ମାଲକାନଗିରି, ୧୦/୮(ଆପ୍ର ) : ରାଜ୍ୟ ଗଣଶିକ୍ଷା ବିଭାଗ ସଚିବ ଅଶ୍ବଥ ଏସ୍ ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷା ବ୍ୟବସ୍ଥା ସମ୍ପର୍କ ରେ ସମୀକ୍ଷା କରିଛନ୍ତି।
ଜିଲ୍ଲାପରିଷଦ ସଭା ଗୃହରେ ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ଶିକ୍ଷାଧିକାରୀ ନରେଶ ଶବର , ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ଚିତ୍ରକୋଣ୍ଡା, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉକ୍ତ ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ଓ ସମଗ୍ର ଶିକ୍ଷାର ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ । ଗସ୍ତର ଦ୍ବିତୀୟ ଦିବସରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଚାଲାଣଗୁଡା, ଓଡିଶା ଆଦର୍ଶ ବିଦ୍ୟାଳୟ, ଗନ୍ଧିପାଲ୍ଲୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ଚିତ୍ରକୋଣ୍ଡା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟେମ୍ପରାରୀ କଲୋନୀ, ଚିତ୍ରକୋଣ୍ଡାକୁ ବୁଲି ଦେଖିବା ସହିତ ବିଦ୍ୟାଳୟରେ ଥିବା ମୌଳିକ ଅସୁବିଧା ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କର ସହ ଆଲୋଚନା ଓ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ।