ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ (ସି.ଏ.ଏ)-୨୦୨୪, ଲାଗୁ ହେଲା ବୋଲି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରି କ୍ଷମତାରେ ଥିବା ରାଜନୈତିକ ଦଳ ନିଜର ନିର୍ବାଚନ ଇସ୍ତାହାରକୁ ବାସ୍ତବ ରୂପ ଦେଇ କାର୍ଯ୍ୟକାରୀ କଲେ ବୋଲି ଘୋଷଣା କରିଛନ୍ତି ଏବଂ ଏଥିପାଇଁ ପୋର୍ଟାଲ ଖୋଲି ହିତାଧିକାରୀମାନଙ୍କୁ ଅଧିକାର ଦେଇଛନ୍ତି । ଏଥିରେ ଅନ୍‌ଲାଇନ୍‌ ମାଧ୍ୟମରେ ଦେଶକୁ କେବେ ଆସିଥିଲେ ତାର ପ୍ରମାଣସ୍ୱରୂପ ଯାତ୍ରା କରିବାର ଦସ୍ତାବିଜ୍‌, ପାସପୋର୍ଟ ବା ଅନ୍ୟ ବୈଧ କାଗଜପତ୍ର ସହ ଆବେଦନ କରିପାରିବେ । ସଂସଦରେ ସି.ଏ.ଏ. ବିଲ୍‌ ୨୦୧୯ ମସିହାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କର ଅନୁମୋଦନ ହେବାର ୪ବର୍ଷ ପରେ କେନ୍ଦ୍ର ସରକାର ସାରାଦେଶରେ ଲାଗୁ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଥିବା ବ୍ୟବସ୍ଥାରେ ୨୦୧୪, ଡିସେମ୍ବର ୩୧ ତାରିଖ ପୂର୍ବରୁ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଦେଶରୁ ଚାଲିଆସିଥିବା ଅଣମୁସଲମାନ ସମ୍ପ୍ରଦାୟ ଯଥା- ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ଶିଖ୍‌, ଇସାହି ଓ ପାର୍ସୀ ଇତ୍ୟାଦିଙ୍କୁ ଭାରତର ନାଗରିକତା ମିଳିପାରିବ । ଇଣ୍ଟେଲିଜେନ୍‌ସି ବ୍ୟୁରୋ ତଥ୍ୟ ଅନୁଯାୟୀ ଏହି ଆଇନ ଦ୍ୱାରା ତୁରନ୍ତ ୩୧,୩୧୩ଜଣ ମଧ୍ୟରୁ ୨୫୪୪୭ଜଣ ହିନ୍ଦୁ, ୫୮୦୭ଜଣ ଶିଖ୍‌, ୫୫ଜଣ ଖ୍ରୀଷ୍ଟିୟାନ, ୨ଜଣ ବୌଦ୍ଧ ଓ ୨ଜଣ ପାର୍ସୀ ହିତାଧିକାରୀ ଉପକୃତ ହେବେ ।

 

ବ୍ରିଟିଶରାଜର ଅନ୍ତ ୧୯୪୭ ମସିହାରେ ହୋଇଥିଲା, ଯାହା ଭାରତ ଓ ପାକିସ୍ତାନ ଭାଗ ହେବାର ମୂଳ କାରଣ ହେଲା । ଏହା ପୂର୍ବରୁ ନେପାଳ, ଶ୍ରୀଲଙ୍କା, ମିଆମାର ଓ ତିକ୍ରତ ଭାରତର ମୂଳ ଭୂଖଣ୍ଡରୁ ଅଲଗା ହୋଇଯାଇଥିଲେ । ଧର୍ମଭିତ୍ତିରେ ଭାରତର ହିନ୍ଦୁତ୍ୱ ଓ ପାକିସ୍ତାନର ଇସ୍ଲାମ ବଜାୟ ରଖିବା ପାଇଁ ବିଭାଜନ ହୋଇଥିଲା । ପରବର୍ତ୍ତୀ କାଳରେ ପାକିସ୍ତାନରୁ ବଙ୍ଗଳାଦେଶ ସୃଷ୍ଟିହେଲା । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ପାକିସ୍ତାନ ଏବଂ ୧୫ ତାରିଖରେ ଭାରତ ସ୍ୱାଧୀନ ଦେଶ ହିସାବରେ ପରିଗଣିତ ହେଲେ । ସର୍ବପ୍ରଥମେ ୧୯୫୦ ମସିହାରେ ସମ୍ବିଧାନ ଆରମ୍ଭ ବେଳେ ସବୁ ଦେଶର ଅଧିବାସୀଙ୍କୁ ନାଗରିକତ୍ୱ ପ୍ରଦାନରେ ସମାନତାର ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଏବଂ ଧର୍ମ ଆଧାରରେ ପାତର ଅନ୍ତର ହେବନାହିଁ ବୋଲି ୧୯୫୫ ମସିହାରେ ଭାରତ ସରକାର ନାଗରିକ ଆଇନ ଆଣି ଦେଶରେ ଜନ୍ମିତମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଗଲା । ଏଥିରେ ୨ ପ୍ରକାର ବିଦେଶୀଙ୍କୁ ବିଚାରକୁ ନିଆଗଲା । ଅବିଭକ୍ତ ଭାରତରେ ୭ବର୍ଷ ରହିଥିବା ଓ ବାହାର ଦେଶର ଲୋକଙ୍କୁ ୧୨ବର୍ଷ ପରେ ପଞ୍ଜିକୃତ କରାଗଲା । ପରବର୍ତ୍ତୀ ସମୟରେ ୧୯୮୦, ୧୯୮୫ରେ ଆଇନ ଆଣି ନାଗରିକତ୍ୱ ପ୍ରଦାନ ପରେ ୧୯୯୨, ୨୦୦୩, ୨୦୦୫ ଓ ୨୦୧୫ରେ ସଂଶୋଧନ କରାଗଲା । ୨୦୦୩ ମସିହାରେ ଏହାର ସଂଶୋଧନ କରାଯାଇ ବିଜେପି ସରକାର ଅନ୍ୟାୟ ଭାବରେ ଅନୁପ୍ରବେଶକାରୀ ଓ ସେମାନଙ୍କର ସନ୍ତାନମାନଙ୍କୁ ଅଯୋଗ୍ୟ ଘୋଷଣା କରି ନିଷିଦ୍ଧ କରାଇଲେ ।

ବ୍ରିଟିଶ ଓକିଲ ସାଇରିଲ୍‌ ରଡକ୍ଲିଫେଙ୍କ ଦ୍ୱାରା ପ୍ରସ୍ତୁତ ବିଭାଜିତ ନକ୍ସା ତିଆରି ହେଲାପରେ ୧୯୪୭ ଅଗଷ୍ଟ ମାସରେ ପାକିସ୍ତାନ, ଭାରତ ଠାରୁ ବିଭାଜନ ହେଲା । ଯେହେତୁ ସେ ଭାରତର ସଂସ୍କୃତି ଓ ଇତିହାସ ବାବଦରେ ଅଜ୍ଞ ଥିଲେ ଓ କେତେକ ପ୍ରମୁଖ ରାଜନେତାଙ୍କ ମତ ନେଇ ମୁସଲମାନ ବହୁଳ ଅଞ୍ଚଳକୁ ପାକିସ୍ତାନ ଓ ହିନ୍ଦୁ ବହୁଳ ଅଞ୍ଚଳକୁ ଭାରତ ମଧ୍ୟରେ ବାଣ୍ଟିଦେଲେ । ସେତେବେଳେ ଭାରତୀୟ ନେତାମାନେ ମଧ୍ୟ ସମର୍ଥନ କରିଥିଲେ । ବିଭାଜନ ପରେ ହାଣକାଟ ହେଲା । ଅନେକ ମୁସଲମାନ ପାକିସ୍ତାନ ଚାଲିଗଲେ ଓ ହିନ୍ଦୁ ସହ ଅନ୍ୟ ଧର୍ମାବଲମ୍ବୀ ଭାରତ ପଳାଇ ଆସିଥିଲେ । ଏହାସତ୍ତେ୍ୱ ପାକିସ୍ତାନରେ ଅନେକ ସଂଖ୍ୟାଲଘୁ (ମୁସଲମାନ ବ୍ୟତୀତ) ଓ ଭାରତରେ ମଧ୍ୟ ଅନେକ ସଂଖ୍ୟାଲଘୁ (ହିନ୍ଦୁ ବ୍ୟତୀତ) ରହିଗଲେ । କ୍ରମେ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନ ନିଜ ସମ୍ବିଧାନରେ ନିଜକୁ ଇସଲାମ୍‌ ରାଷ୍ଟ୍ର ଘୋଷଣା କଲେ । ମାତ୍ର ଭାରତ ନିଜର ଧର୍ମନିରପେକ୍ଷତା ବଜାୟ ରଖିଲା । ଦେଶ ବିଭାଜନ ପରେ ଯେହେତୁ ଉଭୟ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରହିଲେ, ସେମାନଙ୍କୁ ସୁରକ୍ଷା ଓ ଅଧିକାର ଦେବାପାଇଁ ନେହେରୁ ଓ ଲିଆକତ ଅଲିଖାଁଙ୍କ ମଧ୍ୟରେ ଶରଣାର୍ଥୀ ବିନିମୟ ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ୧୯୫୦ ମସିହାରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହାସତ୍ତେ୍ୱ ୧୯୪୭ରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଭାରତରେ ୧୮%, ପାକିସ୍ତାନରେ ୨୧% ଓ ବଙ୍ଗଳାଦେଶରେ ୧୯% ଥିଲାବେଳେ ୨୦୦୦ ମସିହା ବେଳକୁ ଏହି ସଂଖ୍ୟା ଭାରତରେ ୨୧%, ପାକିସ୍ତାନରେ ୦.୮% ଓ ବଙ୍ଗଳାଦେଶରେ ୮%ରେ ପହଞ୍ଚିଗଲା । ଏଥିରୁ ସହଜରେ ଅନୁମାନ କରିହେବ ଯେ, ଭାରତକୁ ଅନୁପ୍ରବେଶ ହାର କେତେ ବୃଦ୍ଧିହେଲା । ତେବେ ପଡ଼ୋଶୀ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କୁ ଧର୍ମାନ୍ତକରଣ, ଗଣହତ୍ୟା ଓ ବିତାଡ଼ିତ କରାଯିବା ଫଳରେ ଉଭୟପଟୁ ଶରଣାର୍ଥୀ ଭାବରେ ପ୍ରବେଶ କରି ଦେଶର ଆଶ୍ରୟସ୍ଥଳମାନଙ୍କରେ ରହିବାକୁ ଲାଗିଲେ । ୨୦୧୯ ମସିହାର ନାଗରିକ ସଂଶୋଧନ ନିୟମ ଅନୁଯାୟୀ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ସେହି ସଂଖ୍ୟାଲଘୁମାନେ ଯିଏ ପଳାୟନ କରି ଦଶନ୍ଧି ଧରି ଅତ୍ୟାଚରିତ ହୋଇ ଭାରତ ଆସିଥିଲେ, ସେମାନଙ୍କୁ ସମ୍ମାନସହ ବଞ୍ଚିବାର ଅଧିକାର ଦେବାକୁ ସ୍ଥିର କରାଗଲା । ଏହିଠାରେ ପ୍ରକାଶଥାଉ କି, ଏହି ଆଇନ ଆଣିବା ଯୋଗୁଁ ଏଥିସହ ଭାରତୀୟ ସଂଖ୍ୟାଲଘୁଙ୍କର କୌଣସି ସମ୍ପର୍କ ନାହିଁ । ବିଭାଜନ ପରେ ଯେଉଁମାନେ ଭାରତରେ ରହିବାକୁ ସ୍ଥିର କରିଥିଲେ, ସେମାନଙ୍କଠାରୁ ନାଗରିକତାକୁ ଛିନ୍ନ କରାଯାଇ ପାରିବନାହିଁ ।

ସି.ଏ.ଏ. ଆଇନକୁ ବିରୋଧ କରି କେତେକ ରାଜ୍ୟ ସରକାର ବିଷୋଦ୍‌ଗାର କରୁଥିବାବେଳେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍‌ (ଆଇ.ୟୁ.ଏମ୍‌.ଏଲ୍‌) ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରି ରୋକ୍‌ ଲଗାଇବା ପାଇଁ ଆବେଦନ କରିଛନ୍ତି ଏବଂ ମୁସଲମାନ ସମ୍ପ୍ରଦାୟକୁ ଏହି ସୁଯୋଗ ପ୍ରଦାନ ପାଇଁ ଦାବି ହେଉଛି । ପୁନଃ ବିଜ୍ଞପ୍ତି ପରେ ମଧ୍ୟ ଡି.ୱାଇ.ଏଫ୍‌.ଆଇ (ଡେମୋକ୍ରାଟିକ୍‌ ୟୁଥ୍‌ ଫେଡରେସନ୍‌ ଅଫ୍‌ ଇଣ୍ଡିଆ) ପକ୍ଷରୁ ମଧ୍ୟ ଏହାକୁ ସ୍ଥଗିତ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ୍‌ ଦାଖଲ ହୋଇଛି । ବିରୋଧ କରୁଥିବା ସଂଗଠନ ବା ରାଜନୈତିକ ଦଳମାନଙ୍କର ଯୁକ୍ତି ହେଲା- ୧) ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହାର ପ୍ରଚଳନ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ । ୨) କେବଳ ଅଣମୁସଲମାନ ଶରଣାର୍ଥୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ୩) ପଶ୍ଚିମବଙ୍ଗ, କେରଳ ଓ କଂଗ୍ରେସ ଶାସିତ ରାଜ୍ୟମାନେ ଏହାକୁ ଲାଗୁ ନକରିବା ପାଇଁ ଜଣାଇଛଦତିି । ୪) ଏହି ଆଇନ ୨୦୧୯ ସମିହାରେ ଆଗତ ଓ ୨୦୨୦ ମସିହା ଜାନୁଆରୀ ମାସରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ୬ମାସ ମଧ୍ୟରେ କାର୍ଯ୍ୟକାରୀ ନକରାଇ ୪ବର୍ଷ ପରେ ଅର୍ଥାତ୍‌ ୨୦୨୪ ମସିହା ପର୍ଯ୍ୟନ୍ତ ଅପେକ୍ଷାର ଆବଶ୍ୟକତା କ’ଣ? ୫) ବିଶ୍ୱରୁ ଅନେକ ସମାଲୋଚନା ଆସେ ଯେ, ଏହି ଆଇନ ଦ୍ୱାରା ବହୁ ମୁସଲମାନ ଦେଶରୁ ବାହାରିବେ । ୬) ତିକ୍ରତ, ଶ୍ରୀଲଙ୍କା ଓ ମିଆଁମାରର ସଂଖ୍ୟାଲଘୁମାନଙ୍କୁ ବିଚାରକୁ ନିଆଯାଇନାହିଁ । ୭) ଏହି ଆଇନକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ କରାଯାଉଛି, କାରଣ ଆଶଙ୍କା ପ୍ରକାଶ ପାଉଛି ଯେ ରାଜନୈତିକ ଅଧିକାର, ସଂସ୍କୃତି ଓ ଜମି ଅଧିକାର ହରାଇବା ସହିତ ଅନ୍ୟ ଦେଶକୁ ଅନଧିକାର ପ୍ରବେଶ ଦେଶରେ ବୃଦ୍ଧିପାଇବ ।  

ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଶାସକ ବିଜେପି ଦଳ ସି.ଏ.ଏ. ଆଇନ ସପକ୍ଷରେ କୁହନ୍ତି ଯେ, ବାହାର ଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରି ସମ୍ମାନିତ କରିବା ସହ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ଓ ସମ୍ବିଧାନ ପ୍ରଣେତାମାନେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉକି, ନିଜର ଧର୍ମ ଓ ସମ୍ମାନକୁ ବଞ୍ଚାଇବା ଲାଗି ପାକିସ୍ତାନ ଓ ବଙ୍ଗଳାଦେଶରୁ ହଜାର ସଂଖ୍ୟକ ଶରଣାର୍ଥୀ ଭାରତକୁ ଚାଲିଆସିଛନ୍ତି । ସେବେଠାରୁ ସେମାନଙ୍କୁ ନାଗରିକତା ପ୍ରଦାନ କରାଯାଇ ପାରିନାହିଁ । ପୁଣି ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ଜାତୀୟ ଧର୍ମ ଇସଲାମ ହୋଇଥିବାବେଳେ, ସେମାନେ ଧର୍ମର ପାତର-ଅନ୍ତର ଭୋଗ କରୁନାହାଁନ୍ତି । ତେଣୁ ଏହି ଆଇନକୁ ପାଳନ କରିବା ଯଥାର୍ଥ । ମାତ୍ର ପଡ଼ୋଶୀ ଦେଶରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ କେତେକ ସର୍ତ୍ତ ଅଛି । ସେଗୁଡ଼ିକ ହେଲା- ୧) ସେମାନେ ୨୦୧୪ ମସିହା ଡିସେମ୍ବର ମାସ ୩୧ ତାରିଖ ପୂର୍ବରୁ ଭାରତ ଆସିଥିବେ । ୨) ଦେଶରେ ଅନ୍ୟୁନ ୬ବର୍ଷ ରହିଥିବେ । ୩) ପରିତ୍ୟାଗ କରିଥିବା ଦେଶରେ ବିତାଡ଼ିତ ବା ଉତ୍ପୀଡ଼ନର ଶିକାର ହୋଇଥିଲେ ପ୍ରମାଣ ଥିବ ।

ସପ୍ତମ ଶତାବ୍ଦୀର ଆଦ୍ୟଭାଗରେ ଆରବ ବ୍ୟବସାୟୀଙ୍କର ଆଗମନ ବେଳେ ପ୍ରଥମେ କେରଳ ରାଜ୍ୟର ମାଲବାର କୋଷ୍ଟରେ ଇସ୍ଲାମ୍‌ ପ୍ରବେଶ କଲା । ଦେଶ ବିଭାଜନ ପୂର୍ବରୁ ୧୯୪୧ ମସିହାର ଜନଗଣନା ଅନୁଯାୟୀ ପଶ୍ଚିମ ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୧୪.୬% ଥିଲାବେଳେ ପୂର୍ବ-ପାକିସ୍ତାନ (ଏବେ ବଙ୍ଗଳାଦେଶ)ରେ ୨୮% ଥିଲା । ମାତ୍ର ୨୦୧୭ ମସିହାରେ ପାକିସ୍ତାନର ଜନଗଣନା ତଥ୍ୟ ଅନୁସାରେ ହିନ୍ଦୁ ୨.୧୪% ହୋଇଥିବା ବେଳେ ଦେଶ ମୋଟ୍‌ ଜନସଂଖ୍ୟାର ୯୬.୪୭% ମୁସଲମାନ ଅଟନ୍ତି । ଆମେରିକାର ଥିଙ୍କ-ଟ୍ୟାଙ୍କ୍‌ ପ୍ୟୁ ରିସର୍ଚ୍ଚ ସେଣ୍ଟରର ଆକଳନ ଅନୁଯାୟୀ ୨୦୫୦ ମସିହା ବେଳକୁ ମୁସଲମାନ ସଂଖ୍ୟା ୩୦କୋଟିରେ ପହଞ୍ଚିବ, ଯାହା ବିଶ୍ୱ ଜନସଂଖ୍ୟାର ୧୧% ହେବ ଏବଂ ଭାରତରେ କ୍ରମଶଃ ବୃଦ୍ଧି ପାଇବ । ସି.ଏ.ଏ.କୁ ନେଇ ଆମେରିକାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାଥ୍ୟୁମିଲର କହିଛନ୍ତି ଯେ, ଧାର୍ମିକ ସ୍ୱାଧୀନତାକୁ ଆଦର କରିବା ତଥା ଆଇନ ଅନୁସାରେ ସବୁ ସମୁଦାୟଙ୍କ ପ୍ରତି ସମାନ ମନୋଭାବ ପୋଷଣ କରିବା ହେଉଛି ଗଣତନ୍ତ୍ରର ସିଦ୍ଧାନ୍ତ । ଭାରତର ଗୃହ ମନ୍ତ୍ରାଳୟ ସଫେଇ ଦେଇ କହିଛି ଯେ, ଏହି ଆଇନ ଲାଗୁ ଫଳରେ ଦେଶରେ ରହୁଥିବା ୧୮କୋଟି ମୁସଲମାନଙ୍କର ହିନ୍ଦୁଙ୍କ ଭଳି ସମାନ ଅଧିକାର ଅଛି । ଏହା ଅନ୍ୟାୟ ଭାବରେ ଅନୁପ୍ରବେଶକାରୀଙ୍କ ପାଇଁ ଉଦ୍ଦିଷ୍ଟ ହେଲେ ମଧ୍ୟ ମୁସଲିମ ସଂଖ୍ୟାଲଘୁ ଆଦୌ ଭୀତତ୍ରସ୍ତ ହେବା ଉଚିତ୍‌ ନୁହେଁ । ନାଗରିକତା ଆଇନର ଧାରା-୦୬ ଅନୁଯାୟୀ ବିଶ୍ୱର ମୁସଲିମ ସମ୍ପ୍ରଦାୟ ଭାରତୀୟ ନାଗରିକତା ପାଇଁ ଦରଖାସ୍ତ ପ୍ରକ୍ରିୟା ସାଧାରଣ ଭାବେ ଏବେ ମଧ୍ୟ ଚାଲୁଅଛି ।

  • prameyanews
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.