ନୂଆଦିଲ୍ଲୀ,୨୨/୦୮: ସେପ୍ଟେମ୍ବର ପହିଲାରୁ ବେଆଇନ ଉତ୍ସରୁ ଆସୁଥିବା ମେସେଜ ଉପରେ ଲଗାମ ଲାଗିବ । ଯଦି କୌଣସି କମ୍ପାନିଗୁଡିକର ଲିଙ୍କ୍ ବୈଧ ଭାବେ ପଞ୍ଜୀକୃତ ହୋଇ ନ ଥିବ ତାକୁ ସେୟାରିଂ କରିବେନି ଟେଲିକମ କମ୍ପାନି । ଏଭଳି ସନ୍ଦିଗ୍ଧ ଲିଙ୍କ୍ରୁ ଆସୁଥିବା ମେସେଜକୁ କମ୍ପାନିଗୁଡିକ ବ୍ୟାନ କରିବେ । ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏ ନେଇ ଟେଲିକମ କମ୍ପାନି ଗୁଡିକୁ କଡା ନିର୍ଦ୍ଦେଶ ଦେଇଛି ।
ବେଆଇନ ୟୁଆର୍ଏଲ, ଏପିକେଏସ୍, ଓଟିଟି ଲିଙ୍କ ଏବଂ କଲ୍ ବ୍ୟାକ୍ ନମ୍ବର ଗୁଡିକ ହ୍ୱାଇଟଲିଷ୍ଟ ବା ବୈଧ ହୋଇଥିବା ଆବଶ୍ୟକ । ଏକ ପ୍ରେସବିବୃତ୍ତିରେ ଟ୍ରାଇ କହିଛି ଯେ, ସମସ୍ତ ଆକସେସ୍ ସେବା ଯୋଗାଣକାରୀ ହ୍ୱାଇଟ୍ଲିଷ୍ଟ ହୋଇ ନ ଥିବା ୟୁଆର୍ଏଲ, ଏପିକେଏସ୍, ଓଟିଟି ଲିଙ୍କ ଏବଂ କଲ୍ ବ୍ୟାକ୍ ନମ୍ବର ଗୁଡିକ ସହ ଜଡିତ ମେସେଜ ପଠାଇ ପାରିବେ ନାହିଁ ।
ମେସେଜ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ନିରାପଦ କରିବା ଦିଗରେ ଟ୍ରାଇ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଛି । ବେଆଇନ କାର୍ଯ୍ୟକଳାପକୁ ରୋକିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଦିଗରେ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ଦିଗରେ ଉନ୍ନତ ମନିଟରିଂ ଏବଂ ନିୟନ୍ତ୍ରଣ ପାଇଁ ଆକସେସ୍ ସେବା ଯୋଗାଣକାରୀ ଟେଲି ମାର୍କେଟିଂ କଲ୍ ଗୁଡିକୁ ଆରମ୍ଭର ୧୪୦ ସଂଖ୍ୟା ବଦଳରେ ଅନଲାଇନ ଡିଏଲ୍ଟି ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବେ ।
ସେହିଭଳି ବେଆଇନ କାର୍ଯ୍ୟକଳାପ ଲାଗି ମେସେଜିଂ ସେବାର ଅପବ୍ୟବହାର ଉପରେ ରୋକ ଲଗାଇବାକୁ ମଧ୍ୟ କଡାକଡି ଭାବେ ନିର୍ଦ୍ଦେଶ ଦେଇଛି ଟ୍ରାଇ । ନଭେମ୍ବର ୧ ରୁ ମେସେଜ ପଠାଉଥିବା ବ୍ୟକ୍ତି ଏବଂ ମେସେଜ ପାଉଥିବା ବ୍ୟକ୍ତିଙ୍କ ସୂଚନା ମଧ୍ୟ ଜଣାପଡିବା ନେଇ ଅନୁମତି ଦେଇଛି ଟ୍ରାଇ । ସେହିଭଳି ଟେମ୍ପେ୍ଲଟ ଏଂ ପ୍ରମୋଶନାଲ କଣ୍ଟେଣ୍ଟର ଖରାପ ବ୍ୟବହାର ରୋକିବା ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଇ ।
ଏ କ୍ଷେତ୍ରରେ ଯଦି ଗୋଟିଏ ବର୍ଗରେ ପଞ୍ଜୀକୃତ କରି ସେହି ସେବା ବଦଳରେ ଅନ୍ୟ ସେବା ଯୋଗାଉଥାନ୍ତି ସେ କ୍ଷେତ୍ରରେ ବ୍ଲାକଲିଷ୍ଟ ହେବାର ଢ଼େର ସମ୍ଭାବନା ରହିଛି । ଯଦି ବାରମ୍ବାର ନିୟମ ଉଲ୍ଲଘଂନ କରୁଥିବା ନଜରକୁ ଆସିଲା ସେଣ୍ଡର ସର୍ଭିସ ମାସେ ଯାଏ ବାତିଲ ରହିବ । ଗାଇଡଲାଇନ ମୁତାବକ ଡିଏଲ୍ଟିରେ ହେଡର ଏବଂ କଣ୍ଟେଣ୍ଟ ଟେମ୍ପେ୍ଲଟ ପଞ୍ଜୀକୃତ ହେବା ଆବଶ୍ୟକ ।
ସେହିଭଳି ସିଙ୍ଗଲ୍ କଣ୍ଟେଣ୍ଟ ଟେମ୍ପଲେଟ ଏକାଧିକ ହେଡର ସହ ସଂଯୋଗ କରାଯାଇପାରିବ ନାହିଁ । ମେସେଜ ପଠାଇଥିବା କୌଣସି ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ହେଡର ଏବଂ କଣ୍ଟେଣ୍ଟ ଟେମ୍ପେ୍ଳଟ ବେଆଇନ ବ୍ୟବହାର ହେଉଥିବା ଟ୍ରାଇ ନଜରକୁ ଆସିଲେ ଏହାକୁ ତ୍ୱରୀତ ଭିତ୍ତିରେ ବାତିଲ କରାଯିବ ।
କାର୍ଯ୍ୟାନୁଷ୍ଠାନ ପରେ ପୁଣି ଥରେ ସେବା ଆରମ୍ଭ ହେବ କି ନାହିଁ ସେ ନେଇ ବିଚାର କରିବ ଟ୍ରାଇ । ଯଦି ଡେଲିଭରି କରୁଥିବା ଟେଲିମାର୍କେଟର ମାନେ ବେଆଇନ କାର୍ଯ୍ୟକଳାପକୁ ରୋକିବାରେ ୨ ଦିନ ମଧ୍ୟରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁ ନାହାନ୍ତି ତାଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ହେବ ।