ଭୁବନେଶ୍ୱର,୦୪/୦୩: ଘରକ୍ରେତା ଦେଉଥିବା ଅର୍ଥ ନିର୍ଦ୍ଧାରିତ ରିୟଲ ଇଷ୍ଟେଟ ପ୍ରକଳ୍ପରେ ଖର୍ଚ୍ଚ ହେବା ଜରୁରୀ । ବିଲ୍ଡରମାନେ ଏ ସମ୍ପର୍କିତ ଠିକ୍ ସୂଚନା ଦେବେ । ଆର୍ଥିକ ସୂଚନା ଦେବାବେଳେ ବିଲ୍ଡର କୌଣସି ବେଆଇନ କାମ କରି ନ ଥିବା ରେରାଙ୍କୁ ସ୍ପଷ୍ଟ ଭାବେ ଜଣାଇବେ । କିନ୍ତୁ ସଂସ୍ଥାଗୁଡିକ ଏହାକୁ ଅବମାନନା କରୁଛନ୍ତି । ନିଜ ସୁବିଧା ମୁତାବକ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କୁ ଉଭୟ ତ୍ରୈମାସ ଅଗ୍ରଗତି ରିପୋର୍ଟ (କ୍ୟୁପିଆର୍) ଓ ବାର୍ଷିକ ଅଡିଟ୍ ପ୍ରମାଣପତ୍ର (ଏଏସି) ଦେବାକୁ ବ୍ୟବହାର କରୁଛନ୍ତି । ଫଳରେ ଏ କ୍ଷେତ୍ରରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିବା ପରେ କଠୋର ହୋଇଛନ୍ତି ରେରା ।
ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ବ୍ୟବସ୍ଥା ସୁଧାର ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓରେରା । ଏକ ସର୍କୁଲାରରେ ଓରେରା କହିଛନ୍ତି, ପ୍ରକଳ୍ପ ସମ୍ପର୍କିତ ଆକାଉଣ୍ଟକୁ ପ୍ରାକ୍ଟିସରେ ଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଅଡିଟ୍ କରିବେ । ସେହି ବ୍ୟକ୍ତି ବିଶେଷ କ୍ୟୁପିଆର୍ ରିପୋର୍ଟ ଦେଇପାରିବେ ନାହିଁ । ପ୍ରକଳ୍ପ ପାଇଁ ଆଦାୟ ଏବଂ ଖର୍ଚ୍ଚ ସମ୍ପର୍କରେ ସ୍ୱଚ୍ଛତା ଏହା ଦ୍ୱାରା ଆଣିବା ଲକ୍ଷ୍ୟ ।ଲୋକେ ଘରଟିଏ କିଣିବାକୁ ସେମାନଙ୍କ ଜୀବନକାଳର କଷ୍ଟ ଉପାର୍ଜିତ ସବୁ ପୁଞ୍ଜି ଲଗାଇ ଦିଅନ୍ତି । ମାତ୍ର ବିଲ୍ଡରଙ୍କୁ ସେମାନେ ଦେଉଥିବା ଫ୍ଲାଟ୍ ବାବଦ ଅର୍ଥ ଠିକ୍ କାମରେ ଖର୍ଚ୍ଚ ହେଉଛି କି ନା ତାର ତଦାରଖ ମଧ୍ୟ ଅନେକେ କରନ୍ତି ନାହିଁ । ସଂସ୍ଥାଙ୍କ ମନମାନି ଯୋଗୁ ଗ୍ରାହକଙ୍କ ଅଡୁଆ ବଢ଼ୁଛି । ବିଲ୍ଡର ସମସ୍ୟା ସୃଷ୍ଟି କରିବାରୁ ଲୋକେ ସର୍ବସ୍ୱାନ୍ତ ହୋଇ କୋର୍ଟ କଚେରୀ ଦୌଡ଼ୁଛନ୍ତି ।
ଘରକ୍ରେତାଙ୍କୁ ଏ କ୍ଷେତ୍ରରେ ସୁରକ୍ଷା ପାଇଁ ରେରା ଅଧିନିୟମରେ ବିଶେଷ ବ୍ୟବସ୍ଥା ରହିଛି । ବିଲ୍ଡର କୌଣସି ପ୍ରକଳ୍ପର ତ୍ରୈମାସ ଅଗ୍ରଗତି ରିପୋର୍ଟ (କ୍ୟୁପିଆର୍) ଦାଖଲ କରିବେ । ଅପରପକ୍ଷେ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷ ଶେଷ ହେବାର ୬ ମାସ ମଧ୍ୟରେ ପ୍ରକଳ୍ପ ଆକାଉଣ୍ଟକୁ ଜଣେ ପ୍ରାକ୍ଟିସନର ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଙ୍କ ଦ୍ୱାରା ଅଡିଟ୍ କରାଇବା ଅନିବାର୍ଯ୍ୟ । ପ୍ରକଳ୍ପର ଅଡିଟ୍ ପ୍ରମାଣପତ୍ର ସିଏ ନିଜ ଦସ୍ତଖତ ସହ ଦେବେ । ଏପଟେ ଆଦାୟ ହୋଇଥିବା ଅର୍ଥ ସେହି ପ୍ରକଳ୍ପ କାମରେ ଖର୍ଚ୍ଚ ହୋଇଛି କି ନାହିଁ, ଯେତେ ପ୍ରତିଶତ କାମ ପାଇଁ ଯାହା ଅର୍ଥ ଉଠାଣ ହେବା କଥା ନିୟମ ମୁତାବକ ତାହା ହୋଇଛି କି ନା ତା’ର କଡ଼ାକଡି ଅଡିଟ୍ କରିବେ । ବିଭିନ୍ନ ସମୟରେ ଆଦାୟ ହୋଇଥିବା ଅର୍ଥକୁ ସଂସ୍ଥା ପ୍ରକଳ୍ପ ନାମରେ ଖୋଲାଯାଇଥିବା ନିର୍ଦ୍ଦିଷ୍ଟ ଆକାଉଣ୍ଟରେ ରଖିବେ । ଅର୍ଥାତ ନିଜ କମ୍ପାନି ଆକାଉଣ୍ଟରେ ଏହି ଅର୍ଥ ରଖାଯାଇପାରିବ ନାହିଁ । ଘର କ୍ରେତା କେବଳ ପ୍ରକଳ୍ପ ସମ୍ପର୍କିତ ବ୍ୟାଙ୍କ ଆକାଣ୍ଟରେ ଅର୍ଥ ରାଶି ଜମା କରିବା ଉଚିତ୍ । ଫଳରେ ସେମାନେ ସୁରକ୍ଷିତ ରହିପାରିବେ ।
ଏହି ଅର୍ଥ କେବଳ ଉଦ୍ଦିଷ୍ଟ ପ୍ରକଳ୍ପ କାମରେ ହିଁ ଲଗାଯିବ । ପ୍ରକଳ୍ପ କାମ ଯେତେ ଅଗ୍ରଗତି କରିବ ସେହି ଆକାଉଣ୍ଟରୁ ନିର୍ଦ୍ଧାରିତ ପରିମାଣର ଅର୍ଥ ଉଠାଣ ହୋଇ ଖର୍ଚ୍ଚ ହେବ । ନିର୍ଦ୍ଦିଷ୍ଟ ପ୍ରତିଶତ କାମ ପାଇଁ କେତେ ଅର୍ଥ ଉଠାଣ ହେବ ସେ ନେଇ ଜଣେ ଇଞ୍ଜିନିୟର, ସ୍ଥପତି ଏବଂ ସିଏ ପ୍ରମାଣପତ୍ର ଦେବେ । କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଆଦାୟ ଅର୍ଥକୁ କମ୍ପାନି ନିଜ ଆକାଉଣ୍ଟରେ ରଖିବା ସହ ଅଲଗା କାମ ପାଇଁ ବ୍ୟବହାର କରୁଥିବା ଦେଖାଯାଉଛି । ଏହା ଉପରେ ରୋକ୍ ଲଗାଇବାକୁ ରେରା ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପ୍ରସଙ୍ଗରେ ରିୟଲ ଇଷ୍ଟେଟ ବିଶେଷଜ୍ଞ ବିମଳେନ୍ଦୁ ପ୍ରଧାନ କହିଛନ୍ତି, ଏଭଳି ପଦକ୍ଷେପ ନୀତିଗତ ଭାବେ ଠିକ୍ ବୋଲି କୁହାଯାଇପାରେ । ତେବେ ରିୟଲ ଇଷ୍ଟେଟ ପ୍ରକଳ୍ପରେ କଳାଟଙ୍କା ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଓରେରା ଆକାଉଣ୍ଟଗୁଡିକର ଫୋରେନସିକ ଅଡିଟ୍ କରାଇବା ଜରୁରୀ ହୋଇପଡ଼ିଛି ।