ଭୁବନେଶ୍ୱର,୧୯/୦୮: ରାକ୍ଷୀପୂର୍ଣ୍ଣିମାରେ ପୂର୍ଣ୍ଣଚନ୍ଦ୍ର ୨୦୨୪ ମସିହାର ପ୍ରଥମ "ସୁପରମୁନ’ ଭାବରେ ଦେଖାଯିବ । "ସୁପରମୁନ’ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ "ସୁପରମୁନ’ ଶବ୍ଦଟି ଖୁବ୍ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି ।
୨୦୨୪ ମସିହାରେ "୪-ସୁପରମୁନ ସିରିଜ'ର ପ୍ରଥମ "ସୁପରମୁନ୍’ ଦେଖାଯିବ । ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୯ ପ୍ରତିଶତ ବଡ ସହ ୨୦ ପ୍ରତିଶତ ଉଜ୍ୱଳ ଦେଖାଯିବ । ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା'ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡେ ତାହାକୁ ସୁପରମୁନ୍ କୁହାଯିବ । ଅର୍ଥାତ ଯଦି ଚନ୍ଦ୍ର ଅମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା'ଠାରୁ କମ୍ ଦୂରରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା'ହେଲେ ସେହି ଚନ୍ଦ୍ରକୁ "ସୁପରମୁନ୍’ କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ୱଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ । ଏହା ଏକ ବିରଳ ଘଟଣା ହୋଇଥିବାରୁ ଏହାର ଏଭଳି ନାମକରଣ କରାଯାଇଛି । ତେବେ ଚନ୍ଦ୍ରର ରଙ୍ଗ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।