ବାରିପଦା,୧୭/୦୫ : କାବୁ ହେଲା ବାରିପଦା ସହରରେ ବୁଲୁଥିବା କଲରାପତରିଆ ବାଘ। ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲା ବନ ବିଭାଗର ରେସ୍କ୍ୟୁ ଟିମ୍। ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ୍ କରି କାବୁ କଲା ବନବିଭାଗ।
ସୂଚନା ମୁତାବକ, ବୁଢ଼ୀଖମାରୀ ଅଞ୍ଚଳରେ ଶୁକ୍ରବାର ଭୋର୍ରୁ ଏକ କଲରାପତରିଆ ବାଘ ବୁଲୁଥିଲା ଲୋକେ ଦେଖିଥିଲେ । ବାଘକୁ ଦେଖି କୁକୁରମାନେ ଜୋରରେ ଭୁକିବାରୁ ବାଘଟି ବୁଢ଼ୀ ଖମାରୀ ସ୍କୁଲ ପାଚେରୀ ଡେଇଁ କୁଆଡେ଼ ପଳାଇ ଯାଇଥିଲା। ତେବେ ଖବର ପାଇ ବନ ବିଭାଗର ଟିମ୍ ବାଘକୁ ଠାବ କରିବାକୁ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶେଷରେ ବୁଢ଼ୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କଲରାପତରିଆ ବାଘକୁ କାବୁ କଲା ବନ ବିଭାଗ।
ଉଲ୍ଲେଖଯୋଗ୍ୟ ଯେ, ଶିମିଳିପାଳ ପାଦଦେଶ ପିଠାବଟା ରେଞ୍ଜ ଅନ୍ତର୍ଗତ ତଥା ଶାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଠାରେ ବୁଧବାର ମଧ୍ୟାହ୍ନରେ ବାଘ ଆତଙ୍କ ଦେଖାଦେଇଥିଲା। ଗୋଟିଏ କଲରାପତରିଆ ବାଘ ଜନବସତି ମୁହାଁ ହୋଇଥିବା ନେଇ ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ସେଠାରେ ମଧ୍ୟ ବାଘକୁ ଧରିବାକୁ ଡେରା ପକାଇଥିବା ବେଳେ ବାଘ କିନ୍ତୁ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବାରିପଦା ସହର ମୁହାଁ ହୋଇଥିଲା। ବାଘଟି ଶ୍ୟମାଖୁଣ୍ଟା ଦେଇ ବୁଢ଼ା ବଳଙ୍ଗ ନଦୀ ପାର ହୋଇ ବୁଢ଼ୀ ଖମାରୀ ଅଞ୍ଚଳରେ ପହଞ୍ଚିଥିଲା। ଶେଷରେ ବନ ବିଭାଗ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି କଲରାପତିଆ ବାଘକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି। ତାକୁ ଏକ ସ୍ବତନ୍ତ୍ର ଗାଡ଼ିରେ ନେଇ ଶିମିଳିପାଳରେ ଛଡ଼ାଯିବ ବୋଲି ବନ ବିଭାଗର ଉଦ୍ଧାରକାରୀ ଦଳ କହିଛନ୍ତି ।