କଟକ,୨୪/୦୮: ଦୁଇ ଜଣ ମହିଳା ରୋଗୀଙ୍କୁ ଇକୋ କରାଇବା ନାଁରେ ଦୁଷ୍କର୍ମ କରିଥିବା କାର୍ଡିଓଲୋଜି ବିଭାଗର ଅଭିଯୁକ୍ତ ରେସିଡେଣ୍ଟ ଡାକ୍ତର ଠାକୁର ଦିଲ୍ବାଗ୍ ସିଂଙ୍କୁ ଏସ୍ସିବି ମେଡିକାଲ କଲେଜ୍ରୁ ବହିଷ୍କାର କରାଯାଇଛି । ମେଡିକାଲ କଲେଜ କାଉନ୍ସିଲ୍ର ନିଷ୍ପତ୍ତି କ୍ରମେ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଚରମ ଏହି କଠୋର ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଅଭିଯୁକ୍ତ ରେସିଡେଣ୍ଟ ଡାକ୍ତରଙ୍କ ଘର ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲା ମହାରାଣାପ୍ରତାପ ନଗର ଅଞ୍ଚଳରେ । ସେ କାର୍ଡିଓଲୋଜି ବିଭାଗର ତୃତୀୟ ବର୍ଷ ଡିଏମ୍ ଛାତ୍ର ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଡାକ୍ତର ସିଂ ଦୁଷ୍କର୍ମ ମାମଲାରେ ଚୌଦ୍ୱାର ଜେଲ୍ରେ କାରାବରଣ କରୁଛନ୍ତି ।
ମିଳିଥିବା ଖବରରୁ ପ୍ରକାଶ, ଏସ୍ସିବି ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରଙ୍କ ମା’ ଏବଂ ମାଇଁଙ୍କର ହୃଦ୍ରୋଗ ଜନିତ ସମସ୍ୟା ଥିବାରୁ ସେ କାର୍ଡିଓଲୋଜି ବିଭାଗ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ସମ୍ପୃକ୍ତ ରୋଗୀ ଦୁହିଙ୍କର ଇକୋ ପରୀକ୍ଷା କରାଇବାକୁ ଡାକ୍ତର ସିଂ ପରାମର୍ଶ ଦେଇଥିଲେ । ଉଭୟଙ୍କର ଇକୋ ପରୀକ୍ଷା ପାଇଁ ରବିବାରକୁ ଡାକ୍ତର ସମୟ ଧାର୍ଯ୍ୟ କରିଥିଲେ । ରବିବାର ସରକାରୀ ଛୁଟି ଯୋଗୁଁ ଇକୋ ପରୀକ୍ଷା ବନ୍ଦ ଥିବା ସତ୍ତ୍ଵେ ସେ ଜାଣିଶୁଣି ସେହି ସମୟ ଦେଇଥିଲେ । ଡାକ୍ତରଙ୍କ ଧାର୍ଯ୍ୟ ସମୟ ଅନୁସାରେ ଏମ୍ବିବିଏସ୍ ଛାତ୍ର ଜଣକ ତାଙ୍କ ମା’ ଓ ମାଇଁଙ୍କୁ ଦୁଇ ଦିନ ତଳେ କାର୍ଡିଓଲୋଜି ବିଭାଗକୁ ଡକାଇଥିଲେ । ତେବେ ଇକୋ କରିବା ପାଇଁ ପୃଥକ୍ ଭାବେ ଦୁଇ ରୋଗୀଙ୍କୁ ଅଭିଯୁକ୍ତ ଡାକ୍ତର ସିଂ ପ୍ରକୋଷ୍ଠକୁ ଡକାଇଥିଲେ । ପ୍ରଥମେ ଡାକ୍ତରୀ ଛାତ୍ରଙ୍କ ମାଇଁ ତଥା ୪୪ ବର୍ଷ ମହିଳା ପରୀକ୍ଷା କରାଇବା ପାଇଁ ଭିତରକୁ ଯାଇଥିଲେ । ପରୀକ୍ଷା ବେଳେ ରୁମ୍ ଭିତରକୁ ସାଙ୍ଗରେ ଯାଇଥିବା ସମ୍ପର୍କୀୟ ତଥା ଏମ୍ବିବିଏସ୍ ଛାତ୍ରଙ୍କୁ ଡାକ୍ତର ସିଂ ବାରଣ କରି ବାହାରେ ଅପେକ୍ଷା କରିବାକୁ କହିଥିଲେ । ପ୍ରକୋଷ୍ଠ ଭିତରେ ଇକୋ ପରୀକ୍ଷା କରିବା ସମୟରେ ମହିଳାଙ୍କ ସହ ଅଭିଯୁକ୍ତ ଡାକ୍ତର ଅସଦାଚରଣ କରିଥିଲେ।
ରୋଗୀ ଏହାର ପ୍ରତିବାଦ କରିବାରୁ ‘ଡାକ୍ତରଙ୍କ ଆଗରେ ପରୀକ୍ଷା ସମୟରେ ଏସବୁରେ ଲାଜ କଲେ ଚଳିବ ନାହିଁ’ ବୋଲି ଅଭିଯୁକ୍ତ ଡାକ୍ତର ତାଙ୍କୁ କହିଥିଲେ । ପୀଡ଼ିତା ଚୁପ୍ ରହିବା ମଧ୍ୟରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ବଳାତ୍କାର କରିବା ସହ ଇକୋରେ ବ୍ୟବହୃତ କିଛି ସରଞ୍ଜାମ ଜରିଆରେ ପୀଡ଼ିତାଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲେ । ୩୦ ମିନିଟ୍ କାଳ ପ୍ରକୋଷ୍ଠ ଭିତରେ ତାଙ୍କୁ ଅମାନୁଷିକ ଅତ୍ୟାଚାର କରି ଛାଡ଼ିବା ପରେ ଡାକ୍ତରୀ ଛାତ୍ରଙ୍କ ମା’ ତଥା ୫୧ ବର୍ଷ ବୟସ୍କା ମହିଳା ଭିତରକୁ ଯାଇଥିଲେ । ତାଙ୍କ ସହ ଅଭିଯୁକ୍ତ ଡାକ୍ତର ସିଂ ମଧ୍ୟ ସମାନ ଢଙ୍ଗରେ ବଳାତ୍କାର କରିବା ସହ ପାଶବିକ ଅତ୍ୟାଚାର କରିଥିଲେ ବୋଲି ପୁଲିସ କହିଛି । ଅଭିଯୁକ୍ତ ଡାକ୍ତର ଅପ୍ରାକୃତିକ ଉପାୟରେ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିବାରୁ ଦୁଇ ପୀଡ଼ିତା ଆହତ ହୋଇଥିଲେ । ଇକୋ ପରୀକ୍ଷା ପରେ ଉଭୟ ମା’ ଏବଂ ମାଇଁ ଯନ୍ତ୍ରଣା ଅନୁଭବ କରିବା ସହ ଆହତ, ରକ୍ତାକ୍ତ ହେବା ପଛର କାରଣକୁ ନେଇ ଏମ୍ବିବିଏସ୍ ଛାତ୍ରଙ୍କର ସନ୍ଦେହ ହୋଇଥିଲା । ପ୍ରକୃତ ଘଟଣା ଜାଣିବା ପାଇଁ ସେ ତାଙ୍କ ମା’ ଓ ମାଇଁଙ୍କଠାରୁ ସବୁ କଥା ବୁଝିଥିଲେ । ଏଭଳି ଅଭାବନୀୟ ଘଟଣା ଜାଣିବା ପରେ ସେ ଏ ସମ୍ପର୍କରେ ହଷ୍ଟେଲ୍କୁ ଯାଇ ସହପାଠୀମାନଙ୍କୁ ଜଣାଇଥିଲେ । ଏହାକୁ ନେଇ ହଷ୍ଟେଲ୍ର ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
କେତେକ ଛାତ୍ର ଏକାଠି ହୋଇ ରେସିଡେଣ୍ଟ୍ ହଷ୍ଟେଲ୍ରୁ ଅଭିଯୁକ୍ତ ଡାକ୍ତରଙ୍କୁ ଡକାଇ କ୍ୟାମ୍ପସ୍ ଭିତରକୁ ନେଇଯାଇଥିଲେ । ଅଭିଯୁକ୍ତ ଡାକ୍ତରଙ୍କୁ ସେଠାରେ ମାଡ଼ ମରାଯାଇଥିବା କୁହାଯାଉଛି । ଡାକ୍ତର ଅଚେତ ହୋଇପଡ଼ିବାରୁ ଛାତ୍ରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନା ପକ୍ଷରୁ ଅଭିଯୁକ୍ତ ଡାକ୍ତର ସିଂଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସୁସ୍ଥ ହେବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆଧାରରେ ଆଜି ତାଙ୍କୁ ଗିରଫ ଦର୍ଶାଇ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଡାକ୍ତର ସିଂ ବିବାହିତ । ତାଙ୍କ ପତ୍ନୀ ବି ଜଣେ ଡାକ୍ତର । ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ରହିଛି । ଘଟଣା ସମ୍ପର୍କରେ ଅତିରିକ୍ତ ଡିସିପି ଶ୍ରୀ ମିଶ୍ର କହିଛନ୍ତି କି’ ଡାକ୍ତର ସିଂ ମନ୍ଦ ଉଦ୍ଦେଶ୍ୟ ରଖି ଦୁଇ ମହିଳା ରୋଗୀଙ୍କୁ ଜାଣିଶୁଣି ଛୁଟି ଦିନରେ ଡକାଇଥିଲେ । ମହିଳା ରୋଗୀଙ୍କ ଇକୋ ପରୀକ୍ଷା ମହିଳା କର୍ମଚାରୀଙ୍କ ଉପସ୍ଥିତିରେ କରାଇବାର ନିୟମ ଥିଲେ ହେଁ ଅଭିଯୁକ୍ତ ଡାକ୍ତର କୌଣସି ମହିଳା କର୍ମଚାରୀ ନ ଡକାଇ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାହାରକୁ ବାହାର କରିଦେଇ ବଳାତ୍କାର କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଥିଲାଗି ସମ୍ପୃକ୍ତ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବା ସହ, ମହିଳା ପୁଲିସ ଅଧିକାରୀ ଭାରତୀୟ ଆଚାର ସଂହିତା ଧାରା ୧୮୦ ଅନୁସାରେ ଉଭୟଙ୍କ ବୟାନ ରେକର୍ଡ କରିଥିଲେ।
ସେହିପରି ପୀଡ଼ିତା ଦୁହିଙ୍କର ଧାରା ୧୮୩ରେ କୋର୍ଟରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି । ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ସହ ତାଙ୍କ ନଖ ଓ ଅନ୍ତବସ୍ତ୍ରର ନମୁନା ସଂଗ୍ରହ କରଯାଇଛି । ସେହିପରି ଇକୋରେ ବ୍ୟବହାର ହେଉଥିବା ଉପକରଣକୁ ମଧ୍ୟ ପୁଲିସ ଜବତ କରିଛି । ଏସବୁ ସାମଗ୍ରୀ ସାଇଣ୍ଟିଫିକ୍ ପରୀକ୍ଷା ଲାଗି ଷ୍ଟେଟ୍ ଫରେନସିକ୍ ଲ୍ୟାବ୍କୁ ପଠାଯିବ ବୋଲି ପୁଲିସ୍ କହିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଡାକ୍ତର ସିଂଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମଧ୍ୟପ୍ରଦେଶ ଭୋପାଳରୁ ଆସିଥିବା ଡାକ୍ତରଙ୍କ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୁଲିସ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି ।
ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୬୪-୨-ଇ (ଡାକ୍ତରଖାନା ଭିତରେ କୌଣସି କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ) ଲଗାଇ ଡାକ୍ତରଙ୍କୁ ଗିରଫ କରିଥିଲା ପୁଲିସ ।