ଭୁବନେଶ୍ବର, ୯।୯ : ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ସବୁ ବିଭାଗ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇଛି। ବୈଠକରେ ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର,ଆଇନ ଶୃଙ୍ଖଳା ଏଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ମାଲକାନଗିରି ଜିଲ୍ଲାକୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ମାଲକାନଗିରି ଜିଲ୍ଲା ପାଇଁ ଦୁଇ ଜଣ ଅଫିସରଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ଏସଆରସି କହିଛନ୍ତି। ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଓ ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ମାଲକାନଗିରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବର୍ଷାରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ୧୨ ଶହରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ଦୁଇଟି ଜିଲ୍ଲାରେ ୪୨ ଟି ଗାଁ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାରେ ୬ ଟି ଓଡ୍ରାଫ୍ ଓ କୋରାପୁଟ ଜିଲ୍ଲାରେ ଦୁଇଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ମାଲାକାନଗିରିର କିଛି ଅଞ୍ଚଳ ଏବେ ବି ଜଳମଗ୍ନ ଅଛି। ମାଲକାନଗିରି ୮ ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କୋରାପୁଟରେ ୬ ଟି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୬ ଟି ଏନଡିଆରଏଫ ଟିମ ଗଞ୍ଜାମ, ପୁରୀ ଖୋର୍ଦ୍ଧା ଓ ନୟାଗଡରେ ମୁତୟନ କରାଯାଇଛି। ୨ ଟି ଟିମ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୨ ଟି ଓଡ୍ରାଫ୍ ଟିମ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ ଓ ବୌଦ୍ଧରେ ମୁତୟନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୫୦୪ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୪ ଟି ରିଲିଫ କ୍ୟାମ୍ପ ଖୋଲାଯାଇଛି। କୋରାପୁଟରେ ୫୬ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ କହିଛନ୍ତି।