ନୂଆଦିଲ୍ଲୀ: ରାଜନୀତିରୁ ଦୂରେଇ ରହିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ । ସେ ନିଜେ ଏହି କଥାକୁ ସୂଚାଇ ଦେଇଛନ୍ତି । ବାସ୍ତବରେ ସେ କହିଛନ୍ତି ଯେ, ସେ ନିଜ ପିଲାମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ ଆଣ୍ଟୋନି ବ୍ଲିଙ୍କେନ୍ ଆଗାମୀ ସରକାରରେ ବୈଦେଶିକ ମନ୍ତ୍ରୀ ପଦବୀ ଗ୍ରହଣ କରି ନପାରନ୍ତି ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ ଗତ ଏକ ବର୍ଷ ମଧ୍ୟରେ ଆଣ୍ଟୋନି ବ୍ଲିଙ୍କେନ୍ଙ୍କ ବ୍ୟସ୍ତତା ଯଥେଷ୍ଟ ବୃଦ୍ଧି ପାଇଛି । ବିଶେଷ କରି ଇସ୍ରାଏଲ-ହାମାସ ଯୁଦ୍ଧ ପରଠାରୁ ବ୍ଲିଙ୍କେନ୍ ପଶ୍ଚିମ ଏସିଆକୁ ନଅ ଥର ଗସ୍ତ କରିଛନ୍ତି ।
ବ୍ଲିଙ୍କେନ୍ ଏବେ ହାଇତି ଗସ୍ତରେ ଅଛନ୍ତି । ଗତ ଦଶନ୍ଧିରେ ହାଇତି ଗସ୍ତରେ ଆସିଥିବା ପ୍ରଥମ ଆମେରିକୀୟ ବୈଦେଶିକ ମନ୍ତ୍ରୀ ହେଉଛନ୍ତି ବ୍ଲିଙ୍କେନ୍ । ସେଠାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା କରି ବ୍ଲିଙ୍କେନ୍ କହିଛନ୍ତି ଯେ, ମୁଁ ଗତ ସପ୍ତାହରେ ମୋ ପିଲାମାନଙ୍କ ସହ ବିତାଇଥିଲି ଏବଂ ଭବିଷ୍ୟତରେ ମୁଁ ସେମାନଙ୍କ ସହ ଅଧିକ ସମୟ ବିତାଇବାକୁ ଚାହେଁ । ଆଣ୍ଟୋନି ବ୍ଲିଙ୍କେନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଆଣ୍ଟୋନି ବ୍ଲିଙ୍କେନଙ୍କୁ ଜୋ ବାଇଡେନଙ୍କ ନିକଟତର ଭାବରେ ବିବେଚନା କରାଯାଏ ଏବଂ ଜୋ ବାଇଡେନଙ୍କ ସିନେଟର, ଉପରାଷ୍ଟ୍ରପତି ତଥା ବର୍ତ୍ତମାନ ତାଙ୍କ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସମୟରେ ବ୍ଲିଙ୍କେନ ତାଙ୍କ ସହ କାମ କରିଆସୁଛନ୍ତି। ଏବେ ବାଇଡେନ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି । ଏଭଳି ପରିସ୍ଥିତିରେ ବ୍ଲିଙ୍କେନ୍ ମଧ୍ୟ ରାଜନୀତି ଠାରୁ ଦୂରରେ ରହିପାରନ୍ତି।
ସୂଚନାଯୋଗ୍ୟ ଯେ ଆମେରିକାରେ ନିର୍ବାଚନ ପରେ ମଧ୍ୟ ଜଣେ ବୈଦେଶିକ ମନ୍ତ୍ରୀ ଅଫିସରେ ରହିବା ଅତ୍ୟନ୍ତ ଅସାଧାରଣ । ଗତ ଥର ଜର୍ଜ ସୁଲ୍ଜ୍ ଲଗାତାର ଦୁଇ ଥର ବୈଦେଶିକ ମନ୍ତ୍ରୀ ପଦରେ ରହିଥିଲେ । କୁହାଯାଏ ଯେ, ବ୍ଲିଙ୍କେନ୍ ବାଇଡେନଙ୍କର ଯେତିକି ନିକଟତର, କମଲା ହାରିସଙ୍କ ପାଖରେ ସେତିକି ନୁହେଁ । ଏଭଳି ପରିସ୍ଥିତିରେ ବ୍ଲିଙ୍କେନ୍ ଆଗାମୀ ସରକାରରେ ବୈଦେଶିକ ମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ ବୋଲି ବିଶ୍ୱାସ କରାଯାଏ । ସୂଚନାଥାଉକି, ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଡେମୋକ୍ରାଟିକ୍ ପାର୍ଟିରୁ କମଲା ହାରିସ୍ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାବେଳେ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ୍ ପାର୍ଟିରୁ ରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି।