ବାସୁଦେବପୁର,୨୨/୦୯: ବିଳମ୍ୱିତ ରାତିରେ ଟ୍ରକ୍ ଅଟକାଇ ଟଙ୍କା ଆଦାୟ କରୁଥିଲେ ଦୁର୍ବୃତ୍ତ । ଟଙ୍କା ନଦେଲେ ମାଡ଼ ମାରି ଆଦାୟ କରୁଥିଲେ ଟଙ୍କା । ଏଥିରେ ଉତ୍ୟକ୍ତ ହୋଇ ଶତାଧିକ ଟ୍ରକ୍ ଅଟକ କଲେ ଡ୍ରାଇଭର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଧାମରା ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଶନିବାର ବିଳମ୍ୱିତ ରାତିରେ କେତେକ ଦୁର୍ବୃତ୍ତ ବେତଡା ଛକ ନିକଟରେ ଟ୍ରକ ଅଟକାଇ ଅର୍ଥ ଆଦାୟ କରୁଥିଲେ । କେବଳ ଭଦ୍ରକ ଜିଲ୍ଲାର ଟ୍ରକକୁ ଛାଡି ଅନ୍ୟ ଜିଲ୍ଲାର ଟ୍ରକକୁ ଅଟକାଇବା ସହିତ ଟଙ୍କା ଛଡାଇ ନେଇଥିଲେ ଦୃବୃତ୍ତ । ଯଦି କେହି ଟଙ୍କା ଦେଉନଥିଲେ, ତାଙ୍କୁ ମାଡ଼ ମାରି ଟଙ୍କା ଆଦାୟ କରୁଥିଲେ । ଏହି ସମୟରେ ଏକ ଗାଡ଼ିର ଡ୍ରାଇଭରକୁ ଦୁର୍ବୃତ୍ତ ମାନେ ଟଙ୍କା ମାଗିବାରୁ ଡ୍ରାଇଭର ଟଙ୍କା ଦେବାକୁ ମନା କରିଥିଲା । ଏଥିରେ ରାଗି ଯାଇ ଦୁର୍ବୃତ୍ତ ମାନେ ଡ୍ରାଇଭରକୁ ମାଡ ମାରିବା ସହ ଟଙ୍କା ଓ ଗାଡିର ଚାବି ମଧ୍ୟ ଛଡାଇ ନେଇଥିଲେ । ପରେ ଅନ୍ୟ ଗାଡି ଡ୍ରାଇଭର ସେଠାକୁ ଚାଲି ଆସିବାରୁ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଏହି ଘଟଣାର ପ୍ରତିବାଦ କରି ରାସ୍ତା ଅବରୋଧ କରି ବେତଡା ବଜାରଠାରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଶତାଧିକ ଟ୍ରକ ଅଟକାଇଥିଲେ କିଛି ଡ୍ରାଇଭର । ଏନେଇ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରବିବାର ସକାଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଦୁର୍ବୃତ୍ତ ମାନଙ୍କୁ ଖୋଜିଥିଲା । ହେଲେ ଗାଡି ଚାବି ଦୁର୍ବୃତ୍ତମାନେ ନେଇଯାଇଥିବାରୁ ଟ୍ରକ ରାସ୍ତାରୁ ହଟିନଥିଲା । ତୁରନ୍ତ ଉକ୍ତ ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଡ୍ରାଇଭର ମହାସଙ୍ଘ ଜିଲ୍ଲା ସଭାପତି ସହିତ ଡ୍ରାଇଭରମାନେ ଦାବି କରିବା ସହ ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି।