ପ୍ରମୂଖ ଖବର

୪ ବର୍ଷ ଅପେକ୍ଷାର ହେବ ଅନ୍ତ, ଖୁବ୍‌ଶୀଘ୍ର ଖୋଲିବ ଶ୍ରୀମନ୍ଦିର ଚାରି ଦ୍ୱାର, ନୂଆ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ପୁରୀ,୧୧/୦୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବ । ଭକ୍ତ ବିନା ପ୍ରତିବନ୍ଧକରେ ଶ୍ରୀମନ୍ଦିର ଭିତରକୁ ଯେକୌଣସି ଦ୍ୱାର ଦେଇ ପ୍ରବେଶ  କରିବ । ୪ ବର୍ଷ ଅପେକ୍ଷାର ଅନ୍ତ ହେବ । କରୋନା ମହାମାରୀ ସମୟରୁ ତତ୍କାଳୀନ ସରକାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଉପରେ ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ମୁକ୍ତ ପ୍ରବେଶ ଓ ପ୍ରସ୍ଥାନରେ କଟକଣା ଲଗାଇଥିଲା । ବାରମ୍ବାର ଦାବି ସତ୍ତେ୍ୱ ବିଜେଡି ସରକାର କିମ୍ବା ସ୍ଥାନୀୟ ପ୍ରଶାସନ କଟକଣା ହଟାଇବାକୁ ଆଦୌ ପଦକ୍ଷେପ ନେଉ ନଥିଲା । 

ଚଳିତ ନିର୍ବାଚନରେ ବିଜେପି  ଏହାକୁ ପ୍ରସଙ୍ଗ କରିଥିଲା । ସରକାର  ହେଲେ ତୁରନ୍ତ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପ୍ରବେଶ ନିମନ୍ତେ ଖୋଲି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମତେ  ବହୁ ନେତୃମଣ୍ଡଳୀ ଘୋଷଣା କରିଥିଲେ । କଂଗ୍ରେସ ଏହି ପ୍ରସଙ୍ଗ ନେଇ ଆନ୍ଦୋଳନ କରିଥିଲେ ହେଁ ଦଳୀୟ ସଂକଳ୍ପରେ ଏହା  ସ୍ଥାନ ପାଇନଥିଲା । ଫଳସ୍ୱରୁପ ବିଜେପିର  ସଂକଳ୍ପ ଉପରେ ଲୋକେ ବିଶ୍ୱାସ କରି ସରକାର ଗଠନ ନିମନ୍ତେ ବିପୁଳ ଜନ  ସମର୍ଥନ ଦେଇଛନ୍ତି । ବିଜେପି ରାଜ୍ୟରେ  ଆସନ୍ତା ୧୨ ତାରିଖରେ ସରକାର ଗଠନ  କରିବାକୁ ଯାଉଛି । ବିଜେପି ନେତୃତ୍ୱଙ୍କ  ଘୋଷଣା ମୁତାବକ ସରକାର ଗଠନର ୬  ଘଣ୍ଟା ଭିତରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲି  ଦିଆଯିବ ବୋଲି ଶ୍ରଦ୍ଧାଳୁଙ୍କ ଭିତରେ ଅପେକ୍ଷା  ରହିଛି । ପ୍ରାଶାସନିକ ସ୍ତରରେ ମଧ୍ୟ ଚାରିଦ୍ୱାର  ଖୋଲିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 

ଖାଲି ଶ୍ରଦ୍ଧାଳୁ ନୁହଁନ୍ତି ପୁରୀର ବୁଦ୍ଧିଜୀବୀ,  ରାଜନେତା, ସେବାୟତ ମଧ୍ୟ ବିଜେପିର ଏହି  ସଂକଳ୍ପ ଓ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସମସ୍ତେ ବିଜେପି ସରକାର କେବେ ଶ୍ରୀମନ୍ଦିର  ଚାରିଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲୁଛି ତାହାକୁ  ଚାହିଁ ବସିଛନ୍ତି । ଶ୍ରୀମନ୍ଦିର ଚାରିଦ୍ୱାର କାହିଁକି  ୪ବର୍ଷ ବନ୍ଦ ଥିଲା ସେନେଇ ପ୍ରାଶାସନିକ  ଅଧିକାରୀ ଚୁପ୍‌ । ଯଦି ଶ୍ରୀମନ୍ଦିର ଚାରିଦ୍ୱାର  ଖୋଲିବାକୁ ବିଜେପି ସରକାର ନିର୍ଦ୍ଦେଶ  ଦିଏ, ଏଥିପାଇଁ କ’ଣ ପଦକ୍ଷେପ ନିଆଯିବ  ସେବାବଦରେ ମଧ୍ୟ ସ୍ପଷ୍ଟ ଭାବେ କିଛି ମତ  ଦେବାକୁ ଆଗ୍ରହ ଦେଖାଉନାହାନ୍ତି । ଜିଲ୍ଲା  ପ୍ରାଶାସନିକ ଉଚ୍ଚ ଅଧିକାରୀମାନେ ମଧ୍ୟ  ବିଜେପି ସରକାର ଗଠନ ପରେ କ’ଣ ନିର୍ଦ୍ଦେଶ  ଆସୁଛି ତାକୁ ଅପେକ୍ଷା କରିଥିବା ଦେଇଥିବା  ମତାମତରୁ ଜଣାପଡ଼ିଛି ।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.