ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନିଆଁ କବଳରେ ଶିମିଳିପାଳ

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମପ୍ରବାହ । ୪୫ଡିଗ୍ରୀ ଟପିଲାଣି ପାରଦ । ଗୋଟିଏପଟେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସ୍ଥିତିକୁ ଆହୁରି ଗମ୍ଭୀର କରୁଛି ବନାଗ୍ନି ବିଭୀଷିକା । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ଉପକୂଳରୁ ଦକ୍ଷିଣ ଓ ପଶ୍ଚିମରୁ ଉତ୍ତର ଓଡ଼ିଶା ସବୁଠି ନିଆଁର ଆଁରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ରାଜ୍ୟର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା, କଳାହାଣ୍ଡି ଜିଲ୍ଲାର କର୍ଲାପାଟ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, କୋରାପୁଟ ଜିଲ୍ଲାର ନାରାୟଣ ପାଟଣା, ରାୟଗଡ଼ାର ମୁନିଗୁଡ଼ା, ନୟାଗଡ଼ର ଖଣ୍ଡପଡ଼ା, କନ୍ଧମାଳର ସିମନବାଡ଼ି, ଗଜପତିର ରାମଗିରି ଓ ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ତାଣ୍ଡବ ରଚୁଛି ନିଆଁ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ବନମଣ୍ଡଳ ଅଧୀନ ୧୨୭ଟି ଜଙ୍ଗଲରେ ନିଆଁ ଲାଗିବା ଫଳରେ ବନାଗ୍ନି ବିଭୀଷିକା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଏବେ ଦେଶରେ ପ୍ରଥମ ।

ଓଡ଼ିଶାର ସର୍ବବୃହତ ଜଙ୍ଗଲ ଶିମିଳିପାଳ । ଏହି ଘଞ୍ଚ ଓ ବିସ୍ତୀର୍ଣ୍ଣ ଜଙ୍ଗଲ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଅପେକ୍ଷାକୃତ କମ୍‌ ଅନୁଭୂତ ହୁଏ ଗ୍ରୀଷ୍ମର ତାତି । ଏବେ କିନ୍ତୁ ବନାଗ୍ନି କାରଣରୁ ରାଜ୍ୟ ତଥା ଦେଶର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ଏବେ ଶିମିଳିପାଳର ଡୁକୁରା, ତାଳବନ୍ଧ, କେନ୍ଦୁମୁଣ୍ଡି ଓ ଗୁଡଗୁଡିଆ ଆଦି ରେଞ୍ଜରେ ହୁତୁହୁତୁ ହୋଇ ଜଙ୍ଗଲ ଜଳୁଛି ଏବଂ ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ମାଡ଼ିଚାଲିଛି ନିଆଁ । ବନ କର୍ମଚାରୀଙ୍କ ସକଳ ଉଦ୍ୟମ ସତ୍ତେ୍ୱ ଅନେକ ସ୍ଥାନରେ ଥମିବାର ନାଁ ଧରୁନି ନିଆଁର ପ୍ରକୋପ ।

ଶିମିଳିପାଳ ଆମ ଦେଶର ସର୍ବବୃହତ ବିଷୁବମଣ୍ଡଳୀୟ ଜଙ୍ଗଲ । କେବଳ ଭାରତବର୍ଷ ନୁହେଁ, ଏସିଆ ମହାଦେଶର ସର୍ବବୃହତ୍‌ ଜୈବମଣ୍ଡଳ ତଥା ଦ୍ୱିତୀୟ ବୃହତ୍ତମ ଅମ୍ଳଜାନ କେନ୍ଦ୍ର । ମୟୂରଭଞ୍ଜ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥିତ ୨୭୫୦ ବର୍ଗକି.ମି. କ୍ଷେତ୍ରଫଳବିଶିଷ୍ଟ ଏହି ଜୈବମଣ୍ଡଳ ଏକାଧାରରେ ଜାତୀୟ ଉଦ୍‌ଯାନ, ବ୍ୟାଘ୍ର ପ୍ରକଳ୍ପ ଓ ହସ୍ତୀ ଅଭୟାରଣ୍ୟ ଭାବରେ ପରିଚିତ । ସେଥିପାଇଁ ୟୁନେସ୍କୋ ପକ୍ଷରୁ ମିଳିଛି ବିଶ୍ୱ ଐତିହ୍ୟ ମାନ୍ୟତା । ଏହା ଜୈବବିବିିିଧତାର ଅସୁମାରୀ ଭଣ୍ଡାର, ଯେଉଁଠି ରହିଛି ଶାଳ, ପିିିିଆଶାଳ, ଶିଶୁ, ଅସନ, ଶିିିମିଳି ଓ ଚମ୍ପା ଆଦି ୧୦୭୬ ପ୍ରକାର ବୃକ୍ଷଲତା ଏବଂ ୯୬ ପ୍ରକାର ଅର୍ଚିଡ ପ୍ରଜାତିର (ଚିତ୍ରା ଜାତୀୟ) ଫୁଲ । ଏଠାରେ ଏମିତି ୫୫ ପ୍ରକାର ବିରଳ ବୃୃକ୍ଷ ଅଛି, ଯାହା ଦେଖିବାକୁ ମିଳେନି ବିଶ୍ୱର ଅନ୍ୟ କୌଣସି ସ୍ଥାନରେ । ଶିମିଳିପାଳ ଜୈବମଣ୍ଡଳର ପ୍ରଧାନ ଆକର୍ଷଣ ହେଉଛି ଏଠାରେ ଥିବା ୫୫ ଜାତିର ପଶୁ, ୬୨ ପ୍ରକାର ସରୀସୃପ ଓ ୩୦୪ ପ୍ରଜାତିର ପକ୍ଷୀ । ପ୍ରଚଣ୍ଡ ଶୀତ, ସୁଖଦ ଗ୍ରୀଷ୍ମ ଓ ମୂଷଳ ବର୍ଷାର ଅନୁଭବ ମଧ୍ୟରେ ଋତୁ ଆଉ ଜଳବାୟୁର ବିସ୍ମୟକର ବିବିଧତା ହିଁ ଏହି ଅଭୟାରଣ୍ୟର ଅନନ୍ୟ ବିଶେଷତ୍ୱ । ଶିମିଳିପାଳ ହେଉଛି ବଣ ଜଙ୍ଗଲ ତୃଣଭୂମି ଓ ଆର୍ଦ୍ରଭୂମିର ଏକ ସମାହାର । ଆଗ୍ନେୟଶିଳା ଦ୍ୱାରା ଗଠିତ ଏହି ଜୈବମଣ୍ଡଳରେ ରହିଛି ପର୍ଯ୍ୟାପ୍ତ ପରିମାଣର ଜଳସ୍ରୋତ । ଏଠି ବାଘର ହେଣ୍ଟାଳ, ହାତୀର ହୁଙ୍କାର ମନରେ ଯେତିକି ଭୟ ସଞ୍ଚାର କରେ, ପ୍ରାଣକୁ ସେତିକି ଆହ୍ଲାଦିତ କରେ ହରିଣ ଓ ସମ୍ବରର ଚିତ୍କାର, ଜଳ ପ୍ରପାତର ଗର୍ଜନ, ବଣ ଝରଣାର କୁଳୁ କୁଳୁ ନାଦ, ପକ୍ଷୀର କୁଜନ, ମୟୂରର ନୃତ୍ୟ ଓ ବଡ଼ ବଡ଼ ବୃକ୍ଷର ଶାଖାରେ ଶାଖାରେ ଲଟେଇଥିବା ଅର୍କିଡ୍‌ ଫୁଲର ମହମହ ବାସ୍ନା । ବନଭୂୂୂମିର ରଙ୍ଗ, ଶବ୍ଦ ଓ ଆଲୋକର ମହୋତ୍ସବରେ ଗୁଞ୍ଜରିତ ହୁଏ ଜୀବନର ନୂଆ ଛନ୍ଦ । କବି, କଳାକାର, ଭାବୁକ, ଦାର୍ଶନିକ ଓ ପ୍ରକୃତିପ୍ରେମୀଙ୍କୁ ମନ୍ତ୍ରମୁଗ୍‌ଧ କରେ ତାର ଶାନ୍ତ, ସ୍ନିଗ୍‌ଧ ଓ କମନୀୟ ପରିବେଶ । ଶିମିଳି ଗଛରେ ପରିପୂର୍ଣ୍ଣ ଏହି ବନଭୂମି ତଥା ଉତ୍ତୁଙ୍ଗ ପର୍ବତମାଳାର ଚାରୁ ସୁଷମାରେ ବିମୋହିତ ହୋଇ କବିବର ରାଧାନାଥ ଲେଖିଛନ୍ତି- ଶାଶ୍ମଳୀ ଶୈଳୁଁ ତିନି ସ୍ଥାନୁ ତିନି ତଟିନୀ ଝରେ, ଲଂଘି ନାନା ବନ ଜନପଦ ମିଶେ ବଂଗସାଗରେ (ଉଷା) ।

ଶିମିଳିପାଳ କେବଳ ନୈସର୍ଗିକ ଶୋଭାର ଗନ୍ତାଘର ନୁହେଁ, ଅନେକ ଲୋକଙ୍କ ଜୀବନ ଜୀବିକାର ଆଧାର । ଶିମିଳିପାଳ ଭିତରେ ୬୧ଟି ଗାଁ ଥିଲାବେଳେ, ତାର ଚାରିପାଖରେ ରହିଛି ୧୨୦୦ ଗାଁ । ସେଠାରେ ବାସ କରୁଥିବା ଜନଜାତିର ଲୋକଙ୍କ ଆୟର ସିଂହଭାଗ ନିର୍ଭର କରେ ଶିମିଳିପାଳ ଉପରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଓଡ଼ିଶା ପାଇଁ ବରଦାନ ସାବ୍ୟସ୍ତ ହୋଇଛି ତାର ପ୍ରାକୃତିକ ଅବସ୍ଥିତି । ପରିବେଶ ବିଜ୍ଞାନୀଙ୍କ ମତରେ ଶିମିଳିପାଳ ପାଇଁ ଓଡ଼ିଶା ଆଜି ଶସ୍ୟ ଶ୍ୟାମଳା । ଶିମିଳିପାଳ ନଥିଲେ ମରୁ ଅଞ୍ଚଳରେ ପରିଣତ ହୋଇଥାନ୍ତା ଓଡ଼ିଶା ଏବଂ ସୀମାନ୍ତ ରାଜ୍ୟର କିଛି ଅଞ୍ଚଳ । ମାତ୍ର ବିଡ଼ମ୍ବନାର ବିଷୟ, ଆମର ସ୍ୱାର୍ଥପରତା ପାଇଁ ପ୍ରତିବର୍ଷ ଅଭୟାରଣ୍ୟରେ ନିଆଁ ଲାଗୁଛି ଏବଂ ସେଥିରେ ଅସୁମାରୀ ଗଛଲତା ଧ୍ୱଂସ ପାଇବା ସହିତ ଡହଳ ବିକଳ ହୋଇ ମରୁଛନ୍ତି ଅସଂଖ୍ୟ ଜୀବଜନ୍ତୁ । ୨୦୨୧ ମସିହା ଶିମିଳିପାଳ ବନାଗ୍ନି ବିଭୀଷିକା କଥା ଏଯାଏ ବି ଭୁଲିନାହାଁନ୍ତି ମୟୂରଭଞ୍ଜବାସୀ ।

ସେବର୍ଷ ଲଗାତାର ୧୫ଦିନ ଧରି ହୁତୁହୁତୁ ହୋଇ ଜଳିଥିଲା ବିଶ୍ୱପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ । ଲାଲପିଣ୍ଡୁଳା ପରି ଦିଶୁଥିବା ସେ ନିଆଁର ଆଁ ଭିତରେ ଜଳିପୋଡ଼ି ପାଉଁଶ ହୋଇଗଲେ ଅନେକ ନିରୀହ ଜୀବଜନ୍ତୁ । ଧ୍ୱଂସ ପାଇଗଲା ବିସ୍ତୃତ ଅଞ୍ଚଳବ୍ୟାପୀ ନାନା ପ୍ରକାରର ଔଷଧୀୟ ବୃକ୍ଷଲତା । ଧୂଆଁରେ ଆଚ୍ଛାଦିତ ହୋଇଗଲା ଆଖପାଖ ଅଞ୍ଚଳ । ସେବେଠାରୁ ଶିମିଳିପାଳ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଶେଷ ତତ୍ପରତା । ବିଶେଷଜ୍ଞଙ୍କ ସହାୟତାରେ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ବନ କର୍ମଚାରୀଙ୍କ ଦ୍ୱାରା ସଚେତନତା ସୃଷ୍ଟି କରାଗଲା ଏବଂ ଅଭୟାରଣ୍ୟ ଭିତରେ ଚାଲିଲା ପାଟ୍ରୋଲିଂ ବ୍ୟବସ୍ଥା । ନିଆଁ ଲିଭେଇବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଗଠନ ହେଲା ଶହ ଶହ ସ୍କ୍ୱାଡ୍‌ । ଏସବୁ ସତ୍ତେ୍ୱ ଚଳିତ ବର୍ଷ ଶିମିଳିପାଳର ୪୫ଟି ସ୍ଥାନରେ ନିଆଁ ଲାଗିଲାଣି, ଯାହାକୁ ଲିଭାଇବାକୁ ଯାଇ ନାକେଦମ ହେଲେଣି ନିୟୋଜିତ ତିନିଶହ ସ୍କ୍ୱାଡ୍‌ ଓ ଅନ୍ୟାନ୍ୟ ବନ କର୍ମଚାରୀ ।

ଆଗେ ଜଙ୍ଗଲରେ ନିଆଁ ଲାଗୁଥିଲା ବଜ୍ରପାତ ଓ ଡାଳରେ ଡାଳ ଘଷିହୋଇ ନିଆଁ ବାହାରିବା ବା ଅନ୍ୟ କିଛି ପ୍ରାକୃତିକ କାରଣରୁ । ଏବେ କିନ୍ତୁ ଯେଉଁ କାରଣରୁ ଜଙ୍ଗଲ ଜଳୁଛି, ତାର ନବେ ପ୍ରତିଶତ ହେଉଛି ମଣିଷକୃତ । ସେହି କାରଣଗୁଡ଼ିକ ମୁଖ୍ୟତଃ ମହୁଲ, କେନ୍ଦୁ ଓ ତେନ୍ତୁଳି ସଂଗ୍ରହ, ଅଙ୍ଗାର ତିଆରି, ପୋଡୁଚାଷ ଓ ଗାଁକୁ ରାସ୍ତା ଫିଟେଇବା ଇତ୍ୟାଦି । ବେଆଇନ ଗଛକଟାକୁ ଲୁଚେଇବା ପାଇଁ ବି କେହି କେହି ଲଗେଇ ଦିଅନ୍ତି ନିଆଁ । ଏହା ବ୍ୟତୀତ ରାତିରେ କିଛି ନିଶାମାଫିଆ ଜଙ୍ଗଲ ଭିତରେ ମଦ ରାନ୍ଧନ୍ତି ଏବଂ ଗଲାବେଳେ ଚୁଲି ନଲିଭେଇବା ଫଳରେ ପବନରେ ବ୍ୟାପିଯାଏ ନିଆଁ । ଜଙ୍ଗଲରେ ପଡିଥିବା ଶୁଖିଲା ପତ୍ର ଉପରକୁ ଦାୟିତ୍ୱହୀନ ଭାବରେ ବିଡ଼ି-ସିଗାରେଟ୍‌ ଫିଙ୍ଗିବା ମଧ୍ୟ ବନାଗ୍ନି ବ୍ୟାପିବାର ଏକ କାରଣ । ଜଳବାୟୁର ଆର୍ଦ୍ରତା ଓ ପବନର ବେଗ ଉପରେ ନିର୍ଭର କରେ ଜଙ୍ଗଲ ନିଆଁର ପ୍ରକୋପ । ତେଣୁ ଏହି କେତେବର୍ଷ ହେଲା ଫେବ୍ରୁଆରୀ ମାସରୁ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ତାପ ବଢୁଛି ଓ ଲମ୍ବା ସମୟ ଧରି ବର୍ଷା ନହେବା ଫଳରେ ଶୁଷ୍କ ହେଉଛି ମାଟି । ଉଦ୍ଭିଦମାନେ ସହଳ ପତ୍ରଝଡ଼ା ଦେଉଛନ୍ତି, ଯାହାକି ଜଙ୍ଗଲ ନିଆଁକୁ ଯୋଗାଉଛି ଇନ୍ଧନ । କେବଳ ଶିମିଳିପାଳ ନୁହେଁ, ପରିବେଶ ସୁରକ୍ଷା ଦିଗରେ ପ୍ରତିଟି ଜଙ୍ଗଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଙ୍ଗଲ ହିଁ ଜୀବଜଗତର ଜୀବନ ନାଟିକା । ପରିବେଶ ବିଜ୍ଞାନୀଙ୍କ ସର୍ବେକ୍ଷଣ ଅନୁସାରେ ଯଦି ପୃଥିବୀରୁ ଜଙ୍ଗଲ ସବୁକୁ ନଷ୍ଟ କରିଦିଆଯାଏ, ତେବେ ଅଳ୍ପ କେଇଘଣ୍ଟା ଭିତରେ ଧ୍ୱଂସ ପାଇଯିବ ସମଗ୍ର ଜୀବଜଗତ । ଏକଥା ମଣିଷ ବୁଝିଥିଲେ ବି ଜଙ୍ଗଲ ସୁରକ୍ଷା ନେଉନାହିଁ ପ୍ରଭାବୀ ପଦକ୍ଷେପ । ତେଣୁ ପ୍ରତିବର୍ଷ ବିଶ୍ୱବ୍ୟାପୀ ଧ୍ୱଂସପାଉଛି ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ । ସୁରକ୍ଷା ଓ ସଚେତନତା ଅଭାବରୁ ପୃଥିବୀର ବୃହତ୍ତମ ଜଙ୍ଗଲ ଆମାଜନରେ ଲାଗୁଛି ନିଆଁ ।

ଦକ୍ଷିଣ ଆମେରିକାର ଆମାଜନ ନଦୀ ଅବବାହିକାରେ ୫୫ଲକ୍ଷ ବର୍ଗ କିଲୋମିଟର ସ୍ଥାନ ଅଧିକାର କରିଥିବା ଆମାଜନ କେବଳ ଏକ ଚିରହରିତ ଜଙ୍ଗଲ ନୁହେଁ, ଏହା ପ୍ରକୃତିର ଏକ ବିସ୍ମୟ । ଏହାର ୬୦% ବ୍ରାଜିଲରେ ଥିବାବେଳେ ପେରୁ ଓ ଆର୍ଜେଣ୍ଟିନା ଆଦି ଆଉ ୮ଟି ରାଷ୍ଟ୍ରକୁ ଲାଗିଛି ତାର ଅବଶିଷ୍ଟ ୪୦% ଅଞ୍ଚଳ । ପୃଥିବୀପୃଷ୍ଠର ଜୀବଜଗତ ପାଇଁ ଆବଶ୍ୟକ ହେଉଥିବା ସମୁଦାୟ ଅମ୍ଳଜାନ ମଧ୍ୟରୁ ୨୦% ଦିଏ ଏହି ବୃଷ୍ଟିପୁଷ୍ଟ ଜଙ୍ଗଲ ।  ସେଥିପାଇଁ ଆମାଜନକୁ କୁହାଯାଏ ପୃଥିବୀର ଫୁସଫୁସ୍‌ । ଏହି ବିଶାଳ ବିଷୁବମଣ୍ଡଳୀୟ ଜଙ୍ଗଲରେ ଦେଖିବାକୁ ମିଳେ ୧୬ହଜାରରୁ ଅଧିକ ପ୍ରଜାତିର ଗଛଲତା ଓ ୨୫ଲକ୍ଷରୁ ଅଧିକ ପ୍ରଜାତିର କୀଟପତଙ୍ଗ ଓ ଜୀବଜନ୍ତୁ । ନିଜ ପାଇଁ ନିଜେ ବର୍ଷା ଓ ଜଳ ସୃଷ୍ଟି କରିପାରୁଥିବା ଏହି ବର୍ଷାବନରେ ପ୍ରାୟତଃ ପ୍ରତିବର୍ଷ ବନାଗ୍ନି ବିଭୀଷିକା ସୃଷ୍ଟି ହେଉଛି, ଯାହା ସାରାବିଶ୍ୱ ପାଇଁ ଚିନ୍ତାର କାରଣ । ବିଶେଷକରି ୨୦୧୯ରେ ସେଠାରେ ସୃଷ୍ଟି ହୋଇଥିବା ବନାଗ୍ନି ଏତେ ଭୟଙ୍କର ଥିଲା ଯେ, କେବଳ ବ୍ରାଜିଲ ବା ଅନ୍ୟ ଆଠଟି ରାଷ୍ଟ୍ର କାହିଁକି, ଭବିଷ୍ୟତ ଆଶଙ୍କାରେ ତଟସ୍ଥ ହୋଇଗଲା ସମଗ୍ର ବିଶ୍ୱ । କାରଣ ଜଙ୍ଗଲ ଯେଉଁ ଅଞ୍ଚଳର ବା ଯେଉଁ ଦେଶର ହେଉନା କାହିଁକି, ତାହା ସମଗ୍ର ପୃଥିବୀର ପରିବେଶ ସନ୍ତୁଳନରେ ତଥା ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟାରେ ଏକ ସୁରକ୍ଷା କବଚ । ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସରେ ଅନୁଷ୍ଠିତ ହୋଇଥିବା ଜି-୭ ବୈଠକରେ ଆମାଜନ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା ଏବଂ ଜଙ୍ଗଲ ସୁରକ୍ଷା ଦିଗରେ ଜୋର୍‌ ଦେଇଥିଲେ ସବୁ ସଦସ୍ୟ ରାଷ୍ଟ୍ର ।

କେବଳ ସରକାର ବା ବନ ବିଭାଗର ନୁହେଁ, ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଜନସଚେତନତା ସୃଷ୍ଟି ହେବା ଆବଶ୍ୟକ । ବିଶେଷକରି ଜଙ୍ଗଲ ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ବୁଝିବା ଦରକାର ଯେ, ଜଙ୍ଗଲ ସରକାରଙ୍କର ନୁହେଁ, ଏହା ଜନସମୁଦାୟର ସଂପତ୍ତି । ସଚେତନତା ସୃଷ୍ଟି କରିବା ପାଇଁ ସ୍କୁଲ, କଲେଜ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ହାତକୁ ନେବା ଦରକାର । ବିଶେଷକରି ସରକାର ଜାଣିରଖିବା ଉଚିତ୍‌, ଜଙ୍ଗଲ ତଥା ବନ୍ୟପଶୁଙ୍କର ସୁରକ୍ଷା ରାଜଧର୍ମର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମହାଭାରତରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜଧର୍ମ ଶିକ୍ଷା ଦେବାକୁ ଯାଇ ପିତାମହ ଭୀଷ୍ମ କହିଥିଲେ- ହେ ଧର୍ମାତ୍ମା ଯୁଧିଷ୍ଠିର! ଏକଥା ଜାଣିରଖ ଯେ କେବଳ ମନୁଷ୍ୟ ନୁହଁନ୍ତି, ବନ୍ୟପ୍ରାଣୀମାନେ ମଧ୍ୟ ରାଜ୍ୟର ଅଧିବାସୀ ଓ ପ୍ରଜା । ସେମାନଙ୍କ ନିରାପତ୍ତା ଓ ସ୍ୱଚ୍ଛନ୍ଦ ଗତି ଯେମିତି ବାଧାପ୍ରାପ୍ତ ନହୁଏ, ସେ ଦିଗରେ ସର୍ବଦା ସଜାଗ ଓ ତୀକ୍ଷ୍‌ଣ ଦୃଷ୍ଟି ରଖିବା ରାଜାର କର୍ତ୍ତବ୍ୟ । 

ସଦ୍ୟ ପ୍ରକାଶିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ଅନୁସାରେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବରୁ ମୁକ୍ତି ମଣିଷର ମୌଳିକ ଅଧିକାର । ସମ୍ବିଧାନର ଧାରା-୪୮ ଅନୁସାରେ ନାଗରିକଙ୍କ ବଞ୍ଚିବାର ମୌଳିକ ଅଧିକାର ସହିତ ସିଧାସଳଖ ଯୋଡ଼ିିହୋଇ ରହିଛି ଜଙ୍ଗଲ ତଥା ଜୈବବିବିିିିଧତା ଆଦିର ସୁରକ୍ଷା । ତେଣୁ ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରୁ ଜୀବଜଗତକୁ ବଞ୍ଚାଇବା ପାଇଁ ଯେକୌଣସି ମୂଲ୍ୟ ବିନିମୟରେ ଜଙ୍ଗଲକୁ ସୁରକ୍ଷା ସରକାରଙ୍କ ଦାୟିତ୍ୱ । ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ହେଲେ ଜଙ୍ଗଲ ନିଆଁ ପରିଚାଳନାରେ ଅଧିକରୁ ଅଧିକ ଲୋକ ସାମିଲ ହେବା ଆବଶ୍ୟକ। ସୁରକ୍ଷିତ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.