ନୂଆଦିଲ୍ଲୀ,୨୫/୦୫: ‘ମୈ ଅପ୍ନେ ହାଥ୍ କି କମାଇ ଖାତା ହୁଁ, ଦୁନିଆ କେ ସାରେ ହାଥ୍ ଏକ୍ ତରଫ୍ ଔର ମେରା ଏକ୍ ହାଥ୍ ଏକ୍ ତରଫ୍...' ଦେବନାନନ୍ଦଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ପକେଟମାର୍’ର ଏହି ସଂଳାପ ବାସ୍ତବିକ ପକେଟ ମାର୍ କରୁଥିବା ବ୍ୟକ୍ତିମାନଙ୍କ ଜୀବନର ପ୍ରକୃତ କାହାଣୀ ଅଟେ। ଏହି ପକେଟ୍ ମାର୍ ଏକଦା ବଲିଉଡର ପ୍ରିୟ ବିଷୟ ଥିଲା। ଦେବାନନ୍ଦଙ୍କ ଠାରୁ ଧର୍ମେନ୍ଦ୍ରଙ୍କ ପର୍ଯ୍ୟନ୍ତ, ଅନେକ ବଡ଼ ତାରକା ପରଦାରେ ଲୋକଙ୍କ ପକେଟ ମାରୁଥିବାର ଅଭିନୟ କରିଛନ୍ତି ଏବଂ ସେମାନଙ୍କ ଚଳଚ୍ଚିତ୍ର ମଧ୍ୟ ବହୁ ପ୍ରଶଂସା ସାଉଁଟିଥିଲ। କେବଳ ହିରୋ ନୁହଁନ୍ତି, ଅନେକ ହିରୋଇନ୍ ମଧ୍ୟ ଲୋକଙ୍କ ପକେଟ ମାରିଥିବା ସିନ୍ ଯୋଗୁ ଚଳଚ୍ଚିତ୍ରକୁ ହିଟ୍ କରିଥିଲେ। ତେବେ ସମୟ କ୍ରମେ ଠିକ୍ ଯେପରି ଏହି ଚଳଚ୍ଚିତ୍ରରୁ ଏହି ପକେଟ ମାର୍ ବିଷୟଟି ଅଦୃଶ୍ୟ ହୋଇଯାଇଛି, ବର୍ତ୍ତମାନ ମଧ୍ୟ ପକେଟ୍ ମାର୍ ହେବା ଭଳି ମାମଲା ମଧ୍ୟ ବେଶ୍ ହ୍ରାସ ପାଇବାରେ ଲାଗିଛି।
ବଦଳିଛି ଅପରାଧର ଉପାୟ:
ପୂର୍ବରୁ, ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ଯିବା ପୂର୍ବରୁ ଲୋକମାନେ ନିଜ ୱାଲେଟ ଉପରେ କଡ଼ା ନଜର ରଖୁଥିଲେ, ଟିକେ ଅସାବଧାନତାରେ ପକେଟରୁ ପର୍ସ ଆଖି ପିଛୁଳାକେ ମାରି ନେଉଥିଲେ ଲୁଟେରା। କିନ୍ତୁ ଏବେ ଧୀରେ ଧୀରେ ପକେଟ ମାରିବା ଭଳି ବ୍ୟବସାୟ ହ୍ରାସ ପାଇବାକୁ ଲାଗିଛି। ସମୟ ସହିତ, ଅପରାଧ ପଦ୍ଧତିରେ ଅନେକ ପରିବର୍ତ୍ତନ ଆସିଛି। କାହାର ୱାଲେଟ୍ ଚୋରି କରି ନିଜ ଜୀବନକୁ ବିପଦରେ ପକାଇବା ପରିବର୍ତ୍ତେ ଅପରାଧିମାନେ ଏବେ ସାଇବର ଠକେଇ କରିବା ଭଲ ବୋଲି ଭାବୁଛନ୍ତି ଏବଂ କିଛି ଏମିତି ମଧ୍ୟ ଅଛନ୍ତି ଯେଉଁମାନେ କି ସେସବୁକୁ ଛାଡ଼ି ଏବେ ଛୋଟମୋଟ ବ୍ୟବସାୟ କିମ୍ବା କାମଧନ୍ଦା କରି ଚଳୁଛନ୍ତି।
ପକେଟମାର୍ଙ୍କ ଗାଁଁ:
ୟୁପିର ଲଲିତପୁରରେ ସିଙ୍ଗପୁର ନାମକ ଏକ ଗାଁ ଅଛି, ଯେଉଁଠାରେ ମୋଙ୍ଗିଆ ପକେଟମାର୍ଙ୍କୁ ନେଇ ଏକ ଜମାନା ଥିଲା। ରଂଜନ (ଛଦ୍ମନାମ)ଙ୍କର କହିବା କଥା ହେଲା, ଏଠାରେ ଥିବା ଲୋକମାନେ ସେମାନଙ୍କ ଜୀବିକା ପାଇଁ ପକେଟ୍ ମାର୍ କରିବାକୁ ବାଛିଥିଲେ। ପିଲାମାନଙ୍କ ସହିତ ଏହି ଲୋକମାନେ ବିଭିନ୍ନ ସହରକୁ ଯାଇ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଲୋକମାନଙ୍କ ଠାରୁ ପକେଟ ମାରୁଥିଲେ। ମନ୍ଦିର, ଗୁରୁଦ୍ୱାର, ବଜାର ଏବଂ ଟ୍ରେନ୍ ଏହି ପକେଟମାର୍ଙ୍କର ସବୁଠାରୁ ପ୍ରିୟ ସ୍ଥାନ ଥିଲା।
ପିଲାମାନଙ୍କୁ ପକେଟ ମାରିବା ଏବଂ ଓ୍ବାଲେଟ ବା ପର୍ସ ଲୁଟ୍ କରିବା ପାଇଁ ଉପଯୁକ୍ତ ତାଲିମ ଦିଆଯାଉଥିଲା। ଏହି ଲୋକମାନେ ଟିକେଟ୍ କରି ଯେକୌଣସି ସହର ଆଡ଼କୁ ଯାଉଥିବା ଟ୍ରେନରେ ଚଢ଼ୁଥିଲେ ଏବଂ ସୁଯୋଗ ପାଇବା ମାତ୍ରେ ସେମାନେ ୱାଲେଟ ଚୋରୀ କରି ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇପଡ଼ୁଥିଲେ। ଯେତେବେଳେ ତମାମ ମାମଲା ବହୁଳ ଭାବେ ସାମ୍ନାକୁ ଆସିଲା, ସେତେବେଳେ ପୋଲିସ ଏ ସଂକ୍ରାନ୍ତରେ କଠୋର ହେଲା, ଅନେକ ଲୋକଙ୍କୁ ଜେଲକୁ ପଠାଗଲା, ଏହା ପରେ ପକେଟମାର୍ ପ୍ରାୟତଃ ବନ୍ଦ ହୋଇଛି ଏବଂ ଏପରି ଅପରାଧରେ ଲିପ୍ତ ଥିବା ଲୋକମାନେ ଏବେ ଚାଷ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।