ପ୍ରମୂଖ ଖବର

ସାଂସଦରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ୮୨ ବର୍ଷୀୟ ଟି ଆର ବାଲୁ, ସବୁଠୁ କମ୍ ବୟସର ସାଂସଦ ପୁଷ୍ପେନ୍ଦ୍ର ଓ ପ୍ରିୟା

ନୂଆଦିଲ୍ଲୀ, ୭।୬: ଅଷ୍ଟାଦଶ ଲୋକସଭାରେ ଏଥର ୨୮୦ ଏଭଳି ସାଂସଦଙ୍କୁ ଦେଖିବାକୁ ମିଳିବ, ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ୨୦୧୯ରେ ୨୬୭ ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ସେହିଭଳି ଏଥର ୨୬୩ ଏଭଳି ସାଂସଦ ରହିଛନ୍ତି, ଯେଉଁମାନେ ପୂର୍ବରୁ ଲୋକସଭା ସଦସ୍ୟ ରହିଥିଲେ । ଚଳିତ ଲୋକସଭା ନିର୍ବାଚନରେ ଜିତିଥିବା ମୋଟ ୫୪୩ ସଦସ୍ୟଙ୍କ ମଧ୍ୟରୁ ୧୬ ଜଣ ଏଭଳି ଅଛନ୍ତି, ଯେଉଁମାନେ ରାଜ୍ୟସଭା ସଦସ୍ୟ ରହିଥିଲେ । ଜଣେ ସାଂସଦ ଲୋକସଭାକୁ ୭ ଥର ନିର୍ବାଚିତ ହୋଇଥିଲେ । ଥିଙ୍କଟ୍ୟାଙ୍କ୍‌ ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପୁନଃ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ୮ ଜଣ ସେମାନଙ୍କ ନିର୍ବାଚନ ମଣ୍ଡଳୀ ବଦଳାଇଛନ୍ତି । ଜଣେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି । ନୂଆ ଲୋକସଭାରେ ବିଜେପି ୨୪୦ ଆସନ ସହିତ ସର୍ବବୃହତ ଦଳ ହୋଇଥିବାବେଳେ ୯୯ ଆସନ ସହ ୨ୟରେ କଂଗ୍ରେସ ଏବଂ ୩୭ ଆସନ ସହ ସମାଜବାଦୀ ପାର୍ଟି ତୃତୀୟରେ ରହିଛି । 

ଏଥର ୫୩ ମନ୍ତ୍ରୀ ନିର୍ବାଚନ ଲଢ଼ିଥିଲା ବେଳେ ୩୫ ଜଣ ବିଜୟୀ ହୋଇଛନ୍ତି । ନବନିର୍ବାଚିତ ସାଂସଦଙ୍କର ହାରାହାରି ବୟସ ୫୬ ବର୍ଷ ରହିଛି । ସପ୍ତଦଶ ଲୋକସଭାରେ ସଦସ୍ୟଙ୍କର ହାରାହାରି ବୟସ ୫୯ ବର୍ଷ ଥିଲା । ଅର୍ଥାତ୍‌ ସାଂସଦଙ୍କ ହାରାହାରି ବୟସ ୩ ବର୍ଷ କମିଛି । ୧୧% ନବନିର୍ବାଚିତ ସଦସ୍ୟଙ୍କ ବୟସ ୪୦ ବର୍ଷ ବା ତା’ଠାରୁ କମ୍‌ ଥିବା ବେଳେ ୩୮%ଙ୍କ ବୟସ ୪୧ରୁ ୫୫ ବର୍ଷ ମଧ୍ୟରେ । ପ୍ରାୟ ୫୨% ନୂଆ ସାଂସଦଙ୍କ ବୟସ ୫୫ ବର୍ଷରୁ କମ୍‌ । ସବୁଠୁ ବୟୋଜ୍ୟେଷ୍ଠ ଲୋକସଭା ସଦସ୍ୟ ହେଉଛନ୍ତି ଡିଏମ୍‌କେର ଟି ଆର ବାଲୁ । ତାଙ୍କ ବୟସ ୮୨ ବର୍ଷ । ସମାଜବାଦୀ ପାର୍ଟିର ପୁଷ୍ପେନ୍ଦ୍ର ସରୋଜ ଏବଂ ପ୍ରିୟା ସରୋଜ ସବୁଠୁ କମ୍‌ ବୟସର ସାଂସଦ ବନିଛନ୍ତି । ଏଥର ୪୧ ଦଳର ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଗତ ନିର୍ବାଚନରେ ୩୬ ଦଳର ପ୍ରାର୍ଥୀ ଜିତିଥିଲେ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.