ଝାରସୁଗୁଡ଼ା,୦୫/୧୧: ଝାରସୁଗୁଡ଼ା ବୀର ସରେନ୍ଦ୍ର ସାଏ ବିମାନବନ୍ଦରରୁ ରବିବାରଠାରୁ ଇଣ୍ଡିଗୋ ବିମାନ ଉଡ଼ିବ । ପ୍ରଥମ କରି ଇଣ୍ଡିଗୋ ଏହି ବିମାନବନ୍ଦରରୁ କୋଲକାତାକୁ ଉଡ଼ିବ । ଝାରସୁଗୁଡ଼ା-କୋଲକାତା ସେକ୍ଟରରେ ଇଣ୍ଡିଗୋ ପକ୍ଷରୁ ଏଟିଆର ଏୟାର୍ କ୍ରାଫ୍ଟ ଚଳାଚଳ କରିବ । କୋଲକାତା ବିମାନବନ୍ଦରରୁ ସନ୍ଧ୍ୟା ୫ଟା ୫୦ରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ ୭ଟା ୨୫ରେ ପହଞ୍ଚିବ ।
ସେହିପରି ଝାରସୁଗୁଡ଼ାରୁ ୭ଟା ୫୫ରେ କୋଲାକାତାକୁ ବିମାନ ପ୍ରତ୍ୟାବର୍ତ୍ତନ କରିବ । ସପ୍ତାହର ସବୁଦିନ ଏହି ବିମାନ ଚଳାଚଳ କରିବ । ଝାରସୁଗୁଡ଼ାରୁ କୋଲକାତା ପାଇଁ ସର୍ବନିମ୍ନ ଟିକେଟ ଦର ୨ ହଜାର ୯୯୯ ଟଙ୍କା ରହିଛି । ସେହିପରି ଆସନ୍ତା ୧୫ ତାରିଖ ଠାରୁ ବେଙ୍ଗାଲୁରୁ ଏବଂ ଝାରସୁଗୁଡ଼ା ମଧ୍ୟରେ ଇଣ୍ଡିଗୋ ବିମାନ ଚଳାଚଳ କରିବ ।