ଉଦଳା, ୦୮/୦୮ : ଜମିଜମା ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ। ବର୍ବରତାର ସବୁ ସୀମା ଟପିଗଲା ଦାଦା। ନିଜ ରକ୍ତ ସମ୍ପର୍କର ଝିଆରୀକୁ ଟାଙ୍ଗିଆରେ କଲା ହତ୍ୟା। ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ବେଗୁନିଆସାହି ଗ୍ରାମରେ ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି।
ସୂଚନାନୁଯାୟୀ, ଗ୍ରାମର ଛିତା ମୁର୍ମୁ ବିବାହ ପରେ ନିଜ ଘର ବେଗୁନିଆ ସାହିରେ ରହୁଥିଲେ। ଛିତା ମୁର୍ମୁଙ୍କ ବାପାଙ୍କ ମୃତ୍ୟୁ ପରେ ସମସ୍ତ ଜମି ଛିତାଙ୍କ ନାମରେ ରହିଥିଲା। ହେଲେ ଛିତାଙ୍କ ଦାଦା ନିମାଇଁ ଚରଣ ମାରାଣ୍ଡି ଦୀର୍ଘ ବର୍ଷ ହେବ ଉକ୍ତ ଜମିକୁ ହାତେଇବା ପାଇଁ ଚେଷ୍ଟା କରି ଆସୁଥିଲେ। ଆଜି ବିଲରେ ଛିତା କାମ କରୁଥିବା ବେଳେ ସୁଯୋଗକୁ ଉଣ୍ଡି ତାଙ୍କର ଦାଦା ନିମାଇ ସେଠାରେ ପହଞ୍ଚି ଏକ ଟାଙ୍ଗିଆରେ ଝିଆରୀକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଝିଆରୀର ମୃତ୍ୟୁ ଘଟିଥିଲା।
ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଦାଦା ନିମାଇଁ ଚରଣ ମାରାଣ୍ଡିକୁ ପୋଲିସ୍ ଗିରଫ କରିଛି। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଓ କୋଦାଳକୁ ପୋଲିସ ଜବତ କରିଛି।