ନୂଆଦିଲ୍ଳୀ,୧୭।୯: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି। କୋର୍ଟ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ନେଇଛନ୍ତି ବଡ଼ ନିଷ୍ପତ୍ତି। ସୁପ୍ରିମକୋର୍ଟ ପୀଡିତାଙ୍କ ପରିଚୟ ହଟାଇବାକୁ ୱିକିପୀଡିଆକୁ ଦେଇଛନ୍ତି ନିର୍ଦ୍ଦେଶ । କୋର୍ଟ କହିଛନ୍ତି, ତୁରନ୍ତ ୱିକିପୀଡିଆରୁ ଆରଜି କର ଦୁଷ୍କର୍ମ ପୀଡିତାଙ୍କ ଫଟୋ ଏବଂ ନାମ ଡିଲିଟ୍ କରାଯାଉ। "ଏବେ ମଧ୍ୟ ପୀଡିତାଙ୍କ ପରିଚୟ ୱିକିପୀଡ଼ିଆରେ ଉପଲବ୍ଧ ରହିଛି। ନିୟମ ଅନୁସାରେ ଏହା ବେଆଇନ। ଭାରତୀୟ ଆଇନ ଏହାକୁ ବାରଣ କରେ। ୱିକିପୀଡ଼ିଆ ଆମର ପୂର୍ବ ଆଦେଶକୁ ପାଳନ କରିବା ଉଚିତ। ପୀଡିତାଙ୍କ ପରିଚୟ ୱେବସାଇଟରୁ ହଟାଯିବା ଉଚିତ।"
ଏହା ସହ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ମାମଲାର ଶୁଣାଣି ଚାଲିଥିବା ବେଳେ କେହି ବି ମଝିରେ ଉଠିବେନି କିମ୍ବା ଚିଲାଇବେନି, କାରଣ ଏହାକୁ ଲାଇଭ ଷ୍ଟ୍ରିମିଂ କରାଯାଉଛି।’ ଏହି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କେସ୍ ଲଢୁଥିବା ବରିଷ୍ଠ ଆଇନଜୀବି କପିଲ ସିବଲ ମାମଳାର ଶୁଣାଣିକୁ ସିଧା ପ୍ରସାରଣ ନକରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏଭଳି ମାମଲାର ଲାଇଭ୍ ଷ୍ଟ୍ରୀମ୍ କଲେ ପ୍ରଭାବ ପଡିଥାଏ। ଆମେ ଅଭିଯୁକ୍ତର ପ୍ରତିନିଧିତ୍ବ କରୁ ନାହୁଁ, ଆମର ୫୦ବର୍ଷର ପ୍ରତିଷ୍ଠା ରହିଛି।
ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି, ଏହା ଖୋଲା ଅଦାଲତ। ଏହା ଏକ ଜନସ୍ବାର୍ଥ ମାମଲା। ଚାମ୍ବରର ମହିଳା ଓକିଲଙ୍କୁ ଏସିଡ ମାଡ଼ ଓ ଦୁଷ୍କର୍ମର ଧମକ ମିଳୁଛି। ସୋସିଆଲ ମିଡିଆରେ ପଶ୍ଚିମବଙ୍ଗରୁ ପ୍ରତିନିଧିତ୍ବ କରୁଥିବା ଓକିଲଙ୍କୁ ଧମକ ଦିଆଯାଉଛି। ଏହା ଶୁଣିବା ପରେ ବି ସିଜେଆଇ କହିଥିଲେ, ଶୁଣାଣିର ସିଧା ପ୍ରସାରଣ ଉପରେ ରୋକ ଲଗାଯିବନି, କାରଣ ଏହା ଏକ ଜନସ୍ବାର୍ଥ ମାମଲା। କୋର୍ଟ ସିବଲଙ୍କୁ ଆଶ୍ବାସନା ଦେଇଛନ୍ତି, ଯଦି ଓକିଲ ଓ ଅନ୍ୟ ଲୋକଙ୍କ ପ୍ରତି ବିପଦ ରହିଛି ତେବେ ପଦକ୍ଷେପ ଗ୍ରହଣ କରାଯିବ।