ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ: କେତେବେଳେ କିଏ ?

ଭୁବନେଶ୍ୱର: ସ୍ୱାଧୀନତା ପ୍ରାପ୍ତିର ୭୭ବର୍ଷ ଭିତରେ ଓଡ଼ିଶା ଦେଶକୁ ଦେଇଛି ୨ଜଣ ରାଷ୍ଟ୍ରପତି, ଜଣେ ବାଚସ୍ପତି ଓ ଜଣେ ପ୍ରଧାନମନ୍ତ୍ରୀଙ୍କ ସମେତ ୩୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ସରକାରରେ ଏତେ ପ୍ରତିନିଧିତ୍ୱ ସତ୍ତେ୍ୱ ଓଡ଼ିଶା ପାଇଛି କ'ଣ ଓ କାହିଁକି ଏଯାବତ୍‌ ଓଡ଼ିଶାକୁ ଅନ୍ୟତମ ଅନଗ୍ରସର, ପଛୁଆ ଓ ଦରିଦ୍ର ରାଜ୍ୟ ଭାବେ ଗଣାଯାଉଛି? ଏସବୁ ପ୍ରଶ୍ନର ଉତ୍ତର ଏକ ଭିନ୍ନ ପ୍ରସଙ୍ଗ । ତେବେ ଜାତୀୟସ୍ତରରେ ଓଡ଼ିଶାର କେଉଁମାନେ କେବେ ପ୍ରତିନିଧିତ୍ୱ କରିଛନ୍ତି ସେ ସଂକ୍ରାନ୍ତରେ ଏହି ଆଲେଖ୍ୟରେ ସାମାନ୍ୟ ଝଲକ ଉପସ୍ଥାପନ କରାଯାଉଛି । 

୧୯୪୭ରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଗଠିତ ପ୍ରଥମ ୧୪ଜଣିଆ ମନ୍ତ୍ରିମଣ୍ଡଳରେ କେହି ଓଡ଼ିଆ ନଥିଲେ । ତେବେ ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ରାଜ୍ୟ ସରକାରରୁ ଇସ୍ତଫା ଦେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୧୯୫୦ ମଇ ୧୩ ତାରିଖରେ ଯୋଗଦେଇ ଶିଳ୍ପ ଓ ଯୋଗାଣ ବିଭାଗ ଦାୟିତ୍ୱରେ ରହିଥିଲେ ସେହିବର୍ଷ ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ । ସେ ହେଉଛନ୍ତି କେନ୍ଦ୍ର ସରକାରରେ ପ୍ରଥମ ଓଡ଼ିଆ କ୍ୟାବିନେଟ୍‌ ମନ୍ତ୍ରୀ । ବ୍ରହ୍ମପୁରରେ ଜନ୍ମିତ ଭି.ଭି. ଗିରି ଅନ୍ୟ ରାଜ୍ୟରୁ ନିର୍ବାଚିତ ହୋଇ ୧୯୫୨ ମସିହାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଶ୍ରମ ମନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଭି.ଭି. ଗିରି ଏବଂ ତାଙ୍କ ପିତା-ମାତା ବ୍ରହ୍ମପୁରର ବାସିନ୍ଦା ଏବଂ ସେମାନେ ସ୍ୱାଧୀନତା  ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ବାରମ୍ବାର କେନ୍ଦ୍ରମନ୍ତ୍ରୀ ରହିଥିଲେ । ୧୯୬୯ରେ ଭି.ଭି. ଗିରି ସ୍ୱାଧୀନ ପ୍ରାର୍ଥୀଭାବେ ରାଷ୍ଟ୍ରପତି ନିର୍ବାଚନ ଲଢ଼ି କଂଗ୍ରେସର ଦଳୀୟ ପ୍ରାର୍ଥୀ ଏନ. ସଞ୍ଜିବ ରେଡ୍ଡୀଙ୍କୁ ପରାସ୍ତ କରିଥିଲେ । ଅବଶ୍ୟ ସେତେବେଳେ କଂଗ୍ରେସର ସାଂସଦ ଓ ବିଧାୟକମାନେ ବିବେକାନୁମୋଦିତ ଭୋଟ ଦେବାପାଇଁ ଇନ୍ଦିରା ଗାନ୍ଧିଙ୍କ ଘୋଷଣାରୁ ଭି.ଭି. ଗିରିଙ୍କ ପ୍ରତି ତାଙ୍କ ସମର୍ଥନ ସ୍ପଷ୍ଟ ଥିଲା । ଓଡ଼ିଶାର ଜଣାଶୁଣା ବିଜେପି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଓ ଝାଡ଼ଖଣ୍ଡର ପ୍ରାକ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଦଳୀୟ ପ୍ରାର୍ଥୀଭାବେ ରାଷ୍ଟ୍ରପତି ନିର୍ବାଚନ ଜିଣି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ବସିଛନ୍ତି । ଏପର୍ଯ୍ୟନ୍ତ କୌଣସି ଓଡ଼ିଆ ଦେଶର ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି । ତେବେ ପ୍ରଧାନମନ୍ତ୍ରୀ ଥିବା ବେଳେ ପି.ଭି ନରସିଂହରାଓ କଂଗ୍ରେସ ପ୍ରାର୍ଥୀଭାବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ସେତେବେଳେ ଗର୍ବରେ ଓଡ଼ିଆଙ୍କ ଛାତି ଫାଟି ପଡ଼ୁଥିଲା । କାରଣ ଓଡ଼ିଶାରୁ ନିର୍ବାଚିତ ସାଂସଦ ନରସିଂହରାଓ ଦେଶର ପ୍ରଧାନମନ୍ତ୍ରୀ ବୋଲି । ୧୯୮୯ର ସାଧାରଣ ନିର୍ବାଚନ ପରେ ବିଶିଷ୍ଟ ସମାଜବାଦୀ ନେତା ରବି ରାୟ ସର୍ବସମ୍ମତିକ୍ରମେ ହୋଇଥିଲେ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ।

ସ୍ୱାଧୀନତା ସଂଗ୍ରାମରେ ଅସହଯୋଗ ଆନ୍ଦୋଳନ ସମୟରେ ସକ୍ରିୟ ଭୂମିକା ଗ୍ରହଣ କରି ରେଭେନ୍ସା କଲେଜରୁ ପାଠପଢ଼ା ଛାଡ଼ିଥିବା ନିତ୍ୟାନନ୍ଦ କାନୁନଗୋ ୧୯୩୭ରୁ ବିଧାୟକ ଥିଲେ ଏବଂ ପରେ ବିଶ୍ୱନାଥ ଦାଶଙ୍କ ସରକାରରେ ରାଜ୍ୟର ମନ୍ତ୍ରୀ ହୋଇଥିଲେ । ସମ୍ବିଧାନ ଲାଗୁ ହେବାପରେ ଶ୍ରୀ କାନୁନଗୋ ଲୋକସଭାର ସଦସ୍ୟ ଥାଇ ୧୯୫୫ରୁ ୧୯୬୬ ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କେନ୍ଦ୍ରମନ୍ତ୍ରୀ ଥିଲେ । ଜବାହାରଲାଲ ନେହେରୁ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କର ଭଲ ପତିଆରା ଥିଲା । ସେ ସମୟରେ ୧୯୬୨ରେ ଓଡ଼ିଶାର ଅନ୍ୟତମ ସାଂସଦ ବିଭୁଧେନ୍ଦ୍ର ମିଶ୍ର କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଥିଲେ ।

ଓଡ଼ିଶାର ଅନ୍ୟଜଣେ ସାଂସଦ ଜଗନ୍ନାଥ ରାଓ ୧୯୬୬ରୁ କେନ୍ଦ୍ର ସରକାରରେ ବହୁ ବିଭାଗର ମନ୍ତ୍ରୀ ଥିଲେ । ରାଜ୍ୟସଭା ସାଂସଦ ଥିବା ନନ୍ଦିନୀ ଶତପଥୀଙ୍କୁ ଇନ୍ଦିରା ଗାନ୍ଧି ୧୯୭୦ରେ କେନ୍ଦ୍ର ମନ୍ତ୍ରିପରିଷଦରେ ସାମିଲ କରିଥିଲେ । ସେ ୧୯୭୧ରେ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସତୁରି ଦଶକରେ ଜାନକୀବଲ୍ଲଭ ପଟ୍ଟନାୟକ ଓ ଚୈତନ୍ୟ ପ୍ରସାଦ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା । ୧୯୫୦ରୁ ୧୯୭୭ ପର୍ଯ୍ୟନ୍ତ କେନ୍ଦ୍ରରେ ଲଗାତାର ଭାବେ କଂଗ୍ରେସ ସରକାର ଚାଲିଥିଲା । ୧୯୭୭ର ଲୋକସଭା ନିର୍ବାଚନରେ କଂଗ୍ରେସକୁ ଗାଦିଚ୍ୟୁତ କରି କେନ୍ଦ୍ରରେ ମୋରାରଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରିତ୍ୱରେ ଗଢ଼ାଯାଇଥିଲା ଜନତା ପାର୍ଟି ସରକାର । ଏହି ସରକାରରେ ବିଜୁ ପଟ୍ଟନାୟକ କ୍ୟାବିନେଟ ଓ ସମରେନ୍ଦ୍ର କୁଣ୍ଡୁ ରାଷ୍ଟ୍ରମନ୍ତ୍ରୀ ରହିଥିଲେ । କ୍ଷମତା କନ୍ଦଳ ଓ ନୀତିଗତ ଅସାମଞ୍ଜସ୍ୟ ଯୋଗୁଁ ଜନତା ପାର୍ଟି ସରକାରର ଅସମୟରେ ପତନ ଘଟିଲା ଏବଂ ଜନତା ପାର୍ଟିର ଏକ ଗୋଷ୍ଠୀ ଚୌଧୁରୀ ଚରଣ ସିଂଙ୍କ ନେତୃତ୍ୱରେ ପୁଣି ଏକ ସରକାର ଗଢ଼ିଲେ । ଏଥିରେ ବିଜୁ ପଟ୍ଟନାୟକ ଓ ରବି ରାୟ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ତେବେ ଏହି ସରକାର ଭୁଶୁଡ଼ି ପଡ଼ିବାରୁ ୧୯୮୦ରେ ପୁଣି ଲୋକସଭା ନିର୍ବାଚନ ହେଲା ଏବଂ ଲୋକେ ଜନତା ପାର୍ଟି ଉପରେ ସେମାନଙ୍କର ରାଗ ଶୁଝାଇ ଇନ୍ଦିରା ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଢ଼ିବା ପାଇଁ ସୁଯୋଗ ଦେଲେ ।

୧୯୮୦ରେ ଜାନକୀବଲ୍ଲଭ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ । ତେବେ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବାରୁ ସେ କେନ୍ଦ୍ର ସରକାରରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରର ଏହି ସରକାରରେ କାମାକ୍ଷାପ୍ରସାଦ ସିଂହଦେଓ, ଗିରିଧର ଗମାଙ୍ଗ, ବ୍ରଜମୋହନ ମହାନ୍ତି ଓ ରାମଚନ୍ଦ୍ର ରଥ ପ୍ରମୁଖ ବି ମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା ପରେ ୧୯୮୪ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ଦଳ ବହୁସଂଖ୍ୟାରେ ବିଜୟୀ ହେଲା । ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ସରକାରରେ ଓଡ଼ିଶାରୁ ଚିନ୍ତାମଣି ପାଣିଗ୍ରାହୀ, କାମାକ୍ଷାପ୍ରସାଦ ସିଂହଦେଓ ଓ ଗିରିଧର ଗମାଙ୍ଗ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ।

୧୯୮୯ରେ ଭାରତର ସଚେତନ ମତଦାତାମାନେ ପୁଣି କଂଗ୍ରେସ ସରକାରକୁ ପରିବର୍ତ୍ତନ କରି କେନ୍ଦ୍ରରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ନେତୃତ୍ୱରେ ଗଢ଼ିଲେ ଜନତା ସରକାର । ଏହି ସରକାରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ କ୍ୟାବିନେଟ୍‌ ମନ୍ତ୍ରୀ ଥିବାବେଳେ ଭାଗେ ଗୋବର୍ଦ୍ଧନ, ଶ୍ରୀକାନ୍ତ ଜେନା, ଭଜମନ ବେହେରା, ଭକ୍ତଚରଣ ଦାସ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ ମନ୍ତ୍ରୀ ହେଲେ । ୧୯୯୦ରେ ଭି.ପି. ସିଂଙ୍କ ସରକାର ଭାଙ୍ଗିଗଲା । କଂଗ୍ରେସ ସମର୍ଥନରେ ଜନତା ପାର୍ଟି ନେତା ଚନ୍ଦ୍ରଶେଖରଙ୍କ ନେତୃତ୍ୱରେ ୧୯୯୦ରେ ଯେଉଁ ସରକାର ଗଢ଼ାଗଲା ସେଥିରେ ଭକ୍ତଚରଣ ଦାସ, ଭାଗେ ଗୋବର୍ଦ୍ଧନ ମନ୍ତ୍ରୀ ଥିବାବେଳେ ନକୁଳ ନାୟକ ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସ ସମର୍ଥନ ପ୍ରତ୍ୟାହାର କରିବାରୁ ଏହି ସରକାର ବି ପତନ ହେଲା ଏବଂ ରାଜୀବ ଗାନ୍ଧିଙ୍କ ନିଧନ ପରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୧୯୯୧ରେ ବହୁମତ ହାସଲ କରି ପୁଣି କ୍ଷମତାକୁ ଫେରିଲା । ସେତେବେଳେ ପି.ଭି. ନରସିଂହରାଓ ଦେଶର ପ୍ରଧାନମନ୍ତ୍ରୀ ହେଲେ । ନରସିଂହରାଓଙ୍କ ମନ୍ତ୍ରିମଣ୍ଡଳରେ କାମାକ୍ଷାପ୍ରସାଦ ସିଂହଦେଓ, କାହ୍ନୁଚରଣ ଲେଙ୍କା, ଗିରିଧର ଗମାଙ୍ଗ, ଡା କୃପାସିନ୍ଧୁ ଭୋଇ ଆଦି ମନ୍ତ୍ରୀ ହେଲେ । ପ୍ରଧାନମନ୍ତ୍ରୀ ଥାଇ ନରସିଂହରାଓ ସେତେବେଳେ ବ୍ରହ୍ମପୁର ଲୋକସଭା ଆସନରୁ ଉପନିର୍ବାଚନ ଲଢ଼ି ଜିଣିଥିଲେ ।

୧୯୯୬ ନିର୍ବାଚନରେ ପୁଣି କଂଗ୍ରେସ ପରାସ୍ତ ହେଲା ଏବଂ ଏଚ.ଡି. ଦେବଗୌଡ଼ାଙ୍କ ନେତୃତ୍ୱରେ କେନ୍ଦ୍ରରେ ଜନତା ଦଳ ସରକାର ଗଢ଼ାଗଲା । ଅଳ୍ପଦିନ ଭିତରେ ଦେବଗୌଡ଼ାଙ୍କ ଜାଗାରେ ପ୍ରଧାନମନ୍ତ୍ରୀ ହେଲେ ଇନ୍ଦର କୁମାର ଗୁଜୁରାଲ । ଏହି ସରକାରରେ ଦିଲ୍ଲୀପ ରାୟ ଓ ଶ୍ରୀକାନ୍ତ ଜେନା ଗୁରୁତ୍ୱପୂର୍ଣ୍ଣ ବିଭାଗମାନ ପାଇଥିଲେ । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଆର. ବୋମାଇ ସେତେବେଳେ ମାନବ ସମ୍ବଳ ବିକାଶ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୧୯୯୮ ଓ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ର ସରକାରରେ ନବୀନ ପଟ୍ଟନାୟକ, ଦିଲ୍ଲୀପ ରାୟ, ଡା. ଦେବେନ୍ଦ୍ର ପ୍ରଧାନ, ଅର୍ଜୁନ ଚରଣ ସେଠୀ, ଜୁଏଲ ଓରାମ ଓ ବ୍ରଜକିଶୋର ତ୍ରିପାଠୀ ଆଦି କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିବାବେଳେ ୨୦୦୦ ମସିହାରେ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଜିଣି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବାରୁ ତାଙ୍କୁ କେନ୍ଦ୍ର ସରକାରରୁ ଇସ୍ତଫା ଦେବାକୁ ପଡ଼ିଥିଲା । 

୨୦୦୪ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରି କେନ୍ଦ୍ରରେ ମନମୋହନ ସିଂହଙ୍କ ନେତୃତ୍ୱରେ ଯେଉଁ ସରକାର ଗଢ଼ିଲା ସେଥିରେ ଓଡ଼ିଶାର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁ ଗ୍ରାମ ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଲେ । ୨୦୦୯ରେ ମନମୋହନ ସିଂହଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଦ୍ୱିତୀୟ ପାଳି ସରକାରରେ ଶ୍ରୀକାନ୍ତ ଜେନା ବି ରାଷ୍ଟ୍ରମନ୍ତ୍ରୀ ହେଲେ । ଏଠାରେ ଉଲ୍ଲେଖନୀୟ ଯେ, ଶ୍ରୀ ଜେନା ଜନତା ଦଳ ସରକାରରେ କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଥିବାବେଳେ କଂଗ୍ରେସ ସରକାରରେ କିନ୍ତୁ ରାଷ୍ଟ୍ରମନ୍ତ୍ରୀ ହେଲେ ।

୨୦୧୪ ନିର୍ବାଚନରେ ପୁଣି ଦେଶର ମତଦାତା କଂଗ୍ରେସ ସରକାରକୁ ବଦଳାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଢ଼ିଲେ ବିଜେପି ସରକାର । ଏହି ସରକାରରେ ଓଡ଼ିଶାରୁ ନିର୍ବାଚିତ ସାଂସଦ ଜୁଏଲ ଓରାମ ଆଉ ଥରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଥିବାବେଳେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଓଡ଼ିଶାର ପୂର୍ବତନ ବିଧାୟକ/ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୨୦୧୯ରେ କେନ୍ଦ୍ରରେ ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ାଗଲା ଓ ସେଥିରେ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେଲେ । ବିହାର ପରେ ଧର୍ମେନ୍ଦ୍ର ମଧ୍ୟପ୍ରଦେଶରୁ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଏହି ସରକାରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କିଛିଦିନ ପାଇଁ ରାଷ୍ଟ୍ରମନ୍ତ୍ରୀ ଥିଲେ । ପରବର୍ତ୍ତୀ ସମୟରେ ଇଂ. ବିଶେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଗଲା । ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ଜିଣି ଅଶ୍ୱିନୀ କୁମାର ବୈଷ୍ଣବ କେନ୍ଦ୍ର ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ବି ମନ୍ତ୍ରୀ ହେଲେ ।

କେନ୍ଦ୍ରରେ ଓଡ଼ିଶାର ଏତେ ନେତୃତ୍ୱ ସତ୍ତେ୍ୱ ଆମେ ପଛୁଆ ଥିବାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହିତ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଛୁ  । ସରକାରୀ ତଥ୍ୟ ମୁତାବକ ଏବେ ଓଡ଼ିଶାରେ ପ୍ରାୟ ୭୫ ପ୍ରତିଶତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଦରିଦ୍ର କଲ୍ୟାଣ ଅନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଯୋଜନାରେ ମାଗଣା ଚାଉଳ ଦେବାକୁ ପଡ଼ୁଛି । ନିଶା, ନିରକ୍ଷରତା, ଅପପୁଷ୍ଟି, ରୋଗବ୍ୟାଧି, ଅପରାଧ, ବେକାରୀ, ବେରୋଜଗାରୀ, ଆର୍ଥିକ ବୈଷମ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର, ପକ୍ଷପାତିତା ଆଦିର କଳଙ୍କ ଆମକୁ ଛାଡ଼ୁନାହିଁ । ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱାଧୀନତା ପ୍ରାପ୍ତିର ୧୦୦ବର୍ଷ ପୂରିବାକୁ ଯାଉଥିବାବେଳେ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମ୍ମାନର ସହ ସମୃଦ୍ଧି କରିବା ପାଇଁ ଆମକୁ ସମାନତାର ଅଧିକାର ଓ ନ୍ୟାୟ ମିଳିବ କେବେ? ରାଜନୈତିକ ଭେଦଭାବ ଭୁଲି ରାଜ୍ୟ ଓ କେନ୍ଦ୍ରରେ ଦାୟିତ୍ୱରେ ରହୁଥିବା ମାଳମାଳ ଓଡ଼ିଆ ନେତା ଓଡ଼ିଶାର ସ୍ୱାର୍ଥଦୃଷ୍ଟିରୁ ଐକ୍ୟବଦ୍ଧ ସଂଗ୍ରାମ କଲେ ଜନତାଙ୍କ ସହଯୋଗରେ ସୁନାର ଓଡ଼ିଶା ଗଠନ ସମ୍ଭବ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.