ଭୁବନେଶ୍ୱର,୦୯/୦୮: ଷ୍ଟାର୍ଟଅପ୍ ଓଡ଼ିଶା ଗଫଲତିର ହେବ ତଦନ୍ତ । ଏଠାରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓମକାର ରାୟଙ୍କ କାରସାଦି ସରକାରଙ୍କ ସ୍କାନରକୁ ଆସିବା ପରେ ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ାଯାଇଛି । ତଦନ୍ତ ସାରି ଅଗଷ୍ଟ ୨୧ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଏମଏସ୍ଏମଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଶିଳ୍ପ ବିଭାଗର ନିର୍ଦ୍ଦେଶକଙ୍କୁ ଏହି ତଦନ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ଅର୍ଥ ବିଭାଗର ଅତିରିକ୍ତ ସଚିବ ଓ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବଙ୍କୁ ଏହି କମିଟିରେ ସଦସ୍ୟ ରଖାଯାଇଛି । ଏହି କମିଟି ଷ୍ଟାର୍ଟଅପ୍ ଓଡ଼ିଶା ସହିତ ଓ ହବ୍କୁ ନେଇ ଆସିଥିବା ଅନେକ ଅଭିଯୋଗର ତଦନ୍ତ କରିବ । ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଅନେକ ଅଣଓଡ଼ିଆ ଷ୍ଟାର୍ଟଅପକୁ କୋଟି କୋଟି ଟଙ୍କାର ସହାୟତା ପାଣ୍ଠି ଯୋଗାଇ ଦିଆଯାଇଛି । କିନ୍ତୁ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା କରାଯାଇଛି । ଏହି ଅଭିଯୋଗର ପୁଙ୍ଖାନୁଫୁଙ୍ଖ ତଦନ୍ତ କରିବ କମିଟି । ସେହିଭଳି ଅନେକ ଘରୋଇ ସଂସ୍ଥାକୁ ଇନକ୍ୟୁବେଟର ଦର୍ଶାଇ କୋଟି କୋଟି ଟଙ୍କାର ସହାୟତା ଦିଆଯାଇଛି । ଏହାର ମଧ୍ୟ ତଦନ୍ତ ହେବ।
ଷ୍ଟାର୍ଟଅପ ଓଡ଼ିଶାରେ ଅନେକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନସଲ୍ଟାଣ୍ଟ (ପିଏମୟୁ) କାର୍ଯ୍ୟ କରୁଛନ୍ତି । ଏଥିରେ ଅନେକ ଅନିୟମତତା ହୋଇଥିବା ଅଭିଯୋଗ ଆସିଛି । ଅନେକ ପିଏମୟୁର ପ୍ରଦର୍ଶନ ଆଖିଦୃଶିଆ ନ ଥାଇ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଇଛି । ଏଣୁ ସେମାନଙ୍କ ପ୍ରଦର୍ଶନ ଯାଞ୍ଚ କରିବ କମିଟି । ସେହିଭଳି ଅବସର ପରେ ଅସ୍ଥାୟୀ ଓ ସର୍ତ୍ତମୂଳକ ଭାବେ ନିୟୋଜିତ ହୋଇଥିଲେ ବି ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଏନପିଏସ୍ ଓ ଇପିଏଫ୍ ବାବଦରେ ଟଙ୍କା ଦିଆଯାଇଛି । ଷ୍ଟାର୍ଟଅପ୍ ଓଡ଼ିଶା ଏଥିପାଇଁ ଟଙ୍କା ଜମା କରିଛି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଅଭିଯୋଗର ମଧ୍ୟ ତଦନ୍ତ ହେବ । ସେହିଭଳି କେତେ ବହୁ ରାଷ୍ଟ୍ରୀୟ କମ୍ପାନୀକୁ ଓ-ହବ୍ରେ ସ୍ଥାନ ଦିଆଯାଇଛି ତାର ମଧ୍ୟ ଅନୁସନ୍ଧାନ ହେବ ।