କୋଣାର୍କ,୯।୯ : (ମାନସ ରଞ୍ଜନ ପାତ୍ର) : କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ଆଶଙ୍କା ଦେଖାଦେଇଛି। ଆନ୍ତରିକତା ଓ ସମନ୍ବୟ ଅଭାବରୁ ଅଧାରୁ ବନ୍ଦ ରହିଛି ଏହି କାର୍ଯ୍ୟ। ଏହାର କାରଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ କୌଣସି ଉତ୍ତର ନାହିଁ । ଆଜିକୁ ଦୁଇ ବର୍ଷ ବିତିଲା ଏହି କାର୍ଯ୍ୟ କେବେ ସରିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତ ୨୦୨୨ ସେପ୍ଟେମ୍ବର ମାସ ୮ ତାରିଖରେ ଏଏସଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ। ୨୦୨୩ ଜାନୁୟାରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା। ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଉଟ କାର୍ଯ୍ୟ ଆରମ୍ଭ ହୋଇଥିଲା। ବଡ଼ ଲୁହା ବିମ୍ ବସାଯାଇ ମୁଳଦୂଆ ପକା ଯାଇଥିଲା। ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଛି। ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ବନ୍ଦ ରହିଛି। ୩ବର୍ଷ ଭିତରେ ଗର୍ଭଗୃହରୁ ବାଲି ବାହାରିବା ନେଇ ସମୟ ଧାର୍ଯ୍ୟ ରହିଥିଲା। ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ।
ଏହି କାର୍ଯ୍ୟ ସମୟରେ ମନ୍ଦିର କୀର୍ତ୍ତିରାଜି ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଚୂଡାରେ ଗର୍ତ୍ତ କରାଯାଇ ବାଲି ଗୁଡିକ ଲିଫ୍ଟ ମାଧ୍ୟମରେ ବାହାରିବ। ବାଲି ନିଷ୍କାସନ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ୱାର ଖୋଲି ଦିଆଯିବ। ଏଥିପାଇଁ ପ୍ରାୟ ୩ବର୍ଷ ସମୟ ଲାଗିବ ବୋଲି ସେତେବେଳେ ଏଏସଆଇ ବିଭାଗ କହିଥିଲା। ସୂଚନା ଥାଉକି, ସୂର୍ଯ୍ୟମନ୍ଦିର ପ୍ରତି ବିପଦ ଆଶଙ୍କାରେ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା। ସେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ବନ୍ଦ ରହିଛି।