ନୂଆଦିଲ୍ଲୀ,୪।୯: ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ର ସପ୍ତମ ଦିନରେ ଭାରତୀୟ ଆଥଲେଟ୍ଙ୍କ ଦେଖିବାକୁ ମିଳିଛି କମାଲା। ସଟ୍ ପୁଟ୍(F-46)ରେ ଭାରତୀୟ ପାରା ଆଥଲେଟ୍ ସଚିନ ସାରଜେରାଓ ଖିଲାରୀଙ୍କୁ ମିଳିଛି ରୌପ୍ୟ ପଦକ। ଯାହାଫଳରେ ବର୍ତ୍ତମାନ ସୁଦ୍ଧା ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୧ରେ ପହଁଞ୍ଚି। ଭାରତ ଏପର୍ଯ୍ୟନ୍ତ ୩ ଟି ସ୍ବର୍ଣ୍ଣ, ୭ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ମେଡାଲ ଜିତିସାରିଛି।
ଫାଇନାଲ ବେଳେ ସଚିନ୍ ସରଜେରାଭ ଖିଲାରି ନିଜର ଦ୍ବିତୀୟ ଚେଷ୍ଟାରେ ୧୬.୩୨ ମିଟର ଥ୍ରୋ କରିଥିଲେ। ଏହି ଇଭେଣ୍ଟର ଗୋଲ୍ଡ ମେଡାଲ କାନାଡାର ଗ୍ରେଗ୍ ଷ୍ଟିଭର୍ଟ ଜିତିଛନ୍ତି। ଷ୍ଟିଭର୍ଟଙ୍କ ବେଷ୍ଟ ଥ୍ରୋ ୧୬.୩୮ ମିଟର ରହିଛି। ସେଭଳି କ୍ରୋଏଶିଆର ବାକୋଭିକ ଲୁକା(୧୬.୨୭ ମିଟର) ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ଭାରତର ମହମ୍ମଦ ୟାସର ଅଷ୍ଟମ ଓ ରୋହିତ କୁମାର ନବମ ସ୍ଥାନରେ ଅଛନ୍ତି।
୩୪ ବର୍ଷୀୟ ସଚିନ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ଆସିଛନ୍ତି। ୯ ବର୍ଷ ବୟସରେ ସାଇକେଲ୍ ଦୁର୍ଘଟଣାରେ ସେ ଆହତ ହୋଇଥିଲେ, ଏହି କାରଣରୁ ତାଙ୍କର ବାମ ହାତ ଭାଙ୍ଗି ଯାଇଥିଲା। ତା ପରେ ଇଞ୍ଜିନିୟରିଂ ପଢିବା ସହ ଖେଳାଖେଳି ପ୍ରତି ତାଙ୍କର ଇଚ୍ଛାଶକ୍ତି ବଢିଥିଲା। ଆରମ୍ଭରୁ ସେ ଜାଭେଲିନ୍ ଥ୍ରୋ କରିବା ଆରମ୍ଭ କରିଥିଲେ, କିନ୍ତୁ କାନ୍ଧରେ ଆଘାତ କାରଣରୁ ସେ ସଟ୍ ପୁଟ୍କୁ ସିଲେକ୍ଟ କରିଥିଲେ। ଏହି ପରିବର୍ତ୍ତନ ତାଙ୍କ କ୍ୟାରିୟରରେ ଏକ ଗୁରୁତ୍ବପୂର୍ଣ୍ଣ ମୋଡ ଭାବରେ ପ୍ରମାଣିତ ହୋଇଥିଲା।