ନୂଆଦିଲ୍ଲୀ: ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ଜାନି ମାଷ୍ଟରଙ୍କ ବିରୋଧରେ ଜଣେ ୨୧ ବର୍ଷୀୟା ମହିଳା ସହକର୍ମୀ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କ ନାଁରେ ତେଲେଙ୍ଗାନାର ରାୟଦର୍ଗୁ ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ ହୋଇଛି । ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ଯେ, କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ସହ ସେ କାମ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା ।
ମହିଳାଜଣଙ୍କ ପୋଲିସକୁ କହିଛନ୍ତି ଯେ, ଜାନି ମାଷ୍ଟର ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଛନ୍ତି । ଏପରିକି ଥରେ ମୁମ୍ବାଇର ଏକ ହୋଟେଲରେ ତାଙ୍କ ସହ ଏଭଳି ଘଟଣା ଘଟିଥିଲା । ଏହି ସମୟରେ ଜାନି ମାଷ୍ଟରଙ୍କ ସମେତ ତାଙ୍କର ଦୁଇ ଜଣ ପୁରୁଷ ସହଯୋଗୀ ମୁମ୍ବାଇ ଯାଇଥିଲେ ବୋଲି ମହିଳାଜଣଙ୍କ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ୨୦୧୭ରେ ତାଙ୍କର ଜାନି ମାଷ୍ଟରଙ୍କ ସହ ସାକ୍ଷାତ ହୋଇଥିଲା । ଏହାର ଦୁଇ ବର୍ଷ ପରେ ତାଙ୍କୁ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବରେ କାମ କରିବାକୁ ଜାନି ମାଷ୍ଟର କହିଥିଲେ ଏବଂ ସେ ରାଜି ହୋଇଯାଇଥିଲେ । ତାପରେ ତାଙ୍କୁ ଯୌନ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ।
ସେପଟେ ମହିଳାଙ୍କୁ ଧର୍ମ ପରିବର୍ତ୍ତନ କରି ତାଙ୍କୁ ବିବାହ କରିବାକୁ ଜାନି ମାଷ୍ଟର ବାଧ୍ୟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଜାନି ମାଷ୍ଟର ଓରଫ ଶେଖ ଜାନି ବାଶା । ତେଲୁଗୁ ଏବଂ ତାମିଲ ଫିଲ୍ମରେ କୋରିଓଗ୍ରାଫର ଭାବରେ ବେଶ୍ ଜଣାଶୁଣା ହୋଇଥିବା ବେଳେ ସେ ଜନସେନା ଦଳର ନେତା ଅଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଯୌନ ନିର୍ଯତାନା ଅଭିଯୋଗ ଆସିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ କହିଛନ୍ତି ଜନସେନା ମୁଖ୍ୟ ପଓ୍ବନ କଲ୍ୟାଣ ।
ଜାନି ମାଷ୍ଟର ବିବାହିତ ହୋଇଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ମହିଳାଜଣଙ୍କୁ ମାଡ଼ ମାରିଥିବା ପୋଲିସ ପାଖରେ ଅଭିଯୋଗ ହୋଇଛି । ସେପଟେ ପୋଲିସ ମାମଲା ରୁଜୁ କରିବା ପରେ ମହିଳାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ହେଁ ଏଥିରେ ବିଫଳ ହୋଇଛି ।
ତାମିଲ ସିନେମାରେ ଜାନି ମାଷ୍ଟର ରଜନୀକାନ୍ତ, ଧନୁଷ ଏବଂ ଥାଲପତି ବିଜୟଙ୍କ ସହ ହିଟ୍ ଗୀତ କୋରିଓଗ୍ରାଫ୍ କରିଛନ୍ତି । ଜାନି ମାଷ୍ଟର ଥାଲାପତି ବିଜୟଙ୍କ ଫିଲ୍ମ ବିଷ୍ଟର 'ଆରବୀ କୁଥୁ', ୱାରିସୁରୁ 'ରଂଜୀଥମେ' ଏବଂ ରଜନୀକାନ୍ତ ଏବଂ ତମନ୍ନା ଭାଟିଆଙ୍କ 'ନୁ କାବାଲିଆ' ସହ ହିଟ୍ ଗୀତ କୋରିଓଗ୍ରାଫ କରିଥିଲେ। ନିକଟରେ ଜାନି ମାଷ୍ଟର ତେଲୁଗୁ ସିନେମା ଟିଭି ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ନିର୍ଦ୍ଦେଶକ ସଂଘର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଜାନି ମାଷ୍ଟର ତାମିଲ ଚଳଚ୍ଚିତ୍ର 'ତିରୁଚିତ୍ରାମବାଲମ' ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ପୁରସ୍କାର ମଧ୍ୟ ପାଇଛନ୍ତି । ଜାନି ମାଷ୍ଟରଙ୍କ ବିଷୟରେ କହିବାକୁ ଗଲେ ସେ ଶୋ 'ଧି'ରୁ ତାଙ୍କର ଡ୍ୟାନ୍ସ ଯାତ୍ରା ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଟଲିଉଡରେ ଅନେକ ସୁଯୋଗ ମିଳିଥିଲା ।