କରଞ୍ଜିଆ, ୧୬/୧୧ : ମାଟି ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ନିକଟ ଜଙ୍ଗଲରୁ ଗୁରୁବାର ସକାଳେ ପୋଲିସ ମାଟି ତଳେ ପୋତା ହୋଇଥିବା ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ପଡ଼ିଆବେଡା-ଭୀମକୁଣ୍ଡ ରାସ୍ତାର ଅନ୍ଧାରିଖମଣ ଛକ ନିକଟ ଜଙ୍ଗଲରୁ ଏହି ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ସକାଳେ ଜଙ୍ଗଲକୁ ଯାଇଥିବା ବେଳେ ରାସ୍ତା କଡ଼ରେ ପୋତା ଯାଇଥିବା ସ୍ଥାନରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ପୋଡିଆବେଡା ସରପଞ୍ଚଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସରପଞ୍ଚ ଠାକୁରମୁଣ୍ଡା ଥାନାକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ଥାନା ପୋଲିସ, କରଞ୍ଜିଆ SDPO ଓ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁର୍ଗନ୍ଧ ହେଉଥିବା ସ୍ଥାନକୁ ଖୋଳିଥିଲେ। ମାଟି ଖୋଳିବା ପରେ ଗାତ ଭିତରୁ ଏକ କମ୍ବଳରେ ଘୋଡ଼ାଇ ଦୌଡ଼ି ସାହାଯ୍ୟରେ ବନ୍ଧା ଯାଇଥିବା ମୃତଦେହକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ମୃତଦେହଟି ଜଣେ ଯୁବକର ହୋଇଥିବା ବେଳେ ପ୍ରାୟ ୧୫ ରୁ ୨୦ ଦିନ ପୂର୍ବରୁ କେହି ଦୁର୍ବୃତ୍ତ ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ଠାକୁରମୁଣ୍ଡା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।