ଭୁବନେଶ୍ୱର, ୧୮/୦୯ : ଇସାନେଶ୍ୱରଙ୍କ ମନ୍ଦିରରେ ସାପ ବର୍ଷା । ସୋମବାର ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଇସାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବଉଳ ଗଛ ଉପରୁ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଥିଲେ । ଏହାପରେ ମନ୍ଦିରରେ ଚହଳ ପଡ଼ିଥିଲା । ଫଳରେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ କରି ବନ୍ଦ କରିଦେଲେ । ଶ୍ରଦ୍ଧାଳୁମାନଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରାଯାଇଥିଲା । ମନ୍ଦିର କମିଟି ତରଫରୁ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା ।
ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ୭ଟି ଲାଉଡଙ୍କିଆ ସାପକୁ ଉଦ୍ଧାର କରିଥିବା ବେଳେ ଆଉ ୪ରୁ ୫ଟି ଛୁଆ ଏଣେତେଣେ ଚାଲି ଯାଇଥିଲେ। ଶୁଭେନ୍ଦୁ ଓ ପୂର୍ଣ୍ଣଚନ୍ଦ୍ର ଅନେକ ଖୋଜାଖୋଜି କଲା ପରେ ମା ଲାଉଡଙ୍କିଆ କିମ୍ବା ଆଉ ବାକି ଛୁଆଙ୍କ ସନ୍ଧାନ ମିଳି ନଥିଲା । ସାପ ଗୁଡ଼ିକୁ ମନ୍ଦିର ପାଖରୁ ଅନତି ଦୂରରୁ ଜଙ୍ଗଲିଆ ସ୍ଥାନରେ ଗଛ ବୁଦା ମଧ୍ୟରେ ଛାଡ଼ି ଦିଆଯାଇଛି।
ନାଗ, ଢମଣା, ଧଣ୍ଡ, ଅଜଗର ଆଦି ସାପ ମାନେ ଅଣ୍ଡା ଦେଇଥାନ୍ତି, ଏବଂ ପ୍ରାୟ ଦୁଇ ମାସ ଗଲେ ତାଙ୍କର ଅଣ୍ଡା ଫୁଟିଥାଏ । କିନ୍ତୁ ଲାଉଡଙ୍କିଆ ସାପମାନେ ସିଧାସଳଖ ଛୁଆ ଜନ୍ମ କରିଥାନ୍ତି । ଛୁଆମାନେ ଏକ ପାରଦର୍ଶୀ ଝିଲ୍ଲି ଆବରଣ ଯୁକ୍ତ ଖୋଳ ଭିତରେ ଥାଆନ୍ତି । ମାଆ ପେଟରୁ ବାହାରି ଗଛରୁ ତଳେ ପଡ଼ିବା ବେଳେ ସେଇ ଝିଲି ଫାଟି ଯାଇଥାଏ, ଏବଂ ଛୁଆମାନେ ବାହାରକୁ ଆସି ଯାଆନ୍ତି। ଝିଲି ଭିତରେ ଥିବା ତରଳ ପଦାର୍ଥ ଯୋଗୁଁ ସାପ ଛୁଆମାନଙ୍କର ଗଛରୁ ପଡ଼ିବା ଦ୍ଵାରା କିଛି କ୍ଷତି ହୋଇ ନଥାଏ ବୋଲି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।