ନୂଆଦିଲ୍ଲୀ ୨୩/୦୮: ବୋଟ୍ସୱାନାରେ ମିଳିଛି ବିଶ୍ୱର ୨ୟ ସବୁଠୁ ବଡ଼ ହୀରା । କାନାଡ଼ାର ଲୁକାରା ଡାଇମଣ୍ଡ୍ କମ୍ପାନି ମାଲିକାନାରେ ଥିବା ବୋଟ୍ସୱାନା ସ୍ଥିତ କାରୋୱେ ଖଣିରେ ୨,୪୯୨ କ୍ୟାରେଟ୍ର ହୀରା ମିଳିଛି । ବୋଟ୍ସୱାନାର ରାଜଧାନୀ ଗାବୋରୋନ୍ଠାରୁ ୫୦୦ କିମି ଦୂରରେ ଏହି ଖଣି ଅବସ୍ଥିତ । ବୋଟ୍ସୱାନା ସରକାର କହିଛନ୍ତି, ଏହା ଦକ୍ଷିଣ ଆଫ୍ରିକୀୟ ରାଜ୍ୟରେ ଅଦ୍ୟାବଧି ଆବିଷ୍କୃତ ସର୍ବବୃହତ ହୀରା । ୧୯୦୫ ମସିହାରେ ମିଳିଥିବା ୩,୧୦୬ କ୍ୟାରେଟ୍ କୁଲିନାନ୍ ହୀରା ପରେ ଏହା ସବୁଠୁ ବଡ଼ ଆବିଷ୍କାର ।
ସର୍ବବୃହତ କୁଲିନାନ୍ ହୀରାକୁ ୯ଟି ଭିନ୍ନ ଭିନ୍ନ ପଥରରେ କଟାଯାଇଥିଲା । ତନ୍ମଧ୍ୟରୁ ଅନେକ ବ୍ରିଟିଶ କ୍ରାଉନ୍ ଜୁଏଲ୍ସରେ ରହିଛି । ୨୦୧୯ ମସିହାରେ ବୋଟ୍ସୱାନାରେ ସବୁଠୁ ବଡ଼ ୧,୭୫୮ କ୍ୟାରେଟ୍ର ହୀରା ମିଳିଥିଲା । ଫ୍ରାନ୍ସର ଲୋକପ୍ରିୟ ଫ୍ୟାଶନ୍ ବ୍ରାଣ୍ଡ୍ ଲୁଇ ଭୁଇଟନ୍ ଏହାକୁ କିଣିଥିଲା । ବୋଟ୍ସୱାନା ବିଶ୍ୱର ସର୍ବବୃହତ ହୀରା ଉତ୍ପାଦକ । ବିଶ୍ୱ ହୀରା ଉତ୍ପାଦନରେ ଏହାର ୨୦ ପ୍ରତିଶତ ଯୋଗଦାନ ରହିଛି ।
ଲୁକାରା ଡାଇମଣ୍ଡ୍ କମ୍ପାନି ଅନୁସାରେ, ସଦ୍ୟ ଆବିଷ୍କୃତ ହୀରା ବିଶ୍ୱରେ ଅଦ୍ୟାବଧି ମିଳିଥିବା ଅନ୍ୟତମ ସର୍ବବୃହତ କଞ୍ଚା ହୀରା । କମ୍ପାନିର ମେଗା ଡାଇମଣ୍ଡ୍ ରିକଭରୀ ଏକ୍ସ-ରେ ଟେକ୍ନୋଲୋଜି ଜରିଆରେ ହୀରାକୁ ଚିହ୍ନଟ କରାଯାଇଥିଲା । ହୀରା ଚିହ୍ନଟ ଓ ଉଚ୍ଚ ଗୁଣବତ୍ତାସମ୍ପନ୍ନ ହୀରା ସଂରକ୍ଷଣ ଲାଗି ୨୦୧୭ ମସିହାରୁ ଏହି ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି । ତେବେ ହୀରାର ମୂଲ୍ୟ ବିଷୟରେ କମ୍ପାନି କୌଣସି ସୂଚନା ଦେଇନାହିଁ । ୨୦୧୬ ମସିହାରେ ଏହି ଖଣିରୁ ୧,୧୦୯ କ୍ୟାରେଟ୍ର ହୀରା ମିଳିଥିଲା । ଏହାକୁ ୨୦୧୭ ମସିହାରେ ଲଣ୍ଡନର ଗ୍ରାଫ୍ ଡାଇମଣ୍ଡ୍ସର ଚେୟାରମ୍ୟାନ୍ ଲରେନ୍ସ ଗ୍ରାଫ୍ ୫୩ ନିୟୁତ ଡଲାରରେ କିଣିଥିଲେ ।