ହାଇଦ୍ରାବାଦଠୁ ହାରିଲା ଆରସିବି, ହୃଦୟ ଜିତିଲେ ଦିନେଶ କାର୍ତ୍ତିକ
Published By : Tapas Panda | April 15, 2024 11:20 PM
Image Courtesy: espncricinfo
ବେଙ୍ଗାଲୁରୁ: ହାଇଦ୍ରାବାଦ ପରେ ଏମ. ଚିନାସ୍ବାମୀ ଷ୍ଟାଡିୟମରେ ରନ୍ ବର୍ଷା କଲା ବେଙ୍ଗାଲୁରୁ । ତଥାପି ଆରସିବିକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଆଜିର ମ୍ୟାଚ୍ରେ ଦିନେଶ କାର୍ତ୍ତିକ (ଡିକେ)ଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ବିମୋହିତ କରିଛି । ୩୫ ବଲ୍ରୁ ୭ ଛକା ଏବଂ ୫ ଚୌକା ବଳରେ ଡିକେ ୮୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କର ଏହି ଲଢ଼ୁଆ ବ୍ୟାଟିଂକୁ ଉଚ୍ଛସିତ ପ୍ରଂଶସା ମିଳିଛି । ୨୮୮ ରନ୍ର ପିଛା କରିବାକୁ ଆସିଥିବା ଆରସିବି ପ୍ରଥମେ ଭଲ ବ୍ୟାଟିଂ କରିଥିଲେ ହେଁ ପରାସ୍ତ ହୋଇଥିଲା । ପ୍ରଥମେ ବିରାଟ କୋହଲି ଏବଂ ଫାଫ ଡୁପ୍ଲେସିସ ଭଲ ଆରମ୍ଭ ଦେଇଥିଲେ । କୋହଲି ୨୦ ବଲ୍ରୁ ୪୨ ରନ୍ କରି ଫେରିଥିଲେ। ଏହା ପରେ ଡୁପ୍ଲେସିସ୍ ୬୨ ରନ୍ କରି ଆଉଟ ହୋଇଥିଲେ । ଶେଷରେ ଆରସିବି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୨୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ସେପଟେ ୨୫ ରନ୍ରେ ମ୍ୟାଚ୍କୁ ଜିତିନେଇଛି ହାଇଦ୍ରାବାଦ ।
ଆଜି ମଧ୍ୟ ହାଇଦ୍ରାବାଦ ଅଧିନାୟକ ପ୍ୟାଟ କମିନ୍ସଙ୍କ ରଣନୀତି କାମ ଦେଇଥିଲା । ସେ ନିଜେ ୪ ଓଭର ବୋଲିଂ କରି ୪୩ ରନ୍ ଦେଇଥିବା ବେଳେ ୩ ଓ୍ବିକେଟ ନେଇ ଆରସିବିକୁ ଦୁର୍ବଳ କରିଥିଲେ । ସେହିଭଳି ମୟଙ୍କ ମାର୍କଣ୍ଡେ ୨ଟି ଓ୍ବିକେଟ ନେଇଥିବା ବେଳେ ଟି ନଟରାଜନ ଭଲ ବୋଲିଂ କରିଥିଲେ । ସେ ୪ ଓଭରରେ ୪୭ ରନ୍ ଦେଇଥିବା ବେଳେ ତାଙ୍କ ଖାତାକୁ ଆସିଥିଲା ଗୋଟିଏ ଓ୍ବିକେଟ । ତେବେ ଆଜିର ମ୍ୟାଚ୍ରେ ଦିନେଶ କାର୍ତ୍ତିକ ହାଇଦ୍ରାବାଦ ବୋଲରଙ୍କୁ ପାଣି ପିଆଇଦେଇଥିଲେ । ଶେଷରେ ନଟରାଜନଙ୍କ ବଲ୍ରେ କିପରଙ୍କ ହାତରେ କ୍ୟାଚ ଆଉଟ ହୋଇ ସେ ଫରିଥିଲେ । କିନ୍ତୁ ଯେତିକି ସମୟ ସେ ପଡ଼ିଆରେ ରହିଥିଲେ ଏଭଳି ଲାଗୁ ଥିଲା ୨୮୮ ରନ୍ ଟାର୍ଗେଟ ମଧ୍ୟ ଆରସିବି ପାଇଁ କିଛି ନୁହେଁ । ମିଡିଲ ଅର୍ଡରରେ ଦଳ ଭଲ ପ୍ରଦର୍ଶନ କରିନପାରିବାରୁ ଆଜି ଆରସିବିକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା ।
ଅନ୍ୟପଟେ ଆଜିର ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ନିଜ ରେକର୍ଡ ନିଜେ ଭାଙ୍ଗିଥିଲା । ମୁମ୍ବାଇ ବିପକ୍ଷରେ ଦଳ ୨୭୭ ରନ୍ କରି ଆଇପିଏଲ ଇତିହାସରେ ସବୁଠୁ ବଡ଼ ସ୍କୋର କରିଥିବା ହାଇଦ୍ରାବାଦ ପୁଣି ଏକ ବଡ଼ ରେକର୍ଡ କରିଥିଲା । ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟରେ ୨୮୭ ରନ୍ କରିଥିଲା ହାଇଦ୍ରାବାଦ । ବେଙ୍ଗାଲୁରୁ ବିପକ୍ଷରେ ହାଇଦ୍ରାବାଦ ୨୮୭ ରନ୍ କରିଥିଲା । ଛକା-ଚୌକା ବର୍ଷା କରିଥିଲା ଟିମ୍ । ଆଜିର ମ୍ୟାଚ୍ରେ ଟ୍ରେଭିସ୍ ହେଡ୍ ୪୧ ବଲରେ ଦମଦାର ୧୦୨ ରନ୍ କରିଥିଲେ । ହେନରିଚ କ୍ଲାସେନ୍ (୬୭), ଅଭିଷେକ ଶର୍ମା (୩୪), ଏବଂ ଆଡନ ମାର୍କମଙ୍କ ଅପରାଜତି ୩୨ ରନ୍ ଓ ଅବ୍ଦୁଲ ସମଦଙ୍କ ଅପରାଜିତ ୩୭ ରନ୍ ବଳରେ ଦଳ ଆଇପିଏଲ ଇତିହାସରେ ସବୁଠୁ ବଡ଼ ସ୍କୋର କରିଥିଲା ।
ଆଇପିଏଲର ୩୦ ତମ ମ୍ୟାଚ୍ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ହାଇଦ୍ରାବାଦ ବ୍ୟାଟରଙ୍କ ଆଗରେ ଅସହାୟ ହୋଇପଡ଼ିଥିଲେ ବେଙ୍ଗାଲୁରୁ ବୋଲର । ପ୍ରଥମେ ଛକା-ଚୌକା ବର୍ଷା କରିଥିଲେ ଟ୍ରେଭିସ ହେଡ୍ । ମାତ୍ର ୪୧ ବଲରୁ ୮ ଛକା ଏବଂ ୯ ଚୌକା ସହ ୧୦୨ ରନ୍ର ବିସ୍ଫୋରକ ଇନିଂସ୍ ଖେଳିଥିଲେ ହେଡ୍ । ସେହିଭଳି ହେନରିଚ କ୍ଲାସେନ ଏବଂ ଆଡନ ମାରକ୍ରମ ବେଙ୍ଗାଲୁରୁର ବୋଲରଙ୍କ ଉପରେ ଜମା ଦୟା କରିନଥିଲେ । ଯେଉଁ ଆଡ଼େ ଚାହିଁଲେ ଖାଲି ରନ୍, ରନ୍ ଆଉ ରନ୍ । ବେଙ୍ଗାଲୁରୁର ବୋଲରଙ୍କୁ ଶୋଚନୀୟ ଢ଼ଙ୍ଗରେ ଧୋଇଥିଲେ କ୍ଲାସେନ। ବିଶାଳ ଛକା ମାରି ଖେଳପ୍ରେମୀଙ୍କୁ ଖୁସି କରିଦେଇଥିଲେ କ୍ଲାସେନ । ସେହିଭଳି ଗୋଟିଏ ଇନିଂସରେ ସର୍ବାଧିକ ୨୨ ଛକା ମାରି ହାଇଦ୍ରାବାଦ ଆଉ ଏକ ବିଶାଳ ରେକର୍ଡ କରିଥିଲା ।
ବେଙ୍ଗାଲୁରୁ ବୋଲରଙ୍କ କଥା କହିଲେ, ଲକି ଫର୍ଗ୍ୟୁସନ ୫୨ ରନ୍ ଦେଇ ୨ ଟି ଓ୍ବିକେଟ ନେଇଥିଲେ। ରିସି ଟୋପଲେ ସର୍ବାଧିକ ୬୮ ରନ୍ ଦେଇଥିବା ବେଳେ ଗୋଟିଏ ଓ୍ବିକେଟ ନେଇଥିଲେ । ବିଜୟକୁମାର ବୈଶାଖ ୪ ଓଭରରେ ୬୪ ରନ୍ ଦେଇଥିବା ବେଳେ ମହିପାଲ ଲୋମରୋର ଗୋଟିଏ ଓଭରରେ ୧୮ ରନ୍ ଦେଇଥିଲେ । ସେହିଭଳି ଓ୍ବିଲ ଜ୍ୟାକ୍ସ ୩ ଓଭରରେ ହାଇଦ୍ରାବାଦ ବ୍ୟାଟର ୩୨ ରନ୍ ଚୋରାଇ ନେଇଥିଲେ ।