାଜରୁ ବହିଷ୍କାର କରାଗଲା ଏବଂ ଏମାନେ ମୁଖ୍ୟତଃ ଖ୍ରୀଷ୍ଟିଆନ ଧର୍ମ କିମ୍ବା ମହିମା ଧର୍ମ ଗ୍ରହଣ କରିଥିଲେ । ଏହି ଦୁର୍ଭିକ୍ଷ ଓଡ଼ିଶାରେ ମିଶନାରୀ କାର୍ଯ୍ୟକଳାପକୁ ବଳଶାଳୀ କରିଥିଲା, ଯେଉଁଥିରେ ୮,୦୦୦ ଅନାଥ ଶିଶୁଙ୍କ ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥିଲେ ମିଶନାରୀମାନେ । ବ୍ୟାସକବି ଫକୀର ମୋହନ ସେନାପତି ବର୍ଣ୍ଣନା କରିଥିଲେ କିପରି ଦୁର୍ଭିକ୍ଷ ପରବର୍ତ୍ତୀ କାଳରେ ଛତ୍ରଖିଆ ନାମରେ ବହିଷ୍କୃତ ହୋଇଥିବା କିଛି ଲୋକ ଏଣେତେଣେ ଘୂରି ବୁଲୁଥିଲେ ଏବଂ ପରେ ପରେ ମିଶନାରୀମାନଙ୍କ ଦ୍ୱାରା ସେମାନେ ଶିକ୍ଷା ଗ୍ରହଣ କରିଥିଲେ । ରିଲିଫ କେନ୍ଦ୍ରରେ ଖାଇ ନିଜ ଜାତି ହରାଇ, ପରେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଅନନ୍ତ ଦାସ ସେହି ସମୟର ନିଜର ସଂଘର୍ଷକୁ ବର୍ଣ୍ଣନା କରିଥିଲେ, ଯାହା ଦୁର୍ଭିକ୍ଷର ଲକ୍ଷ ଲକ୍ଷ ବିପନ୍ନଙ୍କ ସ୍ୱରକୁ ଏବେବି ପ୍ରତିଧ୍ୱନିତ କରେ ।
ଏଇ ରିଲିଫ୍ କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ଯୋଗୁଁ ମହିଳାମାନେ ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଥିଲେ । ଦୁର୍ଭିକ୍ଷର ଅନ୍ତ ଘଟିବା ବେଳକୁ ଯେଉଁମାନେ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ ସେମାନେ ଏହି ରିଲିଫ୍ କେନ୍ଦ୍ରଗୁଡ଼ିକରେ ନଗଣ୍ୟ କାମରେ ନିୟୋଜିତ ହୋଇଥିଲେ । ପୁରୁଷମାନେ କାମ ପାଇଁ ଦେଶାନ୍ତରିତ ହେଉଥିବାବେଳେ ଅଧିକାଂଶ ମହିଳା ବଞ୍ଚିବା ପାଇଁ ଦେହଜୀବୀ ବୃତ୍ତିକୁ ଆପଣାଇ ନେଇଥିଲେ । ଦୁର୍ଭିକ୍ଷ ଯୋଗୁଁ ଦେଖାଦେଇଥିବା ଉତ୍କଟ ଦାରିଦ୍ର୍ୟରୁ ଜନ୍ମ ନେଇଥିଲା ଅନେକ ନୂଆ ନୂଆ ଶବ୍ଦ ଯଥା- "କାଙ୍ଗାଳ, ଚଣ୍ଡାଳ, ଲକ୍ଷ୍ମୀଛଡ଼ା, ରାଣ୍ଡୀପୁଅ ଅନନ୍ତା' ଇତ୍ୟାଦି ।
"ଭାରତୀୟ ଦୁର୍ଭିକ୍ଷ କୋଡ୍ ୧୮୮୦' ଅନୁଯାୟୀ, ଲୋକମାନେ ଜଙ୍ଗଲୀ ଘାସ, ମୂଳ ଏବଂ କନ୍ଦଜାତୀୟ ବିଷାକ୍ତ ଖାଦ୍ୟ ଖାଇବା ଆରମ୍ଭ କରିଦେଇଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲେଖାରୁ "ପାଣ, କଣ୍ଡରା ଓ ଗୋଖା' ଜାତିର ଲୋକେ ଭାତ ପରିବର୍ତ୍ତେ ଜଙ୍ଗଲୀ କୋଳି ଖାଉଥିବା ମଧ୍ୟ ଜଣାଯାଏ । ଟି.ଇ. ରେଭେନ୍ସା ନିଜେ ନୟାଗଡ଼ରେ କେତେକ ଜାତି, କନ୍ଧମାନଙ୍କଠାରୁ ସଲପ ଗଛ କିଣୁଥିବା ଦେଖିବାକୁ ପାଇଥିଲେ । ସେମାନେ ଏହାକୁ ଶୁଖାଇ ଗୁଣ୍ଡ କରି ରାନ୍ଧି ଖାଉଥିଲେ । ଓଡ଼ିଶା ଦୁର୍ଭିକ୍ଷ ଆୟୋଗ ରିପୋର୍ଟରେ ମଧ୍ୟ ପ୍ରଥମଥର ପାଇଁ ଦୁର୍ଭିକ୍ଷ ପୀଡ଼ିତଙ୍କ ଶବ ବ୍ୟବଚ୍ଛେଦ ଆଧାରରେ ‘ଅନାହାର ମୃତ୍ୟୁ' ଶବ୍ଦ ପ୍ରୟୋଗ କରାଯାଇଥିଲା, ଯେଉଁଥିରେ ସେମାନଙ୍କ ଅନ୍ତ୍ରନଳୀରେ କଞ୍ଚା ଚାଉଳ ଥିବା ଜଣାପଡ଼ିଥିଲା ।
ନଅ'ଙ୍କ ଓ ରେଭେନ୍ସା
ଚାଉଳର ଜରୁରି ଆବଶ୍ୟକତା ଏବଂ ଅନାହାରଜନିତ ବିପର୍ଯ୍ୟୟର ଆଶଙ୍କା ସମ୍ପର୍କରେ ତତ୍କାଳୀନ ପୁରୀ ଜିଲ୍ଲାପାଳ ବାର୍ଲାଙ୍କ ବାରମ୍ବାର ଚେତାବନୀ ସତ୍ତେ୍ୱ କମିଶନର ରେଭେନ୍ସା ବାର୍ଲାଙ୍କୁ ଉପଦେଶ ଦେଇଥିଲେ "ଲୋକମାନଙ୍କୁ ହତାଶ ହେବାକୁ ଦିଅନ୍ତୁ ନାହିଁ, ଅର୍ଦ୍ଧେକ ଫସଲ ଆଦାୟ ହେବାର ସମ୍ଭାବନା ଥିବାରୁ ଦୁର୍ଭିକ୍ଷ ହେବା ସମ୍ଭବ ନୁହେଁ । ସମସ୍ତଙ୍କୁ ଆଶ୍ୱାସନା ଦିଅନ୍ତୁ ଏବଂ ଲୋକମାନେ ଯେପରି ନିଜେ ନିଜର ସାହାରା ହେବେ ସେଥିପାଇଁ ଚେଷ୍ଟା କରନ୍ତୁ...’ । ଏପରିକି ଫକୀର ମୋହନ ସେନାପତି ମଧ୍ୟ ଶସ୍ୟ ଉପଲବ୍ଧତାର ସଠିକ ଆକଳନପୂର୍ବକ ସରକାରଙ୍କୁ ସଠିକ୍ ରିପୋର୍ଟ ପ୍ରଦାନରେ ବିଫଳ ହୋଇଥିବା ରେଭେନ୍ସାଙ୍କ "ଗୁରୁତର ତ୍ରୁଟି'କୁ ଦର୍ଶାଇ ସମାଲୋଚନା କରିଥିଲେ ।
ରେଭେନ୍ସା ନିଜେ ବିପନ୍ନଙ୍କୁ ଟଙ୍କା ବାଣ୍ଟିବାବେଳେ ରିଲିଫ କେନ୍ଦ୍ରରେ ବୁଭୁକ୍ଷୁ ଜନତାର ଆକ୍ରମଣର ଶିକାର ହୋଇଥିଲେ । ୧୮୬୬ ମସିହା ଏପ୍ରିଲ ମାସରେ ମୟୂରଭଞ୍ଜ ଯିବା ବାଟରେ ସେ ପାଗଳ ବୋଲାଉଥିବା ଜଣେ ଗରିବ ବିପନ୍ନକୁ ଦେଖିଥିଲେ, ଯିଏ ମଣିଷର ଶବକୁ ଖାଉଥିବା ଅବସ୍ଥାରେ ଧରାପଡ଼ିଥିଲା । କେନ୍ଦ୍ରାପଡ଼ାରେ ଜଣେ ମହିଳା ନିଜ ଶିଶୁକୁ ଧରି ରେଭେନ୍ସାଙ୍କ ପାଦତଳେ କଚାଡ଼ି ହୋଇ ପଡ଼ି ଜୀବନ ହାରିଦେବା ଭଳି ହୃଦୟବିଦାରକ ଦୃଶ୍ୟ ସେ ପ୍ରତ୍ୟକ୍ଷରେ ଦେଖିଛନ୍ତି । ସେହିପରି ୧୮୬୬ ମସିହା ନଭେମ୍ବର ମାସରେ କେନ୍ଦ୍ରାପଡ଼ା ଗସ୍ତରୁ ଫେରିବା ବାଟରେ ସେ ମାତ୍ର ୧୦ମାଇଲ ରାସ୍ତାରେ ୨୩୮ଟି ମନୁଷ୍ୟ ଖପୁରି ଗଣିଥିଲେ ।
ଦୁର୍ଭିକ୍ଷ ମୁକାବିଲାରେ ରେଭେନ୍ସାଙ୍କର ଚରମ ଅବହେଳା, ବିଶେଷକରି ଓଡ଼ିଶାକୁ ଚାଉଳ ଆମଦାନୀ କରିବାକୁ ମନା କରିବା ଏବଂ ଖାଦ୍ୟର ଉପଲବ୍ଧତାକୁ ନେଇ ତାଙ୍କର ଭ୍ରାନ୍ତ ଧାରଣା ଓ ଓଡ଼ିଶା ଡିଭିଜନରେ ବ୍ୟାପକ ମୃତ୍ୟୁ, ଅନାହାର ଓ ଅରାଜକତାର ତାଣ୍ଡବ ଖେଳୁଥିବାବେଳେ, ରେଭେନ୍ସାଙ୍କ ଦୁଇମାସିଆ ଗଡ଼ଜାତ ଗସ୍ତକୁ ନେଇ ୧୮୬୬ର କ୍ୟାମ୍ପବେଲ ଦୁର୍ଭିକ୍ଷ କମିଶନ ଘୋର ବିରକ୍ତି ପ୍ରକାଶ କରିଥିଲେ । ଏହାସହ, କମିଶନଙ୍କ ଆଗରେ ଓଡ଼ିଆ ଲୋକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ସହ ସେମାନଙ୍କୁ ଉଦାସୀନ ଓ ଆଳସ୍ୟପରାୟଣ ବୋଲି କହି ନିଜ ଆତ୍ମରକ୍ଷାର ଯୁକ୍ତିକୁ ଆହୁରି ଦୁର୍ବଳ କରିଥିଲେ । ସୁତରାଂ, କର୍ତ୍ତବ୍ୟରେ ଅବହେଳା ପାଇଁ କମିଶନ, ରେଭେନ୍ସା ଓ ଅନ୍ୟ ଅଧିକାରୀମାନଙ୍କୁ ଦାୟୀ କରିବା ସହ ବିପର୍ଯ୍ୟୟ ପରିଚାଳନାରେ ଏମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇଥିଲେ ।
"ରେଭେନ୍ସା ଚର୍ଚ୍ଚା'ର କିଛି ଯୁକ୍ତି ମଧ୍ୟରୁ କେତେକ ବିଶେଷ ଆଲୋଚନାର ଅପେକ୍ଷା ରଖେ । ପ୍ରଥମତଃ, ଟି.ଇ. ରେଭେନ୍ସାଙ୍କର ଓଡ଼ିଶା ବିଷୟରେ ଅନଭିଜ୍ଞତା, ଖାଦ୍ୟ ଅନଟନ ତଥା ଦୁର୍ଭିକ୍ଷ ଆଶଙ୍କା ସମ୍ପର୍କିତ କେତେକ ଉପାଦେୟ ମତାମତକୁ ତାଙ୍କ ଉପରିସ୍ଥ ଗଭର୍ଣ୍ଣର, ରେଭେନ୍ୟୁ ବୋର୍ଡ ତଥା ତତ୍କାଳୀନ ବଙ୍ଗ ସରକାରଙ୍କ ଅଗ୍ରାହ୍ୟ । ଦ୍ୱିତୀୟତଃ, "ଦୁର୍ଭିକ୍ଷଜନିତ ଗ୍ଳାନିରେ ମ୍ରିୟମାଣ' ରେଭେନ୍ସାଙ୍କର ପରବର୍ତ୍ତୀ ଅବସ୍ଥାର ଓଡ଼ିଆ ଭାଷା ତଥା ଶିକ୍ଷା, ଜଳସେଚନ ଓ ଗମନାଗମନର ପ୍ରସାର ପାଇଁ ଆନ୍ତରିକ ଉଦ୍ୟମ ।
ଓଡ଼ିଶାର ଅନାହାରଜନିତ ଗଣମୃତ୍ୟୁକୁ ନେଇ ବ୍ରିଟେନରେ ପ୍ରବଳ ପ୍ରତିକ୍ରିୟା ଓ ଜନମତ ସୃଷ୍ଟି ଏବଂ ଦୁର୍ଭିକ୍ଷ କମିଶନଙ୍କ ରିପୋର୍ଟ ପ୍ରକାଶ ପରେ ଓଡ଼ିଶାର "ଔପନିବେଶିକ ଆଧୁନିକତା'ର ଧାରାକୁ ଏକ ନୂତନ ଜାଗରଣର ରୂପରେଖ ଦେବାପାଇଁ ଗମନାଗମନ, ଜଳସେଚନ ଏବଂ ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯାଏ, ଯେଉଁ ପ୍ରକ୍ରିୟା ସାମ୍ରାଜ୍ୟବାଦ ଆଧାରିତ "ପ୍ୟାକ୍ସ ବ୍ରିଟାନିକା' ତଥା "ସିଭିଲାଇଜିଂ ମିଶନ' ଭାବଧାରାର ଗୋଟେ ଅଂଶବିଶେଷ । ଉପରୋକ୍ତ ପରିପ୍ରେକ୍ଷୀରେ ରେଭେନ୍ସାଙ୍କ "ଉତ୍କଳ ହିତୈଷୀ' ତତ୍ତ୍ୱର ଗ୍ରହଣୀୟତା କେତେ, ତାହା ବିଚାର୍ଯ୍ୟ ।
ଏଠି ଉଲ୍ଲେଖଯୋଗ୍ୟ ଯେ, ରେଭେନ୍ସା ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ, ୧୮୬୮ ମସିହାରେ ଓଡ଼ିଶାର ଗଡ଼ଜାତ ସୁପରିଣ୍ଟେଣ୍ଡେଣ୍ଟ ଭାବେ କେଉଁଝରର ପ୍ରଜାବିଦ୍ରୋହକୁ ଦୃଢ଼ ଦମନ କରିବା ସହ ଏହାର ନେତୃତ୍ୱ ନେଇଥିବା ରତ୍ନା ନାୟକ, ଦାଶରଥି କୁଅଁର, ବୈକୁଣ୍ଠ କୋହ୍ଲ, ବୈରାଗୀ କୋହ୍ଲ, ମାର୍ଗିସିରି କୋହ୍ଲ, ଟୁନି ପ୍ରଧାନ ଓ ପଦୁ ନାୟକଙ୍କ ପରି ସାତଜଣ ସଂଗ୍ରାମୀଙ୍କୁ ଫାଶୀଦଣ୍ଡ ଦେଇଥିଲେ । ଏହାଛଡ଼ା ୨୧ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ଶତାଧିକ ସଂଗ୍ରାମୀଙ୍କୁ ସାତରୁ ବାରବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ । ସେହିପରି ୧୮୬୬ରେ ବାମନଘାଟିର ଆଦିବାସୀଙ୍କ ବିଦ୍ରୋହକୁ ପ୍ରଶମିତ କରି ମୟୂରଭଞ୍ଜ ରାଜାଙ୍କର ବାମନଘାଟି ସମସ୍ୟାର ସମାଧାନରେ ସହାୟତା କରିଥିଲେ, ଯେଉଁଥିପାଇଁ ମୟୂରଭଞ୍ଜ ରାଜା ତାଙ୍କ ପ୍ରତି କୃତଜ୍ଞ ଥିଲେ ।
ଅକ୍ସଫୋର୍ଡ, କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପରି ରେଭେନ୍ସାକୁ ଏକ ବ୍ରାଣ୍ଡ ବୋଲି କେହି କେହି କହିଥାନ୍ତି । ବୋଧହୁଏ, ଏ ଯୁକ୍ତିର ଅନ୍ୟ ଏକ ଆଧାର ହେଉଛି "ୟୁରୋପ' ପ୍ରତି ଏକ ଅପରିହାର୍ଯ୍ୟ ଆକର୍ଷଣ । ୟୁରୋପର "ତାତ୍ତ୍ୱିକ ସାର୍ବଭୌମତ୍ୱ'ର ଗଭୀରତା ଓ ଅନ୍ତରଙ୍ଗତା ଏପରି ବ୍ୟାପକ ଯେ, ଉପନିବେଶବାଦ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଏହି ଇତିହାସର ସାର୍ବଜନୀନ ତଥା ବୈଧିକରଣ ପ୍ରବୃତ୍ତି, ଦକ୍ଷିଣ ବିଶ୍ୱର ନାଗରିକ ଗୋଷ୍ଠୀକୁ ଶିକ୍ଷିତ, ପ୍ରଭାବିତ ଓ ପ୍ରେରିତ କରିଚାଲିଛି । ଜଳବାୟୁ ପରିବର୍ତ୍ତନ ସହ ଜ୍ଞାନର ଜଳବାୟୁ ମଧ୍ୟ ବର୍ତ୍ତମାନ ପରିବର୍ତ୍ତିତ ତଥା ପରିବର୍ଦ୍ଧିତ । "ଉତ୍ତର ଔପନିବେଶିକ' ମୁହୂର୍ତ୍ତକୁ ବର୍ତ୍ତମାନ ସାମ୍ନା କରୁଥିବା ଦକ୍ଷିଣ ବିଶ୍ୱର ନାଗରିକ ଗୋଷ୍ଠୀର ଭାବନାରେ ଯୋଡ଼ି ହୋଇଯାଇଥିବା ଏକ ୟୁରୋପୀୟ ଠାଣି ଓ "ନଜର'କୁ ପ୍ରତିପ୍ରଶ୍ନ କରିବାର ସମୟ ଆସିଛି ନିଶ୍ଚୟ?