ନୂଆଦିଲ୍ଲୀ,୧୯/୦୯: ବିବାହ ଆୟୋଜନ କରାଉଥିବା ୱେଡିଂ ପ୍ଲାନର୍ଙ୍କ ସଂପର୍କରେ ଆପଣମାନେ ଶୁଣିଥିବେ । କିନ୍ତୁ ବିବାହ ଭାଙ୍ଗୁଥିବା ଲୋକଙ୍କ କଥା ଶୁଣିଛନ୍ତି ? ସ୍ପେନ୍ର ଜଣେ ବ୍ୟକ୍ତି ଲୋକଙ୍କ ବିବାହ ଭାଙ୍ଗିବାକୁ ସୁପାରି ନେଉଥିବା ଦାବି କରିଛନ୍ତି । ସୋସିଆଲ ମିଡିଆରେ ଏରନେଷ୍ଟୋ ନାମକ ବ୍ୟକ୍ତିଜଣକ କରିଥିବା ପୋଷ୍ଟ ଅନୁସାରେ, ଅନେକ ସ୍ଥଳରେ ବିବାହ ସ୍ଥିର ହେବା ପରେ ଯୁବକଯୁବତୀମାନେ ତାକୁ ନେଇ ଖୁସି ନଥାନ୍ତି । ସେମାନଙ୍କ ଲାଗି ଏକ ଦୁଃସ୍ୱପ୍ନ ଭଳି ହୋଇଥାଏ । ଏଭଳି ସ୍ଥିତିର ସାମ୍ନା କରୁଥିବା ଯୁବବର୍ଗ ତାଙ୍କ ସହିତ ଯୋଗାଯୋଗ କରିଥାନ୍ତି । ବିବାହ ଭାଙ୍ଗିବାକୁ ସେ ୫୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୪୬,୬୪୫ ଟଙ୍କା) ନେଇଥାନ୍ତି ।
ବିବାହସ୍ଥଳୀ ସଂପର୍କରେ ତଥ୍ୟ ସଂଗ୍ରହ କରିବା ପରେ ଏରନେଷ୍ଟୋ ସେଠାରେ ପହଞ୍ଚିଥାନ୍ତି । ସେଠାରେ ସେ କନ୍ୟା କିମ୍ବା ବରଙ୍କ ସହିତ ପ୍ରେମସଂପର୍କରେ ଥିବା ଦର୍ଶାଇଥାନ୍ତି । ତାଙ୍କ ସହିତ ବିବାହମଣ୍ଡପରୁ ଫେରାର ହେବାକୁ ପ୍ରବର୍ତ୍ତାଇଥାନ୍ତି । ତାଙ୍କର ଅଭିନୟ ଏତେ ସାବଲୀଳ ହୋଇଥାଏ ଯେ ସଙ୍ଗେ ସଙ୍ଗେ ବିବାହ ଭାଙ୍ଗିଯାଇଥାଏ । ସମୟ ସମୟରେ ଏହି କାର୍ଯ୍ୟ କରିବାବେଳେ ତାଙ୍କୁ ମାଡ଼ ମଧ୍ୟ ଖାଇବାକୁ ପଡିଥାଏ । ସେ ବାବଦକୁ ମଧ୍ୟ ଏରନେଷ୍ଟୋ ଗ୍ରାହକଙ୍କ ନିକଟରୁ ଟଙ୍କା ଆଦାୟ କରିଥାନ୍ତି । ଗୋଟିଏ ଚାପୁଡ଼ା ଖାଇଲେ ତାଙ୍କୁ ଭାରତୀୟ ମୁଦ୍ରାରେ ୪୬୬୪ ଟଙ୍କା ମିଳେ । ତେଣୁ ମାଡ଼ ଖାଇବା ସମୟରେ ମଧ୍ୟ ସେ ଖୁସିରେ ଗାଲ ଦେଖାଇ ଦିଅନ୍ତି । ତାଙ୍କ ଗ୍ରାହକଙ୍କ ସଂଖ୍ୟା ଏତେ ଅଧିକ ବଢ଼ିଯାଇଛି ଯେ ନଭେମ୍ବର ୨ ତାରିଖ ଯାଏ ସେ ଉପଲବ୍ଧ ନଥିବା ଦର୍ଶାଇଛନ୍ତି ।