ମୁମ୍ବାଇ ୦୬/୦୮: ୨୦୨୧ ମସିହାରେ ‘ବଣ୍ଟି ଔର ବବ୍ଲି-୨’ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଶର୍ବରୀ ୱାଘ୍ । ସେହି କମେଡି ଫିଲ୍ମରେ ନବାଗତା ଶର୍ବରୀଙ୍କର ଅଭିନୟକୁ ଉଚ୍ଚ ପ୍ରଶଂସା ମିଳିଥିଲା । ତାର ତିନି ବର୍ଷ ପରେ ହରର୍ ଫିଲ୍ମ ‘ମୁଞ୍ଜୟା’ରେ ନଜର ଆସିଥିଲେ ଶର୍ବରୀ । ଫିଲ୍ମଟି ସେତେ ଅଧିକ ବ୍ୟବସାୟିକ ସଫଳତା ପାଇନଥିଲେ ବି ଶର୍ବରୀ ପୁଣି ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ ।
ନିକଟରେ ମୁକ୍ତିଲାଭ କରିଥିବା ‘ମହାରାଜ’ରେ ବି ତାଙ୍କୁ ଏକ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ମିଳିଥିଲା । ଆଗକୁ ତାଙ୍କୁ ଜନ୍ ଆବ୍ରାହମ୍ଙ୍କ ସହିତ ‘ବେଦା’ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ତାଙ୍କ କ୍ୟାରିୟର ଲାଗି ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶର୍ବରୀ କହିଛନ୍ତି, ଦର୍ଶକେ ମୋତେ ଏଥିରେ ଜବରଦସ୍ତ ଆକ୍ସନ ଅବତାରରେ ଦେଖିବାକୁ ପାଇବେ । ଏହାର କାହାଣୀ ଜଣେ ଯୁବତୀଙ୍କ ଉପରେ ପର୍ଯ୍ୟବସିତ ଯିଏକି ଉତ୍ପୀଡ଼ନ ବିରୋଧରେ ଲଢ଼ୁଛନ୍ତି । ଏହି ଫିଲ୍ମ ପାଇଁ ସୁଯୋଗ ଦେଇଥିବାରୁ ମୁଁ ନିର୍ଦ୍ଦେଶକ ନିଖିଲ ଆଡଭାନିଙ୍କ ନିକଟରେ କୃତଜ୍ଞ । ସେହିପରି ଜନ୍ ମୋତେ ପ୍ରତି ପଦକ୍ଷେପରେ ଗାଇଡ୍ କରିଥିଲେ । ତାଙ୍କ ସହିତ ଆକ୍ସନ କରିବା ମୋ’ ଲାଗି ଏକ ସ୍ୱପ୍ନ ପୂରଣ ହେବା ଭଳି । ମୋ’ କ୍ୟାରିୟର ଲାଗି ଏହି ଫିଲ୍ମ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରୁଛି ।
‘ବେଦା’ ଚଳିତ ମାସ ୧୫ ତାରିଖରେ ରିଲିଜ୍ ହେବ । ଫିଲ୍ମରେ ଶର୍ବରୀ ଓ ଜନ୍ଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ, ତମନ୍ନା ଭାଟିଆ, ମୌନି ରୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସେପଟେ ‘ବେଦା’ ବ୍ୟତୀତ ଶର୍ବରୀ ୟଶରାଜ ଫିଲ୍ମସର ସ୍ପାଏ ଥ୍ରିଲର ‘ଆଲ୍ଫା’ରେ ବି ନଜର ଆସିବେ । ସେଥିରେ ତାଙ୍କ ସହିତ ଅଭିନେତ୍ରୀ ଆଲିୟା ଭଟ୍ଟ ସ୍କ୍ରିନ୍ ସେୟାର କରିବେ ।