ଭୁବନେଶ୍ୱର ୨୭/୦୮: ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ନାମ କୀର୍ତ୍ତନରେ ଦିନତମାମ କମ୍ପିଲା ସହର । ମଧ୍ୟରାତ୍ରରେ ଜନ୍ମନେଲେ ଦେବକୀ ନନ୍ଦନ । କଳା କହ୍ନେଇଙ୍କ ଦର୍ଶନ ପାଇଁ ଦିନ ତମାମ ନିର୍ଜଳା ଉପବାସ କରି ଅପେକ୍ଷାରତ ଶ୍ରଦ୍ଧାଳୁମାନେ କୃତାର୍ଥ ଲାଭ କଲେ । ଏଥିପାଇଁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କେବଳ ମନ୍ଦିର ନୁହେଁ, ଅନେକ ଶ୍ରଦ୍ଧାଳୁ ଘରେ ମଧ୍ୟ ନନ୍ଦଲାଲାଙ୍କ ପୂଜାର୍ଚ୍ଚନା କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଛି । ମଙ୍ଗଳବାର ନନ୍ଦୋତ୍ସବ ପାଳିତ ହେବ ।
ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ହୋଇପଡ଼ିଥିଲା ଇସ୍କନ ମନ୍ଦିର । ସକାଳୁ ଇସ୍କନ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅପରାହ୍ଣ ବେଳକୁ ଭିଡ଼ ଆହୁରି ବଢ଼ିଥିଲା । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ଭଗବାନଙ୍କ ଦର୍ଶନ ଲାଗିବହୁ ସମୟ ଧରି ଭକ୍ତମାନେ ଅପେକ୍ଷା କରିଥିଲେ । ନାମସଂକୀର୍ତ୍ତନ, ଭଜନ କୀର୍ତ୍ତନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଜନ୍ମାଷ୍ଟମୀ ଅବସରରେ କୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଆଲୋଚନା ହେଉଥିଲା । ଛୋଟ ଛୋଟ ପିଲାମାନେ କୃଷ୍ଣ ବେଶରେ ଆସିଥିଲେ । ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ କରଯାଇଥିଲା । ରାତି ୧୨ଟା ପରେ ମହାଭିଷେକ ହୋଇଥିଲା । ଭକ୍ତମାନେ ନନ୍ଦଲାଲା ଜନ୍ମ ହେବା ପରେ ବ୍ରତ ଭାଙ୍ଗିଥିଲେ । ସେମାନଙ୍କ ଲାଗି ଇସ୍କନ୍ ମନ୍ଦିର ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ନନ୍ଦୋତ୍ସବ ପାଳନ କରାଯିବ ।