ସୋର, ୨୭/୦୫ : ବିଳମ୍ବିତ ରାତିରେ ଦମ୍ପତିଙ୍କ ଆତ୍ମହତ୍ୟା। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
ସୂଚନାନୁଯାୟୀ, ସିମୁଳିଆ ଥାନା ପାର୍ବତୀପୁର ଗ୍ରାମର ମନୋଜ ମହାକୁଡ(୩୨ ବର୍ଷ) ଏବଂ ସସ୍ମିତା ମହାକୁଡ (୨୮ ବର୍ଷ ) ଗତ ରାତିରେ ଆତ୍ମହତ୍ୟା କରିଛନ୍ତି। ମନୋଜ ଓ ସସ୍ମିତା ଖାଇସାରି ଘରେ ଶୋଇଥିଲେ। ଅପରାହ୍ଣରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାର ଦୁଇ ଜଣଙ୍କ ବେକରେ ଗୁଡାଇ ହୋଇଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ୍ ଝଟ୍କା ଲାଗିଥିବା ଜାଣିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ୍ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଛି।