ଭୁବନେଶ୍ୱର,୧୦/୦୮: ବର୍ଷା ଋତୁ ନିଜ ସହ ଅନେକ ସଂକ୍ରମଣ ନେଇ ଆସିଥାଏ । ପରିବେଶରେ ପରିବର୍ତ୍ତନ ତଥା ଆର୍ଦ୍ରତାର ମାତ୍ରା ବଢିବା ହେତୁ ପାଚନ ସମ୍ୱନ୍ଧିୟ ସମସ୍ୟା ସୃଷ୍ଟି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଥାଏ । ଏହି ସମୟରେ କିଛି ଖାସ୍ ପନିପରିବା ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ଉନ୍ନତ ହୋଇଥାଏ । ନିଜ ଆହାରରେ ପୋଶକ ତତ୍ତ୍ୱରେ ଭରପୁର ସବୁଜ ପନିପରିବା ଗ୍ରହଣ କରିବା ଦ୍ୱାରା ଆପଣ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରି ପାରିବେ । ଏହା ପାଚନ ସମ୍ୱନ୍ଧିୟ ସମସ୍ୟାରେ ସହାୟକ ହେବା ସହ ବର୍ଷା ଦିନରେ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ବିପଦକୁ ମଧ୍ୟ କମ କରିବ ।
୧. କଲରା-
କଲାରା ନିଜର ବିଷହରଣ ଗୁଣ ତଥା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା କ୍ଷମତା ପାଇଁ ଜଣାଶୁଣା । ଏହା ଆପଣଙ୍କ ଯକୃତକୁ ସଫା କରିଥାଏ । ଏଥି ସହିତ ଆପଣଙ୍କ ରକ୍ତକୁ ମଧ୍ୟ ବହୁ ମାତ୍ରାରେ ପରିଷ୍କାର କରିଥାଏ । ଏହା ଶରୀରକୁ ଅନେକ ଗୁଡିଏ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଏହା ସହ କଲରା ସାଧାରଣତଃ ରକ୍ତରେ ଶର୍କରାର ପରିମାଣ କମାଇଥାଏ । ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଥାଏ ।
୨. ଲାଉ-
ଲାଉ ଅତ୍ୟନ୍ତ ହାଲୁକା ହୋଇଥିବା କାରଣରୁ ଖୁବ୍ ସହଜରେ ହଜମ ହୋଇଥାଏ । ବର୍ଷାଦିନେ ପାଚନ କ୍ରିୟା ଦୁର୍ବଳ ହେବା କାରଣରୁ ଏହା ଏକ ଉତ୍ତମ ଆହାର ଅଟେ । ଏଥିରେ ଜଳୀୟଅଂଶ ଅଧିକ ରହିଥିବାରୁ, ଏହା ଶରୀରକୁ ହାଇଡ୍ରେଟେଡ ରଖିଥାଏ ।
୩. ପାଳଙ୍ଗ-
ପାଳଙ୍ଗ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ । ଏଥିରେ ଆଇରନ୍ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଏନିମିଆ ରୋଗ ସହ ଲଢି ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । ଏଥିରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ରହିଥାଏ । ପରିବେଶ ଆର୍ଦ୍ର ରହିବା କାରଣରୁ ହେଉଥିବା ତ୍ୱଚା ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ।
୪. ମେଥିଶାଗ-
ମେଥିଶାଗ ନିଜର ରୋଗ ପ୍ରତିରୋଧକ ଶକ୍ତି ପାଇଁ ବେଶ୍ ଜଣାଶୁଣା । ଏହା ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରି ରଖିଥାଏ । ଏହା ପାଚନ କ୍ରିୟକୁ ଉନ୍ନତ କରିବା ସହ ଶରୀରକୁ ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ । ସେଥିପାଇଁ ମେଥିଶାଗ ବର୍ଷାଦିନ ପାଇଁ ଏକ ଉତ୍ତମ ଆହାର ଅଟେ ।
୫. ସଜନାଛୁଇଁ-
ସଜନାଛୁଇଁର ଗୁଣବତ୍ତା ଅଗଣନୀୟ । ଏଥିରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରକୁ ସୁଦୃଢ କରିଥାଏ । ଏହା ହାଡ଼କୁ ମଜବୁତ କରିବା ସହ ଶ୍ୱସନ କ୍ରିୟାକୁ ଉନ୍ନତ କରିଥାଏ । ବର୍ଷାଦିନେ ଅଧିକ ଥଣ୍ଡା,ଜ୍ୱର ହେଉଥିବାରୁ ଏହା ଅତ୍ୟନ୍ତ ଆବଶ୍ୟକୀୟ ହୋଇଥାଏ ।