ଭୁବନେଶ୍ୱର,୦୨/୦୯: ‘ସୁଭଦ୍ରା’ ଯୋଜନାକୁ ନେଇ ରାଜ୍ୟସାରା ଚର୍ଚ୍ଚା । କେମିତି ଆବେଦନ କରାଯିବ, କେଉଁଠି ଆବେଦନ କରିବାକୁ ପଡ଼ିବ, ଏଥିପାଇଁ କ’ଣ ପ୍ରମାଣପତ୍ର ଆବଶ୍ୟକ? ଏମତି ଅନେକ ପ୍ରଶ୍ନ ଘରର ମହିଳାଙ୍କ ସମେତ ପୁରୁଷମାନଙ୍କ ଭିତରେ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଭିଡିଓ ଦେଖି ବାଟବଣା ହେଉଛନ୍ତି ଅନେକ ହିତାଧିକାରୀ । ଏହି ସମସ୍ୟାର ସମାଧାନ ପାଇଁ "ସୁଭଦ୍ରା' ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଜ୍ୟ ଓ ଜିଲ୍ଲାସ୍ତରରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ।
ଆବେଦନକାରୀଙ୍କୁ ଠିକ୍ ସୂଚନା ପ୍ରଦାନ, ଆବେଦନ ପ୍ରକ୍ରିୟାକୁ ଠିକ୍ ଭାବରେ ନିର୍ବାହ କରି ମାର୍ଗଦର୍ଶିକା ଅନୁସାରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ସମସ୍ତ ଜିଲ୍ଲାପାଳ, ରାଜସ୍ୱ ଆୟୁକ୍ତ ଓ ସମସ୍ତ ମହାନଗର ନିଗମ କମିଶନରମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ ।
ମହିଳା ଶିଶୁ ବିକାଶ ବିଭାଗ ତଥା ଆଇସିଡିଏସ ଓ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ମନୀଷା ବାନାର୍ଜୀଙ୍କ ଦ୍ୱାରା ବିଭାଗୀୟ ଅଧିକାରୀଙ୍କୁ ତାଲିମ ଦିଆଯାଇଥିଲା । ପ୍ରତି ଜିଲ୍ଲାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଆଇସିଡିଏସ୍ ସୁପରଭାଇଜର, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା , ମାଷ୍ଟର ବୁକ୍ କିପର (ଏମ୍ବିକେ), କମ୍ୟୁନିଟି ରିସୋର୍ସ ପର୍ସନ (ସିଆର୍ପି)ମାନଙ୍କୁ ବ୍ୟାପକ ତାଲିମ ଦିଆଯାଉଛି । ଏହା ସହ ଓକାକ୍, କଲ ସେଣ୍ଟର (୧୪୬୭୮), ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ତାଲିମ ଦିଆଯାଉଛି ।