ନୂଆଦିଲ୍ଲୀ: ଭାରତରେ ପାଖାପାଖି ୪୫ ବର୍ଷ ଧରି ବାମପନ୍ଥୀ ରାଜନୀତିକୁ ପ୍ରଭାବିତ କରିଥିବା ସୀତାରାମ ୟେଚୁରୀ ଆଉ ନାହାଁନ୍ତି। ୟେଚୁରୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ର ମୁଖ୍ୟ ଥିଲେ । ତେଲେଙ୍ଗାନା ଆନ୍ଦୋଳନ ମାଧ୍ୟମରେ ୧୭ ବର୍ଷ ବୟସରେ ରାଜନୀତିରେ ପ୍ରବେଶ କରିଥିବା ୟେଚୁରୀ ଜରୁରୀକାଳୀନ ସମୟରେ ପରିଚିତ ହୋଇଥିଲେ । କୁହାଯାଏକି, ଜରୁରୀକାଳୀନ ପରିସ୍ଥିତି ସମୟରେ ୟେଚୁରୀଙ୍କ ବିରୋଧ ପାଇଁ ଇନ୍ଦିରା ଗାନ୍ଧୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ୧୯୯୦ ଦଶକରେ ୟେଚୁରୀ ସିପିଏମ୍ ର ପୋଷ୍ଟର ବଏ ଥିଲେ । ଗଣମାଧ୍ୟମରେ ଦଳର ପକ୍ଷ ରଖିବା ହେଉ କିମ୍ବା ଜାତୀୟ ଟିଭିରେ ବିତର୍କ ହେଉ, ସିପିଏମ୍ ତରଫରୁ ୟେଚୁରୀଙ୍କୁ ସବୁଆଡେ ଦେଖିବାକୁ ମିଳିଥିଲା ।
୧୯୫୨ ମସିହାରେ ଆନ୍ଧ୍ରର କାକାନିଡାର ମୂଳବାସିନ୍ଦା ସୀତାରାମ ୟେଚୁରୀ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ୟେଚୁରୀଙ୍କ ପ୍ରାଥମିକ ଶିକ୍ଷା ହାଇଦ୍ରାବାଦରେ ହୋଇଥିଲା । ସୀତାରାମ ୟେଚୁରୀ ତାଙ୍କ ଛାତ୍ର ଜୀବନରେ ତେଲେଙ୍ଗାନା ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ପ୍ରସଙ୍ଗକୁ ନେଇ ୧୯୬୯ ପର୍ଯ୍ୟନ୍ତ ହୋଇଥିବା ଆନ୍ଦୋଳନରେ ଯୋଡି ହୋଇ ରହିଥିଲେ । କିନ୍ତୁ ୧୯୭୦ ରେ ଦିଲ୍ଲୀ ଆସିବା ପରେ ସେ ଏହି ଆନ୍ଦୋଳନରୁ ସକ୍ରିୟ ଭାବରେ ଅଲଗା ହୋଇଥିଲେ । ତେବେ ତେଲେଙ୍ଗାନା ଆନ୍ଦୋଳନ ତେଲେଙ୍ଗାନାକୁ ଆନ୍ଧ୍ରରୁ ଅଲଗା କରିବା ଥିଲା। ୨୦୧୩ ରେ ଏହି ଆନ୍ଦୋଳନ ସଫଳ ହୋଇଥିଲା ଏବଂ ୟୁପିଏ ସରକାର ସମୟରେ ଆନ୍ଧ୍ର ବିଭାଜିତ ହୋଇଥିଲା।
ୟେଚୁରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ହାସଲ କରିଥିଲେ । ଏହା ପରେ ସେ ଅଧିକ ଅଧ୍ୟୟନ ପାଇଁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ୟେଚୁରୀ ଏଠାରେ ଛାତ୍ର ସଂଗଠନର ସଭାପତି ମଧ୍ୟ ରହିଥିଲେ । ୧୯୭୭-୭୮ ମସିହାରେ ୟେଚୁରୀ ପ୍ରଥମ JNUSU ସଭାପତି ହୋଇଥିଲେ ।
୧୯୭୫ ମସିହା ଜୁନ୍ ୨୫ ରେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଆଉ ସେହି ସମୟରେ ୟେଚୁରୀ JNU ରେ ଅଧ୍ୟୟନ କରୁଥିଲେ । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିବା ପାଇଁ ସେ ଏକ ୟୁନାଇଟେଡ୍ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଗଠନ କରିଥିଲେ । ଏହି ସଂଗଠନ ମାଧ୍ୟମରେ ୟେଚୁରୀ ମଧ୍ୟ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଇନ୍ଦିରା ଗାନ୍ଧୀଙ୍କ ଘରକୁ ଏକ ପଦଯାତ୍ରା କରିଥିଲେ ।
ଆଉ ଯେତେବେଳେ ଇନ୍ଦିରା ବିରୋଧର କାରଣ ପଚାରିଥିଲେ, ୟେଚୁରୀ ସ୍ମାରକପତ୍ର ଦାବିପତ୍ର ପଢିବା ଆରମ୍ଭ କରିଥିଲେ । ସେ ତାଙ୍କ ଦାବିପତ୍ରରେ ଲେଖିଥିଲେ ଯେ, ଜଣେ ଶାସକ ବିଶ୍ୱବିଦ୍ୟାଳୟର କୁଳପତି ପଦବୀରେ ରହିବା ଉଚିତ୍ ନୁହେଁ। ଜରୁରୀକାଳୀନ ପରିସ୍ଥିତିରେ ଇନ୍ଦିରା ଜେଏନୟୁରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଥିଲେ, କିନ୍ତୁ ଛାତ୍ର ବିରୋଧ ଯୋଗୁଁ ତାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିଲା । ଶେଷରେ ଇନ୍ଦିରା ଗାନ୍ଧୀ ଜେଏନୟୁ ର କୁଳପତି ପଦରୁ ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ପରେ କିଛି ଦିନ ପରେ ସୀତାରାମ ୟେଚୁରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଥିଲା। ଜରୁରୀକାଳୀନ ସମୟରେ ୟେଚୁରୀଙ୍କୁ ଅରୁଣ ଜେଟଲୀଙ୍କ ଭଳି ଜେଲରେ ରଖାଯାଇଥିଲା।
୧୯୭୮ ମସିହାରେ, ସୀତାରାମ ୟେଚୁରୀଙ୍କୁ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ଷ୍ଟୁଡେଣ୍ଟ ୱିଙ୍ଗ ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ର ଯୁଗ୍ମ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ୧୯୮୪ ରେ, ୟେଚୁରୀଙ୍କୁ ଏହି ସଂଗଠନର ମୁଖ୍ୟ କରାଯାଇଥିଲା। ୟେଚୁରୀ SFI ର ପ୍ରଥମ ମୁଖ୍ୟ ଥିଲେ ଯିଏକି ବେଙ୍ଗଲ ଏବଂ କେରଳର ନଥିଲେ । SFI ରେ ରହିବା ସମୟରେ, ୟେଚୁରୀ ବେଙ୍ଗଲ ଏବଂ କେରଳ ବାହାରେ ସଂଗଠନକୁ ବିସ୍ତାର କରିଥିଲେ । ୟେଚୁରୀ ୧୯୯୨ ରେ CPM ର ପଲିଟ୍ ବ୍ୟୁରୋରେ ଯୋଗ ଦେଇଥିଲେ । ପଲିଟ୍ ବ୍ୟୁରୋର ସଦସ୍ୟ ହେବା ପରେ ସେ କେନ୍ଦ୍ରୀୟ ରାଜନୀତି କରିବା ଆରମ୍ଭ କରିଥିଲେ।
୨୦୨୧ ମସିହାରେ କରୋନା ଭାଇରସ୍ କାରଣରୁ ସୀତୀରାମ ୟେଚୁରୀଙ୍କ ପୁଅ ଆଶିଷ ୟେଚୁରୀଙ୍କର ମୃତ୍ୟୁ ହୋଇଥିଲା । ୟେଚୁରୀଙ୍କ ପରିବାରରେ ବର୍ତ୍ତମାନ ତାଙ୍କ ପତ୍ନୀ ସୀମା ଚିସ୍ତି ଏବଂ ଝିଅ ଅଖିଲା ୟେଚୁରୀ ଅଛନ୍ତି । ସୀମାଙ୍କ ହେଉଛନ୍ତି ଭାରତର ଜଣେ ବରିଷ୍ଠ ସାମ୍ବାଦିକ । ସୀମାଙ୍କ ସହ ୟେଚୁରୀଙ୍କର ଦ୍ୱିତୀୟ ବିବାହ ଥିଲା । ତାଙ୍କର ପ୍ରଥମ ବିବାହ ସିପିଏମ୍ କାର୍ଯ୍ୟକର୍ତ୍ତା ଇନ୍ଦ୍ରାଣୀ ମଜୁମଦାରଙ୍କ ସହ ହୋଇଥିଲା । ହେଲେ ପରେ ସେମାନେ ପରସ୍ପରକୁ ଛାଡପତ୍ର ଦେଇଥିଲେ ।
ତେବେ ୨୦୦୪ ରେ ଏନଡିଏ ବିରୋଧରେ ମିଳିତ ବିରୋଧୀ ଦଳ ଗଠନ କରିବାରେ ସୀତାରାମ ୟେଚୁରୀ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେ ସମସ୍ତ ଦଳକୁ ସଂଯୋଗ କରିବା ପାଇଁ ତତ୍କାଳୀନ ସିପିଏମ୍ ସାଧାରଣ ସମ୍ପାଦକ ସୁରଜିତ ସିଂଙ୍କ ସହ କାମ କରିଥିଲେ । ୨୦୦୪ ରେ, ମିଳିତ UPA କେନ୍ଦ୍ରରୁ NDA ସରକାରକୁ ବାହାର କରିବାରେ ସଫଳ ହୋଇଥିଲା ।
୨୦୦୪ ରେ ମନମୋହନ ସିଂ ସରକାର ଗଠନ ପରେ, ୟେଚୁରୀ ମଧ୍ୟ ୟୁପିଏର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆଉ ୨୦୦୮ ମସିହାରେ ଯେତେବେଳେ ସିପିଏମ୍ କଂଗ୍ରେସରୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା, ସେତେବେଳେ ୟେଚୁରୀ ଏହା ବିରୁଦ୍ଧରେ ବାହାରିଥିଲେ । ସେତେବେଳେ ସେ ଏହାକୁ ଦଳ ପାଇଁ ବିପଜ୍ଜନକ ବୋଲି କହିଥିଲେ । ତେବେ ପଲିଟ ବ୍ୟୁରୋର ନିଷ୍ପତ୍ତି ହେତୁ ୟେଚୁରୀ ଏହାକୁ ଖୋଲାଖୋଲି ବିରୋଧ କରିପାରି ନଥିଲେ ।
୨୦୦୫ ରେ ରାଜ୍ୟସଭା ମାଧ୍ୟମରେ ଉଚ୍ଚ ସଦନରେ ପହଞ୍ଚିଥିବା ସୀତାରାମ ୟେଚୁରୀ ୨୦୧୫ ରେ ସିପିଏମର ସାଧାରଣ ସମ୍ପାଦକ ହୋଇଥିଲେ । ସେତେବେଳେ ସିପିଏମ୍ ତ୍ରିପୁରାରେ ସରକାରରେ ଥିଲା ଏବଂ କେରଳ ଏବଂ ବେଙ୍ଗଲର ଦ୍ୱିତୀୟ ବୃହତ୍ତମ ଦଳ ଥିଲା । ୨୦୧୬ ରେ, ସିପିଏମ୍ କେରଳରେ କ୍ଷମତାକୁ ଆସିଥିଲା, କିନ୍ତୁ ବେଙ୍ଗଲ ଏବଂ ତ୍ରିପୁରାରେ ପରାଜୟର ସ୍ବାଦ ଚାଖିଥିଲା । ବର୍ତ୍ତମାନ ଲୋକସଭା ନିର୍ବାଚନରେ ସିପିଏମ୍ ଦେଶରେ ୪ ଟି ସିଟ୍ ଜିତିଥିବା ବେଳେ ଏହା ସମଗ୍ର ଦେଶରେ ମାତ୍ର ୧.୭୬ ପ୍ରତିଶତ ଭୋଟ୍ ପାଇଥିଲା ।