ଖୋର୍ଦ୍ଧା,୨୩/୦୮: ନୂତନ ଖଣି ଖୋଜିବାକୁ ଯାଇଥିବା ଖଣି ଓ ବନ ବିଭାଗ ଅଧିକାରୀଙ୍କୁ ଗୁରୁବାର ପଥର ମାଫିଆ ଆକ୍ରମଣ କରିଛନ୍ତି। ନିରାକାରପୁର ଥାନା ଅଞ୍ଚଳ ବଡ଼ପୋଖରିଆ ଗ୍ରାମ ନିକଟରେ ଜିଲ୍ଲା ଖଣି ଅଧିକାରୀ ଜଗନ ବେହେରା, ସହକାରୀ ବନ୍ୟ ସଂରକ୍ଷକ ସୁଶାନ୍ତ କୁମାର ବନ୍ଧଙ୍କୁ ପଥର ମାଫିଆ ମାଡ଼ ମାରିଛନ୍ତି । ଦୁଇ ଅଧିକାରୀଙ୍କୁ ଡ୍ରାଇଭରକୁ ମଧ୍ୟ ଆକ୍ରମଣ କରାଯାଇଛି । ଏ ଘଟଣାରେ ସହକାରୀ ବନ୍ୟ ସଂରକ୍ଷକଙ୍କ ଡ୍ରାଇଭର ବିଚିତ୍ରନନ୍ଦ ଲେଙ୍କାଙ୍କୁ ପଥର ମାଫିଆ ତଳେ ପକାଇ ମାଡ଼ ମାରିଥିବା ଜଣାପଡିଛି । ଦୁଇ ଅଧିକାରୀ ଏବଂ ସେମାନଙ୍କ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ପଥର ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି । ଏମାନେ ଚଢ଼ଉ କରିବାକୁ ଆସିଥିବା ସନ୍ଦେହ କରି ପଥର ମାଫିଆମାନେ ଏଭଳି କାଣ୍ଡ ଘଟାଇଥିବା ଜଣାଯାଇଛି ।
ସୂଚନାଯୋଗ୍ୟ ପଥରମାଫିଆ ମାନେ ଜିଲ୍ଳାବ୍ୟାପୀ ବିଭିନ୍ନ ଖଣିଖାଦନରୁ ବେଆଇନ ଲଘୁଖଣିଜ ଦ୍ରବ ଚାଲାଣ କରୁଛନ୍ତି । ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବା ସହ ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି । ତେଣୁ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରି ରୋକିବା ଏବଂ ରାଜସ୍ୱ ବୃଦ୍ଧି ନିମନ୍ତେ ଜିଲ୍ଳାପାଳ ଚଞ୍ଚଳ ରଣାଙ୍କ ନିର୍ଦ୍ଦେଶ ଅନୁସାରେ ଖଣିବିଭାଗ ପକ୍ଷରୁ ନୂତନ ଲଘୁ ଖଣି ଖୋଜା ଚାଲିଛି । ଏଣୁ ଖୋର୍ଦ୍ଧା ଖଣି ଅଧିକାରୀ ଶ୍ରୀ ବେହେରାଙ୍କ ନେତୃତ୍ୱରେ ସହକାରୀ ବନ୍ୟ ସଂରକ୍ଷକ ଶ୍ରୀ ବନ୍ଧ, ଜିଓଲୋଜି ଅଫିସର ପ୍ରମୁଖ ଗତକାଲି ବାଲୁଗାଁ ଓ ବାଣପୁର ତହସିଲ ଅଞ୍ଚଳକୁ ଯାଇଥିଲେ । ସେଠାରେ କିଛି ନୂତନ ଲଘୁଖଣିଜ ଦ୍ରବ୍ୟ ଖଣି ଚିହ୍ନଟ କରିଥିଲେ । ଗୁରୁବାର ପୂର୍ବାହ୍ନରେ ଟାଙ୍ଗୀ ତହସିଲ ଅନ୍ତର୍ଗତ ଭୂଷଣ୍ଡପୁର ଏବଂ ଅନ୍ୟ କେତେକ ମୌଜାରେ ନୂତନ ଖଣି ଚିହ୍ନଟ କରିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ନିରାକାରପୁର ଥାନା ଅଞ୍ଚଳରେ ବଡ଼ପୋଖରିଆ ଗ୍ରାମର ଅଞ୍ଚଳରେ ଖଣି ଖାଦନକୁ ଯାଇଥିଲେ । ସେଠାରେ ଏକ ସ୍ଥାନରେ ନୂତନ ଖଣି ଅନୁଧ୍ୟାନ କରୁଥିଲେ । ଉକ୍ତ ସମୟରେ ଖଣି ପାଶ୍ୱର୍ରେ ଥିବା ଏକ ସ୍ଥାନରୁ କେତେକ ପଥର ମାଫିଆ ବେଆଇନ ଭାବେ ଲଘୁଖଣିଜ ଦ୍ରବ୍ୟ ଉତ୍ତୋଳନ କରୁଥିଲେ । ଏମାନଙ୍କୁ ଦେଖି ଏହି ଟିମ୍ ବେଆଇନ ଖଣି ଖାଦନରେ ଚଢ଼ଉ କରିବାକୁ ଆସିଥିବା ମାଫିଆମାନେ ସନ୍ଦେହ କରିଥିଲେ ।
ଖଣିଠାରୁ ଅଳ୍ପଦୂରତାରେ ପ୍ରଥମେ ଜଣେ ପଥର ମାଫିଆ ଖଣି ଅଧିକାରୀଙ୍କ ଗାଡ଼ି ଆଗରେ ଏକ ବାଇକ ପକାଇ ତାଙ୍କ ବାଟ ଓଗାଳିଥିଲା । ଏହା ଦେଖି ଡ୍ରାଇଭର ଗାଡ଼ିକୁ ଘଟଣାସ୍ଥଳରେ କିଛି ସମୟ ରଖିଥିଲେ । ଖଣି ଅଧିକାରଙ୍କ ଗାଡ଼ି ପଛରେ ଆସୁଥିବା ବନ ବିଭାଗ ଗାଡ଼ି ମଧ୍ୟ ପଛରେ ଅଟକି ରହିଥିଲା । ଉକ୍ତ ସମୟରେ ୫୦ରୁ ଊଦ୍ଧ୍ୱର୍ ପଥର ମାଫିଆ ସଂଘବଦ୍ଧ ହୋଇ ଖଣି ଅଧିକାରୀ ଶ୍ରୀବେହେରାଙ୍କୁ ଗାଡ଼ିରୁ ଟଣାଭିଡ଼ା କରିବା ସହ ତାଙ୍କୁ ଆକ୍ରମଣ କରିଥିଲେ । ସେହିପରି ତାଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ମୋବାଇଲ ଛଡାଇ ନେଇଯାଇଥିବା ଜଣାପଡ଼ିଛି । ମାଫିଆ ଉପଦ୍ରବ ଏତିକିରେ ଥମି ନଥିଲା । ଖଣି ଅଧିକାରୀଙ୍କ ଗାଡ଼ିପଛରେ ଠିଆ ହୋଇଥିବା ସହକାରୀ ବନ୍ୟ ସଂରକ୍ଷଣ ଗାଡ଼ିକୁ ଘେରିଯାଇଥିଲେ । ଡ୍ରାଇଭର ବିଚିତ୍ରାନନ୍ଦ ଲେଙ୍କାଙ୍କଠାରୁ ଚାବି ଛଡ଼ାଇ ନେଇ ତାଙ୍କୁ ତଳେ ପକାଇ ମାଡ଼ ମାରିଥିଲେ । ଏହା ସହ ଗାଡ଼ିରେ ବସିଥିବା ସହକାର ବନ୍ୟ ସଂରକ୍ଷକ ଶ୍ରୀବନ୍ଧଙ୍କୁ ମାଡ଼ ମାରିଥିଲେ । ସେହିପରି ଅଭିଯୁକ୍ତମାନେ ଖଣି ଓ ବନବିଭାଗ ଗାଡ଼ିକୁ ଢେଲାପଥର ମାଡ଼କରି ଭାଙ୍ଗାରୁଜା କରିଥିବା ଜଣାପଡ଼ିଛି ।
ତେବେ ଅଧିକାରୀମାନେ ପଥର ମାଫିଆଙ୍କ ଠାରୁ ରକ୍ଷା ପାଇବାକୁ ସେମାନେ ଚଢ଼ଉ ପାଇଁ ଆସିନଥିବା କହିବା ସତ୍ତେ୍ୱ ମାଫିଆମାନେ ତାଙ୍କ କଥା ଶୁଣିନଥିଲେ । ଫଳରେ କିଛି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖଣି ସନ୍ଧାନରେ ଯାଇଥିବା ଟିମ୍ କୌଶଳକ୍ରମେ ଘଟଣା ସ୍ଥଳକୁ ଖସି ଆସିଥିବା ଜଣାପଡ଼ିଛି । ଖବର ପାଇବା ପରେ ନିରାକାରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିିଛି । କିନ୍ତୁ ଏ ଘଟଣାରେ କାହାକୁ ଗିରଫ କରିନଥିବା ଜଣାପଡ଼ିଛି ।
ଏପଟେ ଖଣି ଉପନିର୍ଦ୍ଦେଶକ ଦିଲ୍ଳୀପ କୁମାର ସାହୁ ପଥର ମାଫିଆଙ୍କ ଆକ୍ରମଣ ଘଟଣାକୁ ସ୍ୱୀକାର କରିଛନ୍ତି । ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ମଧ୍ୟ ମାଫିଆଙ୍କ ଆକ୍ରମଣରେ ସହକାରୀ ବନ୍ୟ ସଂରକ୍ଷକ ଶ୍ରୀବନ୍ଧ, ଡ୍ରାଇଭର ଆହତ ହୋଇଥିବା ପ୍ରକାଶ କରିଛନ୍ତି । ଶୁକ୍ରବାର ମାଫିଆଙ୍କ ବିରୋଧରେ ନିରାକାରପୁର ଥାନାରେ ଅଭିଯୋଗ କରାଯିବ ଏବଂ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଉପଜିଲ୍ଳାପାଳ ଦୀପ୍ତିରଞ୍ଜନ ସେଠୀଙ୍କ କହିବା ଅନୁସାରେ ସେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦେବାକୁ ଖଣି ଅଧିକାରୀ ଜଗନ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।