ପ୍ରମୂଖ ଖବର

ଶ୍ରୀମନ୍ଦିରରେ ଫଗୁ ଦଶମୀ ନୀତିକାନ୍ତି: ମହାପ୍ରଭୁଙ୍କ ମନୋହର ଚାଚେରୀ ବେଶରେ ଦେଉଛନ୍ତି ଦର୍ଶନ

ପୁରୀ ୧୯/୦୩: ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି।  ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା ଅଟେ। 

ତେବେ ଫଗୁ ଦଶମୀରେ  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ। ସେଠାରେ ଅବିର ଓ ଫଗୁ ଲାଗି କରାଯିବ। ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। 

ଫଗୁ ଦଶମୀ ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ଅନୁଷ୍ଠିତ ହେବ। ଆସନ୍ତା ଚତୁର୍ଦଶୀ ତିଥି ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାଚେରୀ ବେଶରେ ମହାପ୍ରଭୁ ରକ୍ତବସ୍ତ୍ର ପରିଧାନ କରିବା ସହ ବିଭିନ୍ନ ଅଳଙ୍କାରରେ ସଜିତ ହେବେ। ପ୍ରତିଦିନ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯିବ। ଆଜି ମଧ୍ୟ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। 

ସେପଟେ ଆସନ୍ତା ୨୪ ତାରିଖରେ ମେଣ୍ଢାପୋଡି ଉତ୍ସବ ଅନୁଷ୍ଠିତ ହେବା ସହ ୨୫ ତାରିଖରେ ଦୋଳପୂର୍ଣ୍ଣମୀ  ଅବସରରେ ଚତୁର୍ଦ୍ଧା ବିଗ୍ରହ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଵେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ନୀତି କାନ୍ତି କୁ ଗୁରୁତ୍ବ ଦିଆଯାଇଛି।

ଶ୍ରୀମନ୍ଦିରରେ ଫାଲ୍‌ଗୁନ ଶୁକ୍ଳ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ରତ୍ମ ସିଂହାସନରେ ଶ୍ରୀବିଗ୍ରହମାନେ ଅତିବ ମନୋରମ "ଚାଚେରୀ' ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ସୌଭାଗ୍ୟ ପ୍ରଦାନ କରିଥାନ୍ତି । ସ୍କନ୍ଦ  ପୁରାଣରେ ଏ ସମ୍ପର୍କରେ ଲେଖାଯାଇଛି- ଫାଲ୍‌ଗୁନ ମାସି କୁର୍ବୀତ ଦୋଳାରୋହଣ ମୁତ୍ତମମ୍‌/  ଯାତ୍ରକ୍ରୀଡ଼ତି ଗୋବିନ୍ଦୋ ଲୋକାନୁଗ୍ରହଣୀୟ ବୈ । 

ଚାଚେରୀ ଶବ୍ଦର ଅର୍ଥ ହେଲା ଉତ୍ସବ-ଗୀତବାଦ୍ୟ ଓ ହର୍ଷୋଲ୍ଳାସ । ଏଣୁ ଦୋଳ ଉତ୍ସବର  ଆନନ୍ଦ କୋଳାହଳମୟ ଫଗୁଖେଳ ପାଇଁ ଏହି ଶବ୍ଦଟି ବ୍ୟବହୃତ ହୋଇଥାଏ । ଚାଚେରୀ ବେଶରେ  ମହାପ୍ରଭୁ ଲାଲବର୍ଣ୍ଣର ବସ୍ତ୍ର ପିନ୍ଧନ୍ତି । ଶ୍ରୀଜଗନ୍ନାଥ  ଏବଂ ଶ୍ରୀବଳଭଦ୍ରଙ୍କ ଭୁଜ ଦ୍ୱୟରେ ଯୁକ୍ତ ହୁଏ ସୁନାର  ନଳିଭୁଜ ଏବଂ ସେଥିରେ ଯଥାକ୍ରମେ ଶଙ୍ଖ,ଚକ୍ର,  ହଳମୂଷଳ ଖୋଦିତ ହୋଇଥାଏ । ଦ୍ୱିପହର ଧୂପରୁ  ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭକ୍ତମାନେ ମନୋରମ ଚାଚେରୀ ବେଶ ଦର୍ଶନ କରିପାରନ୍ତି । ଏହି ସମୟରେ  ଫଗୁଖେଳ ହେବା ସହ ଚାଚେରୀ ଭୋଗ ହୁଏ । ଓଡ଼ିଶାରେ ଅନ୍ୟତ୍ର ସର୍ବତ୍ର ଶ୍ରୀରାଧାଙ୍କ  ସହ ଦୋଳଗୋବିନ୍ଦ ଚାଚେରୀ ଭ୍ରମଣ କରୁଥିବାବେଳେ ଶ୍ରୀକ୍ଷେତ୍ରରେ ଦୋଳଗୋବିନ୍ଦଙ୍କ ସହ ଶ୍ରୀଦେବୀ ଏବଂ ଭୂଦେବୀ ଚାଚେରୀ ଯାତ୍ରା କରିଥାନ୍ତି । ଏହି ସମୟରେ ଯେଉଁ ଚାଚେରୀ  ଭୋଗ ଲାଗେ ସେଥିମଧ୍ୟରେ ସାନ ଆରିସା, ବଡ଼ ଆରିସା, ଧଉଳା, ଘିନାଡ଼ି,ମିରିଚି,ନଡୁ,ଖୁରୀ ଇତ୍ୟାଦି ପ୍ରଧାନ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.