କେନ୍ଦୁଝର ସଦର ,୧୪/୯ : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝରଗଡ଼ ସବୁବେଳେ ରେଳବାଇ ତରଫରୁ ଉପେକ୍ଷିତ ହୋଇ ଆସୁଛି। କେନ୍ଦୁଝର ଜିଲ୍ଲାରୁ ରେଳବାଇର ଉଭୟ ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥ ଭରପୁର ରାଜସ୍ବ ପାଉଥିଲେ ମଧ୍ୟ ଜିଲାବାସୀଙ୍କୁ ଉପଯୁକ୍ତ ରେଳସେବା ମିଳି ପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରବିବାର କେନ୍ଦୁଝର ଦେଇ ବ୍ରହ୍ମପୁର-ଟାଟା ନଗର ବନ୍ଦେ ଭାରତ ଟ୍ରେନ ଉଦ୍ଘାଟନ କରାଯିବ। ତେବେ ଟ୍ରେନର ବାରମ୍ବାର ସମୟ ପରିବର୍ତ୍ତନ ଯୋଗୁଁ ଯାତ୍ରୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା କେନ୍ଦୁଝର ସହରର ଲୋକ ମାନେ ଭୁବନେଶ୍ୱର ଯାଇ ଅଫିସ କାମ କରିବାକୁ କୌଣସି ନିଦ୍ଧିଷ୍ଟ ଟ୍ରେନ ନାହିଁ। କେନ୍ଦୁଝର - ଖୋର୍ଦ୍ଧା ରୋଡ଼ ମେମୁ ଟ୍ରେନ ସକାଳ ୬.୩୦ମିନିଟ ରେ ଛାଡ଼ୁଥିଲେ ମଧ୍ୟ ଅହେତୁକ ବିଳମ୍ବ ହୋଇ ମଧ୍ୟାହ୍ନ ବାରଟା ପରେ ପହଞ୍ଚିଥାଏ। ଏହାର ଦୀର୍ଘ ସାତ ଘଣ୍ଟାପରେ ବଡ଼ବିଲ ପୁରୀ ଟ୍ରେନ ଅପରାହ୍ନ ୦୧.୩୫ ମିନିଟରେ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ବାହାରି ସଂଧ୍ୟାରେ ଭୁବନେଶ୍ୱର ଓ ବିଳମ୍ବିତ ରାତ୍ରିରେ ପୁରୀରେ ପହଞ୍ଚିଥାଏ। ଫଳରେ କେନ୍ଦୁଝର ବାସୀ ଅଫିସ କାମ ପାଇଁ ବିଭିନ୍ନ ହୋଟେଲ, ଲଜ କିମ୍ବା ଧର୍ମଶାଳାରେ ରାତି ବିତାଇ ପରଦିନ ରାଜଧାନୀରେ ଅଫିସ କାର୍ଯ୍ୟ କିମ୍ବା ପୁରୀରେ ନିଜ ଆରାଧ୍ୟ ଠାକୁର ଜଗାଙ୍କୁ ଦର୍ଶନ କରିଥାନ୍ତି।
ଅନୁରୂପ ଭାବେ କେନ୍ଦୁଝର ବାସୀ କଲିକତା ସହିତ ବାଣିଜ୍ୟ ପାଇଁ ପୂର୍ଣ ନିର୍ଭରଶୀଳ ଥିଲେ ମଧ୍ୟ କେନ୍ଦୁଝରରୁ କଲିକତାକୁ ରେଳସେବା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ସମସ୍ୟାକୁ ଅନୁଧ୍ୟାନ କରି ତୁରନ୍ତ କେନ୍ଦୁଝରରୁ ଭୁବନେଶ୍ୱର ଦେଇ ପୁରୀକୁ ସକାଳ ୧୦ ଘଟିକା ସୁଧା ପହଞ୍ଚି ପାରୁଥିବା ଏକ ଦ୍ରୁତ ଗାମୀ ଟ୍ରେନ ଚଳାଚଳ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି ବାଂଶପାଣିରୁ କେନ୍ଦୁଝର ଦେଇ କଲିକତାକୁ ଅନ୍ୟ ଏକ ଦ୍ରୁତଗାମୀ ପାସେଞ୍ଜର ଟ୍ରେନ ଚଳାଇବା ବ୍ୟବସ୍ଥା କରି ଯାତ୍ରୀଙ୍କୁ ଉପଯୁକ୍ତ ରେଳସେବା ଯୋଗାଇ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସଭାପତି ରଞ୍ଜନ କୁମାର ବେହେରା ଓ ଉପ ସଭାପତି ସୁରେଶ ଚନ୍ଦ୍ର ପଲେଇ ଦାବି କରିଛନ୍ତି।