ନୂଆଦିଲ୍ଲୀ : ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଂଚେଜ୍ ଗୁରୁବାର ଦିନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି କାରଣରୁ ସେ ବର୍ତ୍ତମାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା G20 ଶିଖର ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ । ପେଡ୍ରୋ ସାଂଚେଜ୍ G20 ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଗସ୍ତ ବାତିଲ ହୋଇଛି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ପେଡ୍ରୋ ସାଂଚେଜ୍ ଲେଖିଛନ୍ତି ଯେ, ମତେ କରୋନା ପଜିଟିଭ୍ ହୋଇଥିବା ରିପୋର୍ଟ ଆସିଛି । ଏଭଳି ପରିସ୍ଥିତିରେ ମୁଁ G20 ପାଇଁ ଦିଲ୍ଲୀ ପହଞ୍ଚି ପାରିବି ନାହିଁ । ତଥାପି, ମୁଁ ସୁସ୍ଥ ଅନୁଭବ କରୁଛି । ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜଙ୍କ ସ୍ଥାନରେ ସ୍ପେନର ଉପରାଷ୍ଟ୍ରପତି ନାଦିଆ କଲଭିନୋ, ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ବର୍ତ୍ତମାନ ସମ୍ମିଳନୀରେ ଯୋଗଦେବେ । ସୂଚନାଯୋଗ୍ୟ ଯେ ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ହେଉଛନ୍ତି ତୃତୀୟ ନେତା, ଯିଏକି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗ ଦେଉନାହାଁନ୍ତି । ଏହା ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏହି ବୈଠକରେ ଯୋଗ ଦେଉନଥିବା ଜଣାପଡିଥିଲା ।
ସୂଚନାଥାଉକି, ଗତ ବର୍ଷ ଡିସେମ୍ବର ୧ ରେ ଭାରତ ଜି -20 ର ଅଧ୍ୟକ୍ଷତା ହାସଲ କରିଥିଲା । ସେବେଠାରୁ ଭାରତ ଦେଶର ୬୦ଟି ସହରରେ ୨ଶହଟି ସଭାର ଆୟୋଜନ କରିଛି । ବର୍ତ୍ତମାନ ଜି -20 ର ୧୮ ତମ ଶିଖର ସମ୍ମିଳନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିଖର ସମ୍ମିଳନୀରେ ଭାରତ ଜି -20 ର ଅଧ୍ୟକ୍ଷତା ବ୍ରାଜିଲକୁ ହସ୍ତାନ୍ତର କରିବ ।