ନୂଆଦିଲ୍ଲୀ, ୧୩/୦୮: ଇସ୍ରାଏଲ ଉପରେ ଇରାନର ଆକ୍ରମଣ ଆଶଙ୍କା ଭିତରେ ଆମେରିକା ମଧ୍ୟପ୍ରାଚ୍ୟକୁ ମିସାଇଲ ଭର୍ତ୍ତି ବୁଡ଼ାଜାହାଜ ପଠାଇଛି । ଏଥିସହ ଏଫ୍-୩୫ସି ଯୁଦ୍ଧ ବିମାନ ଭର୍ତ୍ତି ଏୟାରକ୍ରାଫ୍ଟ କ୍ୟାରିଅର ବି ପଠାଇଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗ୍ୟାଲେଣ୍ଟ ଏବଂ ତାଙ୍କ ଆମେରିକା ପ୍ରତିପକ୍ଷ ଲଏଡ୍ ଅଷ୍ଟିନ୍ଙ୍କ ମଧ୍ୟରେ ଆଲୋଚନା ପରେ ଆମେରିକା ଏହି ନିଷ୍ପତ୍ତି ନେଇଛି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ବୋଲି ଅଷ୍ଟିନ୍ କହିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୧ରେ ୱାଶିଂଟନ୍ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଆମେରିକା ମଧ୍ୟପ୍ରାଚ୍ୟରେ ୧୨ ନୂଆ ଯୁଦ୍ଧଜାହାଜ ମୁତୟନ କରିଛି ।
ଆମେରିକୀୟ ମିଡିଆ ହାଉସ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇରାନ କିଛି ଦିନ ଭିତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ । ଏ ନେଇ ଇସ୍ରାଏଲ ଗୁଇନ୍ଦା ସୂତ୍ରରୁ ସୂଚନା ରହିଥିବା ରିପୋର୍ଟରେ ଦାବି କରାଯାଇଛି । ଆସନ୍ତା ଗୁରୁବାର ଇସ୍ରାଏଲ ଏବଂ ହମାସ୍ ଭିତରେ ହେବାକୁ ଥିବା ଅସ୍ତ୍ରବିରତି ଓ ବନ୍ଧକ ଅଦଳବଦଳ ପୂର୍ବରୁ ଇରାନ ଆକ୍ରମଣ କରିବାର ଯୋଜନା କରିଥିବା କୁହାଯାଉଛି । ଅପରପକ୍ଷେ ଇରାନ-ଇସ୍ରାଏଲ ବିବାଦ ଭିତରେ ଚୀନ୍ ଇରାନ ସପକ୍ଷରେ ବାହାରିଛି । ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ୍ ଇ ତାଙ୍କ ଇରାନ ପ୍ରତିପକ୍ଷ ଅଲି ବଘେରି କାନିଙ୍କ ସହ କଥା ହୋଇ ଇରାନର ସାର୍ବଭୌମତ୍ୱ ରକ୍ଷା ଉଦ୍ୟମକୁ ଚୀନ୍ ସମର୍ଥନ କରେ ବୋଲି କହିଛନ୍ତି । ଇରାନରେ ହମାସ୍ ମୁଖ୍ୟ ଇସ୍ମାଇଲ ହାନିୟେଙ୍କ ହତ୍ୟାକୁ ଚୀନ୍ ନିନ୍ଦା କରିଥିଲା । ଏହା କ୍ଷେତ୍ରୀୟ ଅଶାନ୍ତିକୁ ବଢ଼ାଇବା ଭଳି କାମ ବୋଲି ଚୀନ୍ କହିଥିଲା ।
ସେପଟେ ଇସ୍ରାଏଲ-ଇରାନ ବିବାଦକୁ ନେଇ ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ମିଳିତ ବିବୃତି ଜାରି କରିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାର୍ମର ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ ଯୁଦ୍ଧବିରତି ବୁଝାମଣା ଏବଂ ବନ୍ଧକଙ୍କୁ ମୁକୁଳାଇବା ପାଇଁ ସହଯୋଗୀ କତାର, ଇଜିପ୍ଟ ଏବଂ ଆମେରିକାର ଉଦ୍ୟମକୁ ସ୍ୱାଗତ କରୁଛୁ । ଏହି ଅଞ୍ଚଳରେ ଅଶାନ୍ତି ବୃଦ୍ଧିକୁ ନେଇ ଚିନ୍ତିତ । ଇରାନ ମଧ୍ୟ କୌଣସି ପ୍ରକାର ଆକ୍ରମଣ କରିବାରୁ ବିରତ ରହୁ । ଇରାନର ଏପରି ପଦକ୍ଷେପ ଅଶାନ୍ତିକୁ ଆହୁରି ବଢ଼ାଇବା ସହ ଇସ୍ରାଏଲ ଏବଂ ହମାସ ଭିତରେ ହେବାକୁ ଥିବା ଯୁଦ୍ଧବିରତିକୁ ମଧ୍ୟ ପ୍ରଭାବିତ କରିବ ଓ ଏହା ଦ୍ୱାରା କାହାରି ମଙ୍ଗଳ ହେବ ନାହିଁ ବୋଲି ଷ୍ଟାର୍ମର ଲେଖିଛନ୍ତି ।