ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଉତ୍ତରକାଶୀରେ ସୁଡ଼ଙ୍ଗ ଘଟଣା: ମନ୍ଦିର ଭାଙ୍ଗିବାରୁ ଅମଙ୍ଗଳର ଆଶଙ୍କା, ୪୦ ଜଣ ଶ୍ରମିକଙ୍କ ଜୀବନ ଏବେ ବିପଦରେ

ଡରାଡୁନ୍‌,୧୭/୧୧: ଯେଉଁଠାରେ ସୁଡ଼ଙ୍ଗ ନିର୍ମାଣ ହେଉଥିଲା, ତାହା ପାଖରେ ଏକ କ୍ଷୁଦ୍ର ମନ୍ଦିର ଥିଲା । ନିର୍ମାଣ କାମ ସମୟରେ ମନ୍ଦିରଟିକୁ ନ ଭାଙ୍ଗିବାକୁ ସ୍ଥାନୀୟ ଲୋକେ ନିର୍ମାଣକାରୀ ସଂସ୍ଥାକୁ ଅନୁରୋଧ କରିଥିଲେ । ସେମାନଙ୍କ ବିଶା୍ୱସ ଥିଲା ଯେ ମନ୍ଦିର ଭାଙ୍ଗିଲେ ଅମଙ୍ଗଳର ଆଶଙ୍କା ରହିଛି ।

କିନ୍ତୁ ଠିକାଦାର ଶୁଣି ନଥିଲେ, ମନ୍ଦିରକୁ ସ୍ଥାନାନ୍ତର ନ କରି ଭାଙ୍ଗି ଦେଇଥିଲେ । ଲୋକଙ୍କ ଆଶଙ୍କା ହିଁ ସତ୍ୟ ହୋଇଥିଲା । ସୁଡ଼ଙ୍ଗ ଧସିଲା ଏବଂ ୪୦ ଜଣ ଶ୍ରମିକଙ୍କ ଜୀବନ ଏବେ ବିପଦରେ ।

ଏହା ହିଁ ପ୍ରକାଶ କରିଛନ୍ତି ଅଘଟଣ ହୋଇଥିବା ଅଞ୍ଚଳର ଲୋକମାନେ । ଉତ୍ତରକାଶୀରେ ସୁଡ଼ଙ୍ଗ ଧସି ୪୦ ଜଣ ଫସିବାର ୫ ଦିନ ପରେ ବି ଉଦ୍ଧାର ସମ୍ଭବ ହୋଇପାରିନି । ସୁଡ଼ଙ୍ଗ ଧସିବା ଘଟଣାକୁ ଆଜି ୬ ଦିନ । ତଥାପି ଉଦ୍ଧାରକାରୀ ଦଳଙ୍କ ହାତ ଖାଲି । ୨୦୦ ମିଟରର ସୁଡ଼ଙ୍ଗ ମଧ୍ୟରେ ଆଶା ଓ ଆଶଙ୍କାରେ ଥିବା ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । 

ଗୁରୁବାର ସକାଳେ ଆମେରିକାର ଅଗର୍‌ ମେସିନ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ମେସିନ୍‌ଟିକୁ ବୁଧବାର ଭାରତୀୟ ସେନାର ହର୍‌କ୍ୟୁଲସ ବିମାନ ଯୋଗେ ଦିଲ୍ଲୀରୁ ଉତ୍ତରାଖଣ୍ଡ ଅଣାଯାଇଥିଲା । ତେବେ ସୁଡ଼ଙ୍ଗ ମଧ୍ୟରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର ନିମନ୍ତେ ଆଉ ୨-୩ ଦିନ ଲାଗିପାରେ ବୋଲି କେନ୍ଦ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି ।

ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବା ଯୋଗୁ କିଛି ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କଲାଣି । ସେମାନେ ମୁଣ୍ଡବ୍ୟଥା ଏବଂ ବିଚଳିତ ଅନୁଭବ କରୁଛନ୍ତି । ପାଇପ୍‌ ଯୋଗେ ସେମାନଙ୍କ ପାଖରେ ଔଷଧ, ମଲ୍‌ଟିଭିଟାମିନ୍‌, ଗ୍ଲୁକୋଜ୍‌ ଓ ଡ୍ରାଏ ଫ୍ରୁଟ୍‌ ପହଞ୍ଚାଯାଉଛି । ୱାକିଟକି ଦ୍ୱାରା ସେମାନଙ୍କ ସହ ଯୋଗାଯୋଗ କରାଯାଉଛି । ଉଦ୍ଧାର ପରେ ଶ୍ରମିକଙ୍କର କିଭଳି ତତ୍କାଳ ଚିକିତ୍ସା କରାଯିବ, ସେଥିପାଇଁ ଆଗୁଆ ଉପଯୁକ୍ତ ବ୍ୟବସ୍ଥା ହୋଇଛି । ସୁଡ଼ଙ୍ଗ ନିକଟରେ ଛଅ ଶଯ୍ୟାବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ ସ୍ଥାପନ କରାଯାଇଛି । ଗୁରୁତରଙ୍କୁ ଏମ୍‌ସ ଋଷିକେଶ ପଠାଇବା ଲାଗି ବ୍ୟବସ୍ଥା ହୋଇଛି ।

ଏନ୍‌ଏଚ୍‌ଆଇଡିସିଏଲ୍‌ (ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ୍‌)ର ନିର୍ଦ୍ଦେଶକ ଅଂଶୁ ମନୀଷ କହିଛନ୍ତି, ୨୫ ଟନ୍‌ ଓଜନବିଶିଷ୍ଟ ହେଭି ଅଗର୍‌ ମେସିନ୍‌ ପ୍ରତି ଘଣ୍ଟାରେ ୫ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ଡ୍ରିଲ୍‌ କରୁଛି । ଯଦି ଏହିଭଳି ଡ୍ରିଲିଂ କରାଯାଏ, ତେବେ ୧୦ରୁ ୧୫ ଘଣ୍ଟା ମଧ୍ୟରେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସମ୍ଭବ ହେବ । ତଥାପି ସୁଡ଼ଙ୍ଗ ଭିତରର ସ୍ଥିତି ଉପରେ ଉଦ୍ଧାର ଅଭିଯାନ ନିର୍ଭର କରୁଛି। ଅକ୍ଟୋବର ୧୨ ଭୋର ୪ଟାରେ ଏହି ସୁଡ଼ଙ୍ଗ ଧସିଥିଲା । ପ୍ରବେଶ ପଥରୁ ୨୦୦ ମିଟର ପର୍ଯ୍ୟନ୍ତ ମାଟି ଧସିଥିଲା ଏବଂ ଭଗ୍ନାବଶେଷ ୭୦ ମିଟର ପର୍ଯ୍ୟନ୍ତ ମାଡ଼ିଯାଇଥିଲା । ଫଳରେ ସୁଡ଼ଙ୍ଗରେ କାର୍ଯ୍ୟରତ ୪୦ ଶ୍ରମିକ ଫସିଯାଇଥିଲେ । ଏହି ଶ୍ରମିକମାନେ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡର । ଚାରିଧାମ ପ୍ରକଳ୍ପ ଅଧୀନରେ ଏହି ସୁଡ଼ଙ୍ଗ ବ୍ରହ୍ମଖାଲ ଏବଂ ଯମୁନୋତ୍ରୀ ଜାତୀୟ ରାଜପଥସ୍ଥିତ ସିଲ୍‌କ୍ୟାରା ଓ ଡଣ୍ଡଲଗାଓଁ ମଧ୍ୟରେ ନିର୍ମାଣ କରାଯାଉଛି ।

ଆଜି କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ସ୍ଥିତି ସମୀକ୍ଷା ପାଇଁ ସୁଡ଼ଙ୍ଗ ସ୍ଥଳ ପରିଦର୍ଶନ କରିଛନ୍ତି । ସେ ଏନ୍‌ଡିଏଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ଶ୍ରମିକମାନେ ସୁଡ଼ଙ୍ଗର ୨ କିଲୋମିଟର ଭିତରେ ଖାଲି ସ୍ଥାନରେ ଫସିଛନ୍ତି । ଏହି ସ୍ଥାନରେ ଆଲୋକ ଅଛି ଏବଂ ସେମାନଙ୍କ ପାଖକୁ ଖାଦ୍ୟ, ପାଣି ପଠାଯାଉଛି । ସେଠାରେ ଏକ ନୂଆ ମେସିନ୍‌ କାମ କରୁଛି । ପୁରୁଣା ମେସିନ୍‌ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ଏବଂ ଦ୍ରୁତ ଗତିରେ ଖନନ କରୁଛି । ବାରମ୍ବାର ମାଟି ଅତଡ଼ା ବି ଧସୁଛି । ପ୍ରତିକୂଳ ପରିସ୍ଥିତିରେ ଉଦ୍ଧାର ଅଭିଯାନ ବଳବତ୍ତର ରହିଛି । ଆଗାମୀ ୨-୩ ଦିନ ମଧ୍ୟରେ ମିଶନକୁ ପୂରା କରିବା ପାଇଁ ଚେଷ୍ଟା କରାଯାଉଛି ।

ଏନ୍‌ଏଚ୍‌ଆଇଡିସିଏଲ୍‌, ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଆଇଟିବିପି, ବିଆର୍‌ଓ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ମୋଟ ୨୦୦ରୁ ଅଧିକ ଲୋକ ଦିନରାତି ମିଶନରେ ଲାଗିଛନ୍ତି । ସେନାର ଯବାନମାନେ ବୁଧବାରଠାରୁ ଏମାନଙ୍କ ସହ ସାମିଲ ହୋଇଛନ୍ତି । ଏହାଛଡ଼ା ଥାଇଲାଣ୍ଡ, ନରୱେ, ଫିନ୍‌ଲାଣ୍ଡ ସମେତ ଅନେକ ଦେଶର ବିଶେଷଜ୍ଞଙ୍କ ସହ ଅନ୍‌ଲାଇନ୍‌ରେ ପରାମର୍ଶ ହାସଲ କରାଯାଉଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଉଦ୍ଧାର ଅଭିଯାନକୁ ଆଜି ପୁଣି ସମୀକ୍ଷା କରିବା ସହ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସହଯୋଗ ପାଇଁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଆଜି ଶ୍ରମିକ ଏବଂ ସେମାନଙ୍କ ପରିବାର ଲାଗି ଟେଲିଫୋନ୍‌ ନମ୍ବର ଯୋଗାଇ ଦେଇଛି ।

ସ୍ଥାନୀୟ ସିଲ୍‌କ୍ୟାରାର ଜଣେ ୪୦ ବର୍ଷୀୟ ନିବାସୀ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପୂର୍ବରୁ ସୁଡ଼ଙ୍ଗ ପ୍ରବେଶ ପଥ ପାଖରେ ଏକ କ୍ଷୁଦ୍ର ମନ୍ଦିର ନିର୍ମାଣ କରାଯାଇଥିଲା । ଅଧିକାରୀ ଓ ଶ୍ରମିକମାନେ ପ୍ରତିଦିନ କାମ ଆରମ୍ଭ ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରୁଥିଲେ । କିଛି ଦିନ ପୂର୍ବେ ନୂଆ ମ୍ୟାନେଜମେଣ୍ଟ ହାତକୁ ସମ୍ପୃକ୍ତ କମ୍ପାନି ଚାଲିଯିବା ପରେ ମନ୍ଦିରକୁ ହଟାଯାଇଥିଲା । ଏହାପରେ ସୁଡ଼ଙ୍ଗ ଭୁଶୁଡ଼ିଥିଲା । ଏବେ ଉଦ୍ଧାର ବିଳମ୍ବ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.