ମୁମ୍ବାଇ ୧୬/୦୯: ଫିଲ୍ମ ‘ବୈଜୁ ବାୱରା’ର ଲିଡ୍ ଲେଡି ଖୋଜୁଛନ୍ତି ଫିଲ୍ମମେକର୍ ସଂଜୟ ଲୀଲା ଭଂସାଲୀ । ଚର୍ଚ୍ଚା ହେଉଛି, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କାଳେ ଫିଲ୍ମ ପାଇଁ ଅଡିସନ୍ ଦେଇଛନ୍ତି । ତେବେ ରିୟା ଫିଲ୍ମର ନାୟିକା ହେବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଅଡିସନ୍ ଜରିଆରେ ପୁଣି ଥରେ ବଲିଉଡ୍କୁ ଫେରିବାକୁ ସେ ଚେଷ୍ଟା କରୁଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଫିଲ୍ମ ‘ବୈଜୁ ବାୱରା’ରେ ରଣବୀର ସିଂହ ମୁଖ୍ୟ ଅଭିନେତା ଭୂମିକାରେ ନଜନ ଆସିବେ । ଏହା ପୂର୍ବରୁ ସେ ଭଂସାଲୀଙ୍କ ସହ ୩ଟି ଫିଲ୍ମରେ କାମ କରିଛନ୍ତି । ଏହା ଜରିଆରେ ଉଭୟ ଏକସଙ୍ଗେ ୪ର୍ଥ ଫିଲ୍ମରେ କାମ କରିବେ ।
ଗତ କିଛି ଦିନ ତଳେ ଶୁଣାଯାଉଥିଲା, ଆଲିୟା ଓ ରଣବୀରଙ୍କୁ ଏହି ଫିଲ୍ମ ପାଇଁ କାଷ୍ଟ୍ କରାଯାଇଛି । ‘ରକି ଔର୍ ରାନୀ କି ପ୍ରେମ କାହାନୀ’ରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ତେଣୁ ଭଂସାଲୀ ଉଭୟଙ୍କୁ ‘ବୈଜୁ ବାୱରା’ରେ କାଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଫିଲ୍ମମେକର୍ଙ୍କ ତରଫରୁ ଲିଡ୍ ଲେଡିଙ୍କୁ ନେଇ କୌଣସି ସୂଚନା ମିଳିନାହିଁ । ପୂର୍ବତନ ପୁରୁଷ ବନ୍ଧୁ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ରିୟା ମାତ୍ର ଗୋଟିଏ ଫିଲ୍ମରେ କାମ କରିଛନ୍ତି । ଏ ବର୍ଷ ରିୟଲିଟି ଶୋ’ ‘ଏମ୍ଟିଭି ରୋଡିଜ୍: କର୍ମ ୟା କାଣ୍ଡ୍’ ଜରିଆରେ ସେ ଛୋଟ ପରଦାକୁ ଫେରିଛନ୍ତି। ଏବେ ସେ ଭଲ ବଲିଉଡ୍ ପ୍ରୋଜେକ୍ଟ ଖୋଜୁଛନ୍ତି ।