ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସୁଡ଼ଙ୍ଗରେ ୯୦ ଘଣ୍ଟା ବିତିଗଲାଣି: ଭାରୀ ମେସିନ୍ ସହ ସେନାର ଏଣ୍ଟ୍ରି, ଗୁରୁବାର ରାତି ସୁଦ୍ଧା ଉଦ୍ଧାର ହେବେ ୪୦ ଶ୍ରମିକ

ଡେରାଡୁନ୍‌,୧୬/୧୧: ୯୦ ଘଣ୍ଟା  ବିତିଗଲାଣି । ଉତ୍ତରକାଶୀ ସୁଡ଼ଙ୍ଗରେ ଏବେ  ବି ଫସିଛନ୍ତି ୪୦ ଶ୍ରମିକ । ମାଟି ଅତଡ଼ା  ଯେତେ ବାହାରୁଛି, ସେତେ ନୂଆ ମାଟି ଧସି  ବାଟ ଓଗାଳୁଛି । ଫଳରେ ଆଜି ବି ସଫଳ  ହୋଇପାରିନି ଉଦ୍ଧାର ଅଭିଯାନ । ଚତୁର୍ଥ  ଦିନରେ ସାମିଲ ହୋଇଛି ସେନା । ଭାରୀ  ଡ୍ରିଲିଙ୍ଗ୍‌ ମେସିନ୍‌ ସହ ଯବାନମାନେ ପହଞ୍ଚି  ମିଶନରେ ଲାଗିଛନ୍ତି । ଗୁରୁବାର ରାତି ସୁଦ୍ଧା  ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ନେଇ ଆଶା  ଉଜ୍ଜୀବିତ ହୋଇଛି । 

କୁହାଯାଉଛି ଯେ ୫୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଧସିଛି । ଧସିଥିବା ମାଟି ଯୋଗୁ  ବାଟ ବନ୍ଦ ହୋଇଯାଇଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ବିଆର୍‌ଓ, ସ୍ଥାନୀୟ  ପ୍ରଶାସନ ଓ ପୁଲିସ ବଳ ଆଦିର ମୋଟ ୨୦୦ରୁ ଅଧିକ ଲୋକ ଟିମ୍‌ ବନାଇ ଉଦ୍ଧାର  କାମରେ ଲାଗିଛନ୍ତି । ଶ୍ରମିକମାନେ ଯେଉଁଠାରେ ଫସିଛନ୍ତି, ତାହାର ଠିକ୍‌ ଆଗରେ ୫୦ ମିଟର ପର୍ଯ୍ୟନ୍ତ ଭଗ୍ନାବଶେଷ ଜମିରହିଛି । ଚିନ୍ତାର  ବିଷୟ ହେଉଛି ସୁଡ଼ଙ୍ଗର ଉକ୍ତ ଅଂଶ ଅତ୍ୟନ୍ତ  ଦୁର୍ବଳ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯେତେ ମାଟି  ବାହାର କରାଯାଉଛି, ସେତେ ମାଟି ଅତଡ଼ା  ଧସି ପ୍ରତିବନ୍ଧକ ସୃଷ୍ଟି କରୁଛି । 

ଉଦ୍ଧାରକାରୀ ଟିମ୍‌ ମଙ୍ଗଳବାର ଷ୍ଟିଲ୍‌ ପାଇପ୍‌ ଦ୍ୱାରା ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିପାଇଁ ଅଗର୍‌ ଡ୍ରିଲିଙ୍ଗ୍‌ ମେସିନ୍‌ ଏବଂ ହାଇଡ୍ରଲିକ୍‌ ଜ୍ୟାକ୍‌ ସହାୟତାରେ ୩୫ ଇଞ୍ଚ୍‌  ମୋଟେଇର ଷ୍ଟିଲ୍‌ ପାଇପ୍‌ ସୁଡ଼ଙ୍ଗ ମଧ୍ୟରେ  ପ୍ରବେଶ ଲାଗି ଚେଷ୍ଟା କରାଯାଇଥିଲା । କିନ୍ତୁ ଏହା ଫେଲ୍‌ ମାରିଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ପ୍ରଧାନମନ୍ତ୍ରୀଙ୍କ  କାର୍ଯ୍ୟାଳୟ (ପିଏମ୍‌ଓ) ସେନାକୁ ଡକାଇଥିଲା । ଯବାନମାନେ ବୁଧବାର ମାଲବାହୀ ବିମାନ ହର୍‌କୁଲସ୍‌ ଯୋଗେ ଭାରୀ ଡ୍ରିଲିଙ୍ଗ୍‌ ମେସିନ୍‌ ସହ ପହଞ୍ଚିଛନ୍ତି ।  ଏଠାରୁ ମେସିନ୍‌କୁ ସିଲ୍‌କ୍ୟାରା ନିଆଯାଇ ଉଦ୍ଧାର  ମିଶନରେ ନିୟୋଜିତ କରାଯାଇଛି । 

ଇଞ୍ଜିନିୟର୍‌ ତଥା ଡ୍ରିଲିଙ୍ଗ୍‌ ବିଶେଷଜ୍ଞ  ଆଦେଶ ଜୈନ କହିଛନ୍ତି, ନଭେମ୍ବର ୧୪  ପର୍ଯ୍ୟନ୍ତ ସୁଡ଼ଙ୍ଗରେ ୬ ଥର ମାଟି ଅତଡ଼ା ଧସିସାରିଲାଣି । ଫଳରେ ଏହାର ସୀମା ୬୦  ମିଟର ପର୍ଯ୍ୟନ୍ତ ବଢ଼ିଯାଇଛି । ପୂର୍ବରୁ ଯେଉଁ  ଡ୍ରିଲିଙ୍ଗ୍‌ ମେସିନ୍‌ ଥିଲା, ତାହା କେବଳ ୪୫  ମିଟର ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ । ତେଣୁ  ବଡ଼ ମେସିନ୍‌ ଅଣାଯାଇଛି । ସୁଡ଼ଙ୍ଗରେ  ଫସିଥିବା ଶ୍ରମିକମାନେ ଶତପ୍ରତିଶତ  ସୁରକ୍ଷିତ ଅଞ୍ଚନ୍ତି ।ଗୁରୁବାର ସନ୍ଧ୍ୟା କିମ୍ବା  ରାତି ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର  କରାଯିବା ନେଇ ଆଶା । 

ନରୱେ ଓ ଥାଇଲାଣ୍ଡ  ବିଶେଷଜ୍ଞଙ୍କ ପରାମର୍ଶ ବି ନିଆଯାଉଛି । ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର  କହିଛନ୍ତି, ହେଭି ଡ୍ରିଲିଙ୍ଗ୍‌ ମେସିନ୍‌ ଚିନ୍ୟାଲିସୌଡ଼  ହେଲିପ୍ୟାଡରୁ ସିଲ୍‌କ୍ୟାରା ସୁଡ଼ଙ୍ଗରେ ପହଞ୍ଚି  ସାରିଛି । ଏହାକୁ ସଂସ୍ଥାପନ ଲାଗି ବେସ୍‌ ପ୍ରସ୍ତୁତ  କରାଯାଇଥିଲା । ଆସେମ୍ବଲ୍‌ ପରେ ଏହାକୁ  କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶୁଖିଲା ଖାଦ୍ୟ  ଓ ଅକ୍ସିଜେନ୍‌ ମଧ୍ୟ ଅନ୍ୟ ଏକ ପାଇପ୍‌ ଯୋଗେ  ପହଞ୍ଚୁଛି । ସେପଟେ ବୁଧବାର ସକାଳେ ସୁଡ଼ଙ୍ଗ  ବାହାରେ କିଛି ଶ୍ରମିକ ଉଦ୍ଧାର କାର୍ଯ୍ୟକୁ ନେଇ  ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ସମୟରେ  ପୁଲିସ ସହ ସେମାନଙ୍କର ଝଗଡ଼ା ହୋଇଛି ।  ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାକୁ ନେଇ ସେମାନେ  ନିରାଶ ହୋଇଛନ୍ତି । ଏମିତିକି ସେମାନେ ସୁଡ଼ଙ୍ଗ  ମଧ୍ୟରେ ପଶିବାକୁ ପ୍ରଶାସନକୁ ଅନୁମତି  ମାଗିଛନ୍ତି । ସେମାନେ ସୁଡ଼ଙ୍ଗରୁ ବନ୍ଧୁମାନଙ୍କୁ  ସୁରକ୍ଷିତ ଭାବେ ଉଦ୍ଧାର କରିବେ ବୋଲି  କହିଛନ୍ତି । କିନ୍ତୁ ଅନୁମତି ଦିଆଯାଇ ନାହିଁ । 

ନଭେମ୍ବର ୧୨ରେ ଦେଶବାସୀ ଦୀପାବଳି  ପର୍ବକୁ ନେଇ ଉତ୍ସାହିତ ଥିଲା ବେଳେ ଭୋର  ୪ଟାରେ ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ  ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ  ସିଲ୍‌କ୍ୟାରା ଓ ଡଣ୍ଡଲଗାଓଁ ମଧ୍ୟରେ ଥିବା  ନିର୍ମାଣାଧୀନ ସୁଡ଼ଙ୍ଗଟି ଭୁଶୁଡ଼ି ପଡ଼ିଥିଲା । ଏହା  ମଧ୍ୟରେ କାର୍ଯ୍ୟରତ ଝାଡ଼ଖଣ୍ଡର ୧୫, ଉତ୍ତର  ପ୍ରଦେଶର ୮, ଓଡ଼ିଶାର ୫, ବିହାରର ୪,  ପଶ୍ଚିମବଙ୍ଗର ୩, ଉତ୍ତରାଖଣ୍ଡର ୨, ଆସାମର  ୨ ଓ ହିମାଚଳ ପ୍ରଦେଶର ଜଣେ ଶ୍ରମିକ  ଫସିଯାଇଥିଲେ । ଅଘଟଣ ପରେ ସେମାନଙ୍କ  ସହ ୱାକିଟକି ସହାୟତାରେ ଯୋଗାଯୋଗ  କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସୁରକ୍ଷିତ  ଅଛନ୍ତି । ପାଇପ୍‌ ସହାୟତାରେ ଖାଦ୍ୟ, ପାଣି ଓ  ଅକ୍ସିଜେନ୍‌ ପହଞ୍ଚାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.