ନୂଆଦିଲ୍ଲୀ: ପୁଣି ଅଡୁଆରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ। ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ଏକ ମାମଲାରେ ସୁଲତାନପୁରର ଏକ କୋର୍ଟ ସଞ୍ଜୟ ସିଂ ଏବଂ ସମାଜବାଦୀ ପାର୍ଟି ନେତା ଅନୁପ ସଣ୍ଡାଙ୍କ ସମେତ କିଛି ନେତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶୁଣାଣି ସମୟରେ ସଞ୍ଜୟ ସିଂ ଏବଂ ଅନ୍ୟ ଅଭିଯୁକ୍ତ ମାନେ କୋର୍ଟରେ ହାଜର ହୋଇନଥିଲେ, ଯେଉଁଥିରେ କୋର୍ଟ ଦୃଢ ଆପତ୍ତି ଜଣାଇଥିଲେ ଏବଂ ସ୍ଥାନୀୟ ପୋଲିସକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଆସନ୍ତୁ ଜାଣିବା କ’ଣ ଏହି ମାମଲା...
ବାସ୍ତବରେ, ୨୩ ବର୍ଷ ପୁରୁଣା ଏକ ମାମଲାରେ AAP ସାଂସଦ ସଞ୍ଜୟ ସିଂଙ୍କ ସମେତ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହୋବାର ଥିଲା । ତେବେ ଅଭିଯୁକ୍ତ ମାନେ କୋର୍ଟରେ ହାଜର ହୋଇ ନ ଥିବାରୁ କୋର୍ଟ ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସକୁ ସାଂସଦ ସଞ୍ଜୟ ସିଂ, ସପା ନେତା ଅନୁପ ସଣ୍ଡା ଏବଂ ଅନ୍ୟ ଚାରିଜଣଙ୍କୁ ଗିରଫ କରି ଅଗଷ୍ଟ ୨୮ ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାଂସଦ ସଞ୍ଜୟ ସିଂଙ୍କ ଓକିଲ ମଦନ ସିଂ କହିଛନ୍ତି ଯେ, ସଞ୍ଜୟ ସିଂ, ଅନୁପ ସଣ୍ଡା ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କ ବିରୋଧରେ ଗତ ଅଗଷ୍ଟ ୧୩ ତାରିଖ ଦିନ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ଓକିଲ କହିଛନ୍ତି ଯେ ସଂଜୟ ସିଂ ଏବଂ ସଣ୍ଡାଙ୍କ ଜାମିନ ଆବେଦନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଦାଖଲ ହୋଇଛି, ଯାହା ଅଗଷ୍ଟ ୨୨ ରେ ଶୁଣାଣି ହେବ ।
ସୂଚନା ମୁତାବକ, ଏହି ସମଗ୍ର ମାମଲା ଜୁନ୍ ୧୯, ୨୦୦୧ ର ଅଟେ । ଖରାପ ବିଦ୍ୟୁତ ଯୋଗାଣ ବିରୋଧରେ ପୂର୍ବତନ ସପା ବିଧାୟକ ଅନୁପ ସଣ୍ଡା ନେତୃତ୍ୱରେ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସଞ୍ଜୟ ସିଂଙ୍କ ସହ ପୂର୍ବତନ କାଉନସିଲର କମଲ ଶ୍ରୀବାସ୍ତବ, ବିଜୟ କୁମାର, ସନ୍ତୋଷ ଏବଂ ସୁଭାଷ ଚୌଧରୀ ମଧ୍ୟ ଭାଗ ନେଇଥିଲେ। ଏହା ପରେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଜାନୁୟାରୀ ୧୧, ୨୦୨୩ରେ ସ୍ବତନ୍ତ୍ର ଜଜ୍ ଯୋଗେଶ ଯାଦବ ସଞ୍ଜୟ ସିଂଙ୍କ ସମେତ ସମସ୍ତ୬ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ପ୍ରତ୍ୟେକଙ୍କୁ ତିନିମାସ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅଗଷ୍ଟ ୯ରେ, ସାଂସଦ / ବିଧାୟକ କୋର୍ଟ ୬ଜଣଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ତାହା ନକରିବା କାରଣରୁ ସମସ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ।