ନୂଆଦିଲ୍ଲୀ,୩୧/୮: ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସେ ଫିଲ୍ମ ଏମରଜେନ୍ସି ହେଉ ବା ରାଜନୈତିକ ବୟାନ । ସବୁବେଳେ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କ ସ୍ବାମୀ ରୋବର୍ଟ ଭଦ୍ରା । କୃଷକଙ୍କ ଉପରେ ନିକଟରେ ଦେଇଥିବା ବିବୃତି ପାଇଁ ବର୍ଷିଛନ୍ତି ରୋବର୍ଟ ।
ସେ କହିଛନ୍ତି ଯେ, କଙ୍ଗନା ଜଣେ ମହିଳା ହୋଇଥିବାରୁ ମୁଁ ତାଙ୍କୁ ସମ୍ମାନ କରେ । କିନ୍ତୁ ସେ ସାଂସଦ ହେବା ପାଇଁ ଯୋଗ୍ୟ ନୁହଁନ୍ତି ତାଙ୍କର ସଂସଦରେ ସ୍ଥାନ ନାହିଁ । ମୁଁ ଭାବୁଛି ସେ ଲୋକଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହାସହ ସେ ମହିଳାଙ୍କ କଥା ମଧ୍ୟ ଭାବନ୍ତି ନାହିଁ । ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ପଦକ୍ଷେପ ନେବା ଉଚିତ । ତେବେ କହି ରଖୁଛୁ କି, କୃଷକଙ୍କ ଆନ୍ଦୋଳନକୁ ନେଇ କଙ୍ଗନା ନିଜର ବିବୃତ୍ତିରେ କହିଥିଲେ କି, ଯଦି ଦେଶରେ ଶକ୍ତିଶାଳୀ ସରକାର ନଥାନ୍ତେ ତାହେଲେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା । ଯାହାକୁ ନେଇ ଏବେ କଙ୍ଗନାକୁ ବିରୋଧୀମାନେ ଘେରିବା ସହ ସମାଲୋଚନା କରୁଛନ୍ତି । ପ୍ରକାଶ ଥାଉକି, ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଫିଲ୍ମ 'ଏମରଜେନ୍ସି' । ଏହି ଫିଲ୍ମରେ କଙ୍ଗନା ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନୁପମ ଖେର ଏବଂ ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଳିନ୍ଦ ସୋମନ, ଶ୍ରେୟସ ତାଲପଡେ, ବିଶକ ନାୟର ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ, ୧୯୭୫ରେ ଭାରତର ଅନ୍ଧକାର ଅଧ୍ୟାୟ ଏମିରଜେନ୍ସି ବିଷୟରେ ଦର୍ଶାଯାଇଛି । ୬ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବ ।